ଲକଡାଉନ୍ କରିଦେଲା ଲୁଟେରା ! ଚାକିରି ହରାଇବା ପରେ କରୁଥିଲେ ଚୋରି, ୩ ବନ୍ଧୁଙ୍କୁ ବାନ୍ଧିଲା ପୋଲିସ ।

1,276

କନକ ବ୍ୟୁରୋ : ନୋଭେଲ କରୋନା ଭାଇରସ ବା ଭୋଭିଡ୍‌-୧୯ ସଂକ୍ରମଣକୁ ରୋକିବା ପାଇଁ ଜାରି ହୋଇଥିବା ଲକ୍‌ଡାଉନ କାରଣରୁ ନିଜର ଚାକିରି ହରାଇ ଲୁଟେରା ସାଜିଥିବା ୩ ବନ୍ଧୁ ପଞ୍ଜାବ ପୁଲିସ୍‌ ହାତରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ପୃଥକ୍‌ ପୃଥକ୍‌ ୬ଟି ଛିନ୍‌ତାଇ ଘଟଣାରେ ସଂପୃକ୍ତ ଥିବା ଏହି ତିନି ବନ୍ଧୁଙ୍କୁ ଗିରଫ କଲାପରେ ପୁଲିସ୍‌ ଏମାନଙ୍କ ନିକଟରୁ ଏକ ଖେଳନା ପିସ୍ତଲ ସମେତ ଅପରାଧରେ ବ୍ୟବହୃତ ମୋଟର ସାଇକେଲକୁ ମଧ୍ୟ ଜବତ କରିଛି ।

ଲୁଧିଆନା ପୁଲିସ ହାତରେ ଗିରଫ ହେବା ପୂର୍ବରୁ ଏହି ତିନି ଅପରାଧୀ ମିଳିତ ଭାବେ ପେଟ୍ରୋଲ ପମ୍ପ ଓ ମଦ ଦୋକାନ ସମେତ ଅନ୍ୟ ୬ଟି ସ୍ଥାନରୁ ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଥିଲେ । ଏସଂପର୍କରେ ଅଭିଯୋଗ ହେବାପରେ ପୁଲିସ୍‌ ଏମାନଙ୍କୁ ଗିରଫ କରିବାକୁ ଖୋଜୁଥିଲା । ପୁଲିସ୍‌ ହାତରେ ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଲେ, ପବିତ୍ର ସିଂହ (୨୯), ମହିନ୍ଦର ସିଂହ (୩୩) ଓ ରୂପ ଲାଲ (୩୨) ।

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଲକ୍‌ଡାଉନ ପୂର୍ବରୁ ପବିତ୍ର ସିଂହ ଏକ କାରଖାନାରେ ସୁରକ୍ଷାକର୍ମୀ ଭାବରେ କାର୍ଯ୍ୟ କରୁଥିବା ବେଳେ ରୂପ ଲାଲ ଏବଂ ମହିନ୍ଦର ସେଠାରେ ଶ୍ରମିକ ଥିଲେ । ତେବେ, ଲକ୍‌ଡାଉନ୍‌ କାରଣରୁ ଏହି ତିନି ଜଣ ନିଜ ନିଜର ଚାକିରି ହରାଇଥିଲେ । ଏଣେ ଋଣଭାରେ ବୁଡ଼ି ରହିଥିଲେ ଏହି ତିନି ଯୁବକ । ତେଣୁ, ସେମାନେ ଲୁଟେରା ସାଜିବାକୁ ମନସ୍ଥ କରି ଏକ ଖେଳନା ପିସ୍ତଲ କ୍ରୟ କରିଥିଲେ । ପରେ ତିନି ଅଭିଯୁକ୍ତ ଗୋଟିଏ ମୋଟର ସାଇକେଲରେ ଏକାଠି ମୁହଁରେ ମୁଖା ପିନ୍ଧି ଗ୍ରାମାଞ୍ଚଳ ଓ ବିଶେଷ କରି ନିକାଞ୍ଚନ ସ୍ଥାନମାନଙ୍କରେ ରହିଥିବା ବ୍ୟବସାୟ ପ୍ରତିଷ୍ଠାନ ମାନଙ୍କରେ ଯାଇ ପହଞ୍ଚି ଯାଉଥିଲେ । ପରେ ସଂପୃକ୍ତ ପ୍ରତିଷ୍ଠାନର କ୍ୟାସ୍‌ କାଉଣ୍ଟରରେ ବସିଥିବା ବ୍ୟକ୍ତିକୁ ଖେଳନା ପିସ୍ତଲ ସାହାଯ୍ୟରେ ଭୟଭୀତ କରାଇ କ୍ୟାସ୍‌ ବାକ୍ସରେ ଥିବା ଟଙ୍କା ସବୁକୁ ଧରି ଫେରାର ହୋଇ ଯାଉଥିଲେ ।