ମଣିଷର ସ୍ୱାର୍ଥ ପାଇଁ ଅସନ୍ତୁଳିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଆୟୁଷ କମାଉଛି ଧୂଳିଭର୍ତ୍ତି ବାୟୁ ! ସଜାଗ ନହେଲେ ସଙ୍କଟରେ ପଡିବେ ସମସ୍ତେ…

205

କନକ ବ୍ୟୁରୋ: ମାଳ ମାଳ ଗାଡି, ଖାଲ ଖମା ରାସ୍ତା… ଆଉ ଗାଡି ପଛେ ପଛେ ଉଡୁଛି ପ୍ରବଳ ଧୂଳି । ଧୂଳି ଧୁଆଁର ଏ ଭୟଙ୍କର ସ୍ଥିତି ପାଇଁ ପ୍ରଦୂଷିତ ପରିବେଶ । ବିଷ ବଳୟ ପାଲଟିଛି ପୂରା ଅଞ୍ଚଳ । ଏ ଦୃଶ୍ୟ ହେଉଛି କେନ୍ଦୁଝର ଜିଲ୍ଲା ଯୋଡା ଖଣି ଅଞ୍ଚଳର । ଯେଉଁଠି ପ୍ରଦୂଷଣର ମାତ୍ରା ଏତେ ଅଧିକ ହୋଇଛି ନଦୀ ନାଳର ଜଳ ବି ଧୂଳିର ଧମକରୁ ବର୍ତ୍ତି ପାରିନି । ଆଉ ଏଠିକାର ଲୋକଙ୍କ କଥା ନକହିବା ଭଲ । ଦିନରାତି ସବୁ ସମୟରେ ଅସନ୍ତୁଳିତ ପରିବେଶରେ ବଞ୍ଚିବାକୁ ପଡୁଛି । ପ୍ରଦୂଷଣରୁ ମୁକ୍ତି ପାଇଁ, ଶାନ୍ତିରେ ଜୀବନ ଜିଇଁବା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ଲୋକେ ।

ଯୋଡା ଅଞ୍ଚଳରେ ମାତ୍ରାଧିକ ଗଛକଟା, ଖଣି ଖନନ ସହ ଭାରିଯାନରେ ମାଲ ପରିବହନ ଉକ୍ତ ଅଞ୍ଚଳର ରାସ୍ତାକୁ ନଷ୍ଟ କରୁଛି । ଯେଉଁଥି ପାଇଁ ସାଧାରଣ ଲୋକେ ନାହିଁ ନଥିବା ସମସ୍ୟା ଭୋଗୁଥିବା ବେଳେ କମ୍ପାନୀରୁ ନିର୍ଗତ ଧୂଆଁ ଏବଂ କ୍ରସରର ଧୂଳି ସାରା ଅଞ୍ଚଳକୁ ବିଷାକ୍ତ କରିଛି । ଯାହାର ବଡ ଉଦାହରଣ ହେଉଛି ଏ ଗଛର ପତ୍ର ।
ସବୁଜ ଗଛ ସବୁ ଧୂସର ପାଲଟି ଯାଇଛି । କୌଣସି ରୋଗ ପୋକ ପାଇଁ ନୁହେଁ ବରଂ ମଣିଷର କାର୍ଯ୍ୟକଳାପ ଆଉ ସ୍ୱାର୍ଥନ୍ୱେଷୀ ବ୍ୟବହାର ସ୍ଥାନୀୟ ଅଞ୍ଚଳରେ ଥିବା ବୃକ୍ଷମାନଙ୍କ ପାଇଁ ଅଭିଶାପ ପାଲଟିଛି । ଖଣି ପାଇଁ ମାତ୍ରାଧିକ ବୃକ୍ଷ ଛେଦନ କରି ମଣିଷ ନିଜ ଭବିଷ୍ୟତକୁ ନିଜ ହାତରେ କୁରାଢି ମାରୁଛି । ତେବେ ଖଣିର ବର୍ଜ୍ୟବସ୍ତୁ କାରୋ ଓ ସୁନା ନଦୀକୁ ପ୍ରଦୂଷିତ କରୁଛି । ଖଣି ଅଞ୍ଚଳର ପ୍ରଦୂଷଣ ବଢିବା କାରଣରୁ ସ୍ଥାନୀୟଲୋକେ ବିଭିନ୍ନ ମାରାତ୍ମକ ରୋଗର ଶିକାର ହେଉଛନ୍ତି ।

ଯଦିଓ ବାୟୁ ପ୍ରଦୂଷଣର ସ୍ତର ମାପିବାକୁ ସରକାର ୪ଟି ସ୍ଥାନରେ ପ୍ରଦୂଷଣ ମାପକ ଯନ୍ତ୍ର ଲଗାଇଛନ୍ତି । କିନ୍ତୁ ରୋଗ ଯନ୍ତ୍ରଣାରେ ଅନେକ ଜୀବନ ଯାଉଥିଲେ ବି କେହି ଏ ସମସ୍ୟା ସୁଧାରିବାକୁ କିମ୍ବା ପରିବେଶ ପାଇଁ ଚିନ୍ତା କରିବାକୁ ସମୟ ପାଉ ନାହାନ୍ତି । ଜଳବାୟୁ ପରିବର୍ତ୍ତନ, ବିଶ୍ୱତାପନ ଆଦି ପ୍ରାକୃତିକ ବିପର୍ଯ୍ୟୟ ମଣିଷର ଅସନ୍ତୁଳିତ ବ୍ୟବହାର ପାଇଁ ବିପଦର କାରଣ ସାଜୁଛି । ତେଣୁ ସମୟ ଆସିଛି ବିଶ୍ୱକୁ ବିପଦ ମୁହଁରୁ ବଞ୍ଚାଇବାର, ନିଜ ପରିବେଶ, ପରିସ୍ଥିତି, ଜୀବନକୁ ସୁରକ୍ଷିତ କରିବାର । ଏ ଧୂଳି ହିଁ ବୟାନ କରୁଛି ଏଠି ଜୀବନ କେତେ ବିପଦଭରା । ତେଣୁ ଆସନ୍ତୁ ପରିବେଶ ପାଇଁ ସମୟ ଦେବା । ସମ୍ବାଦ ଡିଜିଟାଲର ମହତ ଅଭିଯାନରେ ନିଜକୁ ସାମିଲ କରି ପ୍ରକୃତି ପାଇଁ, ପର ପିଢି ପାଇଁ ସୁରକ୍ଷାର ସାରଥୀ ସାଜିବା ।