ନିଲାମ ପ୍ରକ୍ରିୟା ଶେଷ, ଲିଜ୍ ଅବଧି ସରୁଛି : ଅନ୍ଧାରରେ ୧୦ଟି ଖଣି ଶ୍ରମିକଙ୍କ ଭବିଷ୍ୟତ
କନକ ବ୍ୟୁରୋ : ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଜିଲ୍ଲା ଯୋଡ଼ା ଖଣିମଣ୍ଡଳର ୧୦ଟି ଖଣିର ନିଲାମ ପ୍ରକ୍ରିୟା ଶେଷ ହୋଇଛି। ଏସବୁ ଖଣିର ମାଲିକାନା ମଧ୍ୟ ବଦଳି ଯାଇଛି। ଏଭଳି ସ୍ଥିତିରେ ଯେଉଁ ଶ୍ରମିକମାନେ ଏସବୁ ଖଣିରେ କାମ କରୁଥିଲେ ସେମାନଙ୍କ ଭବିଷ୍ୟତ କ’ଣ ହେବ, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବର୍ତ୍ତମାନର ନିଲାମ ପ୍ରକ୍ରିୟାରେ ନୂଆ ଲିଜ୍ଧାରୀ ସର୍ବାଧିକ ମୂଲ୍ୟରେ ଲିଜ୍ ନେଇଥିବାରୁ ଖଣି ଖନନରେ ଖର୍ଚ୍ଚକାଟ କରିବାକୁ ଅତ୍ୟାଧୁନିକ ଯନ୍ତ୍ର ବ୍ୟବହାର କରିବେ। ଯଦି ତାହା ହୁଏ, ଏଠାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କାମ କରୁଥିବା ପ୍ରାୟ ୫୦ ହଜାର ଶ୍ରମିକ ଜୀବିକା ହରାଇବା ନିଶ୍ଚିତ।
Kanak News is now on WhatsApp
Join and get latest news updates delivered to you via WhatsApp
ଯୋଡ଼ାସ୍ଥିତ ଖଣି ଯୁଗ୍ମ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ଅନୁସାରେ, ଏସେଲ୍ ମାଇନିଂ ମାଲିକାନାରେ ଥିବା ଜିଲିଂ ଲଙ୍ଗାଲଟା ଲୌହଖଣିର ନିଲାମ ପ୍ରକ୍ରିୟା ସରିଛି। ଏହି ଖଣିକୁ ଶ୍ୟାମ ଓର୍ ଝାଡ଼ଖଣ୍ଡ ପ୍ରାଇଭେଟ ଲିମିଟେଡ ପାଇଛି। ଏସେଲ୍ ମାଇନିଂ ମାଲିକାନାରେ ଥିଲାବେଳେ ଏହି ଖଣିରେ ୩ ହଜାର ଶ୍ରମିକ କାମ କରୁଥିଲେ। ମାତ୍ର ଅସ୍ଥାୟୀ ଓ ପରୋକ୍ଷ ଭାବେ ଆହୁରି ୩ ହଜାର ଶ୍ରମିକ ନିଜର ଜୀବିକା ନିର୍ବାହ କରୁଥିଲେ। ଏହି ଖଣି ନୂଆ ଲିଜ୍ଧାରୀଙ୍କ ମାଲିକାନାକୁ ଯିବା ପରେ ଏହି ଶ୍ରମିକମାନେ କାମ ପାଇବେ କି ନାହିଁ ଏବଂ ନୂଆ ଲିଜ୍ଧାରୀଙ୍କ ଶ୍ରମିକ ନିଯୁକ୍ତି ପ୍ରକ୍ରିୟା କେମିତି ରହିବ ସେ ସମ୍ପର୍କରେ କିଛି ଜଣାପଡ଼ିନି।
