ସାରା ବିଶ୍ୱରେ କେବଳ ୧୧୨ ଜଣ କରନ୍ତି ଏହି ଚାକିରୀ , ଜାଣନ୍ତୁ କ’ଣ କରିବାକୁ ପଡେ କାମ

314

କନକ ବ୍ୟୁରୋ : ଏମିତି ଏକ ସମୟ ଥିଲା କେବଳ କିଛି କ୍ଷେତ୍ରରେ ଲୋକଙ୍କୁ ଚାକିରୀ ମିଳୁଥିଲା । ତେଣୁ ଛାତ୍ର ଛାତ୍ରୀମାନେ ବାଛି ବାଛି ନିଜୟ ଭବିଷ୍ୟତ ପାଇଁ ପାଠ ପଢୁଥିଲେ । ଏବେ ସମୟରେ ବିଶ୍ୱରେ ଉଦାରିକରଣ ଯୋଗୁଁ ଚାକିରୀ ପାଇଁ ଅନେକ କ୍ଷେତ୍ର ପ୍ରସ୍ତୁତ ହୋଇଛି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏମିତି ଏକ ଚାକିରୀ ଅଛି ଯେଉଁଥିରେ ଏବେ ସାରା ବିଶ୍ୱରେ ମାତ୍ର ୧୧୨ ଜଣ ନିଯୁକ୍ତି ପାଇଛନ୍ତି । ଏହି ଚାକିରୀ ହେଉଛି ପାଣି ପରୀକ୍ଷା କରିବା । ଯେମିତି ଖାଦ୍ୟ ପରୀକ୍ଷା, ମଦ ପରୀକ୍ଷା, ସେହିଭଳି ପାଣି ପରୀକ୍ଷା କରାଯାଇଥାଏ ।

ଆପଣଙ୍କୁ କହିରଖୁ କି ପାଣିର ବିଭିନ୍ନ ପ୍ରକାର ପରୀକ୍ଷା କରାଯାଇଥାଏ । ଜାତୀୟ ଗଣମାଧ୍ୟମର ସୂଚନା ମୁତାବକ ଏବେ ଏହି ବୃତ୍ତିରେ ବିଶ୍ୱର ମାତ୍ର ୧୧୨ ଜଣ ଚାକିରୀ କରିଛନ୍ତି । ଆହୁରି ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଭାରତରେ ମାତ୍ର ଜଣେ ବ୍ୟକ୍ତି ଏହି ପ୍ରଫେସନରେ ଚାକିରୀ କରୁଛନ୍ତି । ଯାହାଙ୍କ ନାମ ଗଣେଷ ଆୟର । ଗଣେଷ ଆୟର ଦେଶରେ ଏକମାତ୍ର ବ୍ୟକ୍ତି ଯେକି ପଞ୍ଜିକୃତ ୱାଟର ଟେଷ୍ଟର ଅଟନ୍ତି । ଗଣେଷ କହିଛନ୍ତି କି, ଆଗାମୀ ୫-୧୦ ବର୍ଷ ମଧ୍ୟରେ ଏହି ବୃତ୍ତିରେ ବହୁତ ଡିମାଣ୍ଡ ବଢିବାକୁ ଯାଉଛି ।

ଗଣେଷ ଆୟର କହିଛନ୍ତି କି ଯେତେବେଳେ ସେ ଲୋକଙ୍କୁ କହନ୍ତି କି ସେ ପାଣି ପରୀକ୍ଷକ, ସେତେବେଳେ ଲୋକମାନେ ହସନ୍ତି । ଏହାର କାରଣ ଭାବେ ସେ କହିଛନ୍ତି କି, ଦେଶରେ ଅଧାରୁ ଅଧିକ ଲୋକ ବିଶୁଦ୍ଧ ପିଇବା ପାଣି ପାଉ ନଥିବା ବେଳେ ଜଣେ ଜଳ ପରୀକ୍ଷକ କିଭଳି ସାରା ଦେଶକୁ ବିଶୁଦ୍ଧ ପାଣି ଯୋଗାଉଥିବ ବୋଲି ଲୋକମାନେ ଭାବନ୍ତି ।

ଗଣେଷ କହିଛନ୍ତି କି ୧୦ ବର୍ଷ ତଳେ ଥରେ ସେ ଏହି ପାଠ୍ୟକ୍ରମ ବାବଦରେ ଶୁଣିଥିଲେ । ଏହାପରେ ସେ ଜର୍ମାନୀର ଏକ ଇନଷ୍ଟିଚ୍ୟୁଟରେ ଯୋଗଦେଇ ସାର୍ଟିଫିକେଟ୍ ହାସଲ କରିଥିଲେ । ତାଙ୍କ କହିବା ମୁତାବକ ପାଣିର ବିଭିନ୍ନ ପ୍ରକାର ପରିଚୟ ରହିଛି ଓ ଏହାର ଲାଭ ଓ ଟେଷ୍ଟ ବି ଭିନ୍ନ ଭିନ୍ନ ଅଟେ । ଗଣେଷ ଏବେ ବେବରେଜ କମ୍ପାନୀ ଭିନରେ ଭାରତ ଓ ଭାରତୀୟ ଉପମହାଦ୍ୱୀପର ଅପରେଶନ ନିର୍ଦ୍ଦେଶକ ଅଛନ୍ତି ।