ସାମନାକୁ ଆସିଲା ତାଲାବନ୍ଦର କରୁଣ ଚିତ୍ର । ଚାକିରି ଯାଉଛି, ଦରମା କଟୁଛି । ଆଗକୁ କ’ଣ ହେବ ତାକୁ ନେଇ ବଢ଼ୁଛି ଚିନ୍ତା ?

2,017

କନକ ବ୍ୟୁରୋ : କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ସାରା ଦେଶରେ ତାଲା ବନ୍ଦ ଚାଲିଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଘରୋଇ ଅନୁଷ୍ଠାନ ଉପରେ । ଚାକିରିରେ ଛଟେଇ ଚାଲିଥିବା ବେଳେ ମାସିକ ଦରମାରେ ଟଙ୍କା କଟିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଉ ଶ୍ରମିକ ଅଭାବରୁ କ୍ଷୁଦ୍ର ଓ ମଧ୍ୟମ ଧରଣର ଉଦ୍ୟୋଗ ଉତ୍ପାଦନକ୍ଷମ ହୋଇପାରୁନାହାନ୍ତି ।

କରୋନା ସଂକ୍ରମଣର ପ୍ରଭାବ ପଡିଛି ଜୀବନ ଉପରେ ଆଉ ଜୀବିକା ଉପରେ । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ତାଲା ବନ୍ଦ ସିଧା ସଳଖ ପ୍ରଭାବ ପକାଇଛି ଜୀବିକା ଉପରେ । କରୋନାରୁ ରକ୍ଷା ପାଇବା ପାଇଁ ତାଲାବନ୍ଦ ଜରୁରୀ ହୋଇପଡିଥିବା ବେଳେ ଜୀବନ ଜୀବିକାକୁ ନେଇ ଚାଲିଥିବା ଏହି ଲଢେଇରେ ଏବେ ବଳି ପଡୁଛନ୍ତି ବେସରକାରୀ ଅନୁଷ୍ଠାନରେ ଚାକିରି କରୁଥିବା ଯୁବପିଢି । କେତେକ ଅନୁଷ୍ଠାନ ଚାକିରିରୁ କାଢି ଦେଉଥିବା ବେଳେ ଆଉ କିଛି ଅନୁଷ୍ଠାନ ଦରମା କାଟ କରୁଛନ୍ତି ।

ପ୍ରାୟ ୨ ମାସର ଲକ-ଡାଉନ ଯୋଗୁଁ ଛୋଟ ଦୋକାନୀ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମଧ୍ୟ ପ୍ରଭାବିତ ହୋଇଛନ୍ତି । ଉଦ୍ୟୋଗରେ ଶ୍ରମିକ ଅଭାବରୁ ଉତ୍ପାଦନ ହୋଇପାରୁନି । ଆଉ ଯେତିକି ଉତ୍ପାଦନ ହୋଇଛି ବିକ୍ରି ହୋଇପାରୁନି । ଆଇଟି କ୍ଷେତ୍ରରେ ମଧ୍ୟ ସମାନ ସମସ୍ୟା ଉପୁଜିଛି । ସଫ୍ଟୱୟାର ବିକ୍ରି କରୁଥିବା ସଂସ୍ଥା ହାତ ବାନ୍ଧି ବସିଛନ୍ତି । ତେଣୁ ଚାକିରି କରୁଥିବା କର୍ମଚାରୀଙ୍କୁ ଆଗକୁ କିପରି ଦରମା ଦେବେ ଏବେ ସେ ଚିନ୍ତା ଆରମ୍ଭ ହୋଇଗଲାଣି ।

ଅର୍ଥନୀତିଜ୍ଞଙ୍କ ମତରେ ସରକାର ଏହି ସମସ୍ୟାକୁ ଗୁରୁତର ସହ ନେଇ ସମାଧାନର ରାସ୍ତା ବାହାର କରିବା ଦରକାର । ନଚେତ ବେରୋଜଗାରୀ ବଢିବ ଏବଂ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ଆହୁରି ଅଧିକ ପ୍ରଭାବିତ ହେବ ।