କନକ ବ୍ୟୁରୋ: ବର୍ଜ୍ୟବସ୍ତୁ ପରିଚାଳନା କରି ସେଥିରୁ କିପରି ରୋଜଗାର ସୃଷ୍ଟି କରାଯିବ, ଏ ନେଇ ଉଦ୍ୟମ ଆରମ୍ଭ କରିଛି ଯୋଡ଼ା ପୌର ପରିଷଦ । ଏହି ବର୍ଜ୍ୟବସ୍ତୁ କେନ୍ଦ୍ରକୁ ପରିଚାଳନା କରୁଛନ୍ତି ମହିଳା । ଘରକୁ ଘର ବୁଲି ଅଳିଆ ସଂଗ୍ରହ କରି ସେଥିରୁ ଜୈବିକ ଖତ ପ୍ରସ୍ତୁତ କରାଯାଉଛି । ଯେଉଁ ଆବର୍ଜନା ଅନେକ ପ୍ରକାର ସମସ୍ୟା ସୃଷ୍ଟି କରୁଥିଲା, ସେହି ଆବର୍ଜନା ଆଜି ରୋଜଗାରର ମାଧ୍ୟମ ପାଲଟିଛି ।
କେନ୍ଦୁଝର ଜିଲ୍ଲା ଯୋଡ଼ା ପୌର ପରିଷଦ ଅନ୍ତର୍ଗତ ୬ ନମ୍ବର ୱାର୍ଡର ବାଚୁ ହାଟିଂ । ଏଇଠି ପ୍ରତିଷ୍ଠା କରାଯାଇଛି ରାଜ୍ୟର ପ୍ରଥମ କ୍ଷୁଦ୍ର ଜୈବିକ ସାର ପ୍ରକ୍ରିୟାକରଣ କେନ୍ଦ୍ର । ପୌରପରିଷଦର ୧୪ଟି ୱାର୍ଡରୁ ସଂଗୃହୀତ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ଏଠାରେ କରାଯାଉଛି । ଘରୁ ବାହାରୁଥିବା ଓଦା ବର୍ଜ୍ୟବସ୍ତୁକୁ ଗ୍ରାଇଣ୍ଡିଂ କରାଯାଇ ସେଥିରେ ଗୁଡ଼, ଦହି, କୁଣ୍ଡାର ମିଶ୍ରଣ ଦେଇ ଜୈବିକ ଖତ କରାଯାଉଛି । ୪୨ ଦିନରେ ଏହି କମ୍ପୋଷ୍ଟ ପ୍ରସ୍ତୁତ ହେଉଛି । ଥରକରେ ୧୬ ଦଶମିକ ୫ ମେଟ୍ରିକ ଟନ୍ ଖତ ବାହାରୁଥିବା ବେଳେ ତାକୁ କିଲୋ ପିଛା ୨୦ ଟଙ୍କାରେ ବିକ୍ରି କରାଯାଉଛି ।
ସେହିପରି ଶୁଖିଲା ବର୍ଜ୍ୟବସ୍ତୁରୁ ପଲିଥିନକୁ ଅଲଗା କରି ମେସିନ୍ ସାହାଯ୍ୟରେ ଚାପି ବସ୍ତା ତିଆରି ପାଇଁ କଂଚାମାଲ ପ୍ରସ୍ତୁତ କରାଯାଉଛି । ଆଉ ପ୍ଲାଷ୍ଟିକ ବୋତଲ, ଜୋତା, ଚପଲ ଆଦିକୁ କବାଡିଆକୁ ବିକ୍ରି କରାଯାଉଛି । ତେବେ ବଡ କଥା ହେଉଛି ଏହି ବର୍ଜ୍ୟବସ୍ତୁ ପରିଚାଳନା କେନ୍ଦ୍ରର ପରିଚାଳନା କରୁଛନ୍ତି ମହିଳା । ପ୍ରତିଦିନ ଘରକୁ ଘର ବୁଲି ୧୩୩ ଜଣ କର୍ମଚାରୀ ୨୩ଟି ଗାଡ଼ିରେ ସଂଗ୍ରହ କରୁଛନ୍ତି ବର୍ଜ୍ୟବସ୍ତୁ । ଓଦା ବର୍ଜ୍ୟବସ୍ତୁ ଓ ଶୁଖିଲା ବର୍ଜ୍ୟବସ୍ତୁ ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି । ଘରର ଆବର୍ଜନା ବାହାରେ ନପକାଇ ଏହି ଗାଡ଼ିରେ ଦେବା ପାଇଁ ଲୋକଙ୍କୁ ସଚେତନ କରାଉଛନ୍ତି ମହିଳା ସ୍ୱଚ୍ଛ ସାଥୀ ।
ତେବେ ଏହି ବର୍ଜ୍ୟବସ୍ତୁ ପରିଚାଳନାରେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲିଟିଛି ଯୋଡ଼ା ପୌର ପରିଷଦ ।