ସେହିପରି ପଟ୍ଟନାୟକ ମିନେରାଲର ଜରିବାହାଲ ଲୌହଖଣିକୁ କାଶଭି ଇଣ୍ଟରନ୍ୟାସନାଲ ପ୍ରାଇଭେଟ ଲିମିଟେଡ ପାଇଛି। ଏଠାରେ ୬ଶହ ଶ୍ରମିକ କାର୍ଯ୍ୟ କରୁଥିଲେ। କେଜେଏସ୍ ଆଲୁୱାଲିଆର ନୂଆଗାଁ ଲୌହଖଣି ଜେଏସ୍ଡବ୍ଲ୍ୟୁ ପାଇଛି। ଏହି ଖଣିରେ ୨୨୦୦ ଶ୍ରମିକ କାମ କରୁଥିଲେ। ରୁଙ୍ଗଟା ମାଇନ୍ସର ଜଜାଙ୍ଗ ଲୌହଖଣି ମଧ୍ୟ ଜେଏସ୍ଡବ୍ଲ୍ୟୁ ପାଇଛି। ଏଠାରେ ୨୮୦୦ ଶ୍ରମିକ ନିୟମିତ କାମ କରୁଥିଲେ। ସେହିପରି କେ.ପି ଇଣ୍ଟରପ୍ରାଇଜର୍ସର ଠାକୁରାଣୀ ଲୌହଖଣିକୁ ଆର୍ସଲର ମିତ୍ତଲ ପାଇଛି। ଏଠାରେ ୮ଶହ ଶ୍ରମିକ କାମ କରୁଥିଲେ। ସିରାଜୁଦ୍ଦିନ ଆଣ୍ଡ କୋ ବଳଦା ଲୌହଖଣିକୁ ସିରାଜୁଦ୍ଦିନ ନିଜ ଅକ୍ତିଆରରେ ରଖିବାରେ ସମର୍ଥ ହୋଇଛି। କେ.ଏନ୍ ରାମର ରୋଇଡ଼ା ଲୌହଖଣିକୁ ନର୍ଭେରାମ ଷ୍ଟିଲ୍ ପାଇଛି। ଏହି ଖଣିର ଶ୍ରମିକ ସଂଖ୍ୟା ୬ଶହ ଥିଲା। ଜୁରୁଡ଼ି କେଏମ୍ସିର ଜଲହରି ଲୌହଖଣିକୁ ଜଗତଜନନୀ ସେବାଟ୍ରଷ୍ଟ ହାତେଇଥିବା ବେଳେ ଏଠାରେ ୪ଶହ ଶ୍ରମିକ କାମ କରୁଥିଲେ। ସେହିପରି ରୁଙ୍ଗଟା ସିଲଯୋଡ଼ା କାଳିମାଟି ଲୁହାପଥର ଓ ମାଙ୍ଗାନିଜ ଖଣି ଦେବବ୍ରତ ବେହେରା ପାଇଛନ୍ତି।
ଏଠାରେ ୧୨ଶହ ଶ୍ରମିକ କାର୍ଯ୍ୟ କରୁଥିଲେ। ରୁଙ୍ଗଟା ସନ୍ସ ପ୍ରାଇଭେଟ ଲିମିଟେଡ କାଟେସାହି ମାଙ୍ଗାନିଜ ଖଣି ଅଗ୍ରସେନ ସ୍ପଞ୍ଜ ପାଇଛି। ଏଠାରେ ୫୦ ଜଣ ଶ୍ରମିକ କାମ କରୁଥିଲେ। ଲିଜ୍ ସରିଥିବା ଏହି ଖଣିରେ ସ୍ଥାୟୀ ଭାବେ ୧୩ ହଜାର ୧୫୦ଜଣ ଶ୍ରମିକ କାର୍ଯ୍ୟ କରୁଥିବା ବେଳେ ୫ହଜାରରୁ ଊର୍ଦ୍ଧ୍ବ କର୍ମଚାରୀ ଓ ୧୦ହଜାରରୁ ଊର୍ଦ୍ଧ୍ବ ଅସ୍ଥାୟୀ ଶ୍ରମିକ କାର୍ଯ୍ୟ କରୁଛନ୍ତି। ଖଣିଜ ପରିବହନରେ ନିୟୋଜିତ ଟ୍ରକ୍ ଓ ଡମ୍ପରରେ ପ୍ରାୟ ୨ହଜାର ଡ୍ରାଇଭର ଓ ହେଲ୍ପର କାର୍ଯ୍ୟ କରୁଛନ୍ତି। ହିସାବକୁ ନେଲେ ୫୦ହଜାରରୁ ଊର୍ଦ୍ଧ୍ବ ଶ୍ରମିକ ଏସବୁ ଖଣିରେ ପ୍ରତ୍ୟକ୍ଷ ଓ ପରୋକ୍ଷଭାବେ କର୍ମନିଯୁକ୍ତି ପାଇଛନ୍ତି। ନୂଆ ଲିଜ୍ଧାରୀ ନିଲାମ ପ୍ରକ୍ରିୟାରେ ସର୍ବାଧିକ ମୂଲ୍ୟ ଦେଇ ଖଣିଗୁଡ଼ିକୁ ନିଲାମ ନେଇଥିବାରୁ ସେମାନେ ଖର୍ଚ୍ଚ କାଟ୍ କରି ଖଣି ଖନନ କରିବାକୁ ଚେଷ୍ଟା କରିବେ। ଯଦି ଏହା ହୁଏ ତେବେ ହଜାର ହଜାର ଶ୍ରମିକଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯିବ। ଏ ସମ୍ପର୍କରେ ଯୋଡ଼ା ଯୁଗ୍ମ ଖଣି ନିର୍ଦ୍ଦେଶକ ସଲିଲ କୁମାର ବେହେରାଙ୍କୁ ପଚାରିବାରୁ, ଶ୍ରମିକଙ୍କୁ ପୁନଃନିଯୁକ୍ତି ଦେବା ନେଇ ସରକାରଙ୍କଠାରୁ କୌଣସି ନିର୍ଦ୍ଦେଶ ଆସିନଥିବା କହିଛନ୍ତି।