ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା ଲୁଟ୍

Advertisment
ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି । ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ । ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା ଲୁଟ୍

କନକ ବ୍ୟୁରୋ: ୧୨୦୦ ଯୁବକ/ଯୁବତୀଙ୍କୁ ଚାକିରି ଲୋଭ ଦେଖାଇ ୧୫ କୋଟିରୁ ଅଧିକ ଟଙ୍କା ଚୂନା ଲଗାଇ ଦେଇଛି ଠକ । ଚିଠିକୁ ଦେଖାଇ ପିଲାଙ୍କ ମଧ୍ୟରେ ବିଶ୍ୱାସ ଜନ୍ମାଇଥିଲା ଠକ ମାଷ୍ଟର । ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗର ଏହି ନକଲି ଲେଟର ହେଡରେ ଲେଖା ଯାଇଥିଲା, ପଞ୍ଚାୟତିରାଜ ବିଭାଗର ଏଜେନ୍ସୀ ଭାବେ ‘ଧର୍ମା’ ଏନଜିଓକୁ ମନୋନୀତ କରାଯାଇଛି । ଏହି ଜାଲ୍ ଚିଠି ବଳରେ ଶହ ଶହ ଯୁବକ ଯୁବତୀଙ୍କୁ ଚାକିରିର ଲୋଭ ଦେଖା ଯାଇଥିଲା । ପଞ୍ଚାୟତ ମିତ୍ର , ବ୍ଲକରେ ବ୍ଲକ କୋର୍ଡିନେଟର, ଜିଲ୍ଲା ସ୍ତରରେ ଜିଲ୍ଲା କୋର୍ଡିନେଟର ନିଯୁକ୍ତି ପାଇଁ ଦିଆଗଲା ପ୍ରଲୋଭନ ।

  • ରାଜ୍ୟର ବଡ଼ ନିଯୁକ୍ତି ଦୁର୍ନୀତି
  • ଠକେଇର ଶିକାର ହେଲେ ଶହ ଶହ ଯୁବକ-ଯୁବତୀ
  • ନକଲି ଅଫର ଲେଟର ଦେଇ କୋଟି କୋଟି ଟଙ୍କା ଲୁଟ୍

ଭୁବନେଶ୍ୱରର ଘାଟିକିଆରେ ଖୋଲିଥିଲା ‘ଧର୍ମା’ ଏନଜିଓର ଅଫିସ । ଫୋକସରେ ରହିଲା ସାରା ରାଜ୍ୟ । ‘ଧର୍ମା’ ଏନଜିଓ ଲେଟର ହେଡରେ ଅଫର ଲେଟର ଦିଆଗଲା । ଏମଡି ଓ ୪ ଜଣ ଡାରେକ୍ଟରଙ୍କ ସମେତ ପ୍ରତି ଜିଲ୍ଲା ଓ ବ୍ଲକ ପାଇଁ ଏଜେଣ୍ଟ ନିଯୁକ୍ତ କରାଗଲା । ନିଜ ଅଞ୍ଚଳର ବେକାର ଯୁବକ ଯୁବତୀ ଚାକିରି ପ୍ରଲୋଭନ ଦେଖାଇ ସେମାନଙ୍କୁ ଠକେଇ ନେଟୱର୍କକୁ ଆଣିଥିଲେ ଏଜେଣ୍ଟ । ଭୁବନେଶ୍ୱର କାର୍ଯ୍ୟାଳୟକୁ ପିଲାମାନଙ୍କୁ ଡକାଯାଇ ମୁଲଚାଲ୍ କରାଯାଇଥିଲା । ପ୍ରଥମେ ନିଜ ନିଜ ପୋଷ୍ଟ ଅନୁସାରେ ପଇସା ଦିଅ ଓ ଅଫର ଲେଟର ନିଅ ବୋଲି କୁହାଯାଇଥିଲା । ଆଉ ସବୁ ପୋଷ୍ଟ ପାଇଁ ରେଟ୍ ମଧ୍ୟ ଫିକ୍ସ ରହିଥିଲା, ପଞ୍ଚାୟତ ମିତ୍ର ପାଇଁ ୧ଲକ୍ଷ ୨୦ ହଜାର , ବ୍ଲକ କୋର୍ଡିନେଟର ପାଇଁ ୧ଲକ୍ଷ ୭୦ହଜାର ଏବଂ ଜିଲ୍ଲା କୋର୍ଡିନେଟର ପାଇଁ ରହିଥିଲା ୨ଲକ୍ଷ ଟଙ୍କା ।

କୋଟି କୋଟି ଟଙ୍କା ଠକି ନେବା ପରେ ଚାରିମାସ ପର୍ଯ୍ୟନ୍ତ ଭର୍ଚୁଆଲ ଟ୍ରେନିଂ ଦିଆଗଲା । ଏହି ସମୟ ମଧ୍ୟରେ କିଛି କିଛି ଟଙ୍କା ଅଫର ଲେଟର ପାଇଥିବା ଯୁବକ ଯୁବତୀଙ୍କୁ ଦିଆଗଲା । ଆଉ ଏହା ପରେ ସବୁ ବନ୍ଦ ହେବାରେ ଲାଗିଲା । କିଛି ଦିନ ପରେ ପୂରା ଅଫିସ ଉଭାନ ହୋଇଗଲା । ଏହାପରେ ଯୁବକ ଯୁବତୀମାନେ ବୁଝିପାରିଲେ, ସେମାନେ ଠକାମୀର ଶିକାର ହୋଇଛନ୍ତି ।

ପଶ୍ଚିମ ଓଡିଶା ଡାଇରେକ୍ଟର ବୋଲାଉଥିବା ସୁନ୍ଦରଗଡ ଲୁହୁରାଢିପା ସ୍ଥିତ ଆର୍ଜୁ ନାୟକଙ୍କ ଘରେ ପହଁଚିଥିଲେ ଠକାମୀରେ ପଡିଥିବା ଯୁବକ ଯୁବତୀ । ଆର୍ଜୁ ନାଏକଙ୍କ ଘର ସମ୍ମୁଖରେ ହୋହାଲ୍ଲା କରିବା ପରେ ପୋଲିସ ଆସି ନିଜ ନିଜ ଅଞ୍ଚଳର ଥାନାରେ ଏତଲା ଦେବାକୁ କହିବା ପରେ ସେମାନେ ଫେରି ଯାଇଥିଲେ । ଏପଟେ ଭୁବନେଶ୍ୱର ଭରତପୁର ଥାନାରେ ଏ ନେଇ ଏକ ଲିଖିତ ଅଭିଯୋଗ ହୋଇଥିବା କୁହାଯାଉଛି । ତେବେ ପୋଲିସ ହାତବାନ୍ଧି ବସିଛି ବୋଲି କହିଛନ୍ତି ଠକାମୀରେ ପଡିଥିବା ଯୁବକ ଯୁବତୀ । ସବୁଠାରୁ ବଡ କଥା ହେଉଛି ଏହି ‘ଧର୍ମା’ ଏନଜିଓର ଏମଡି ବୋଲାଉଥିବା କମଳ ନାୟକ ଏବେ କେଉଁଠି? ପ୍ରଶ୍ନ ଉଠୁଛି, ରାଜ୍ୟରେ ଏତେ ବଡ଼ ସ୍କାମ୍ ଚାଲିଥିବା ବେଳେ କେମିତି ଟେର ପାଇଲା ନାହିଁ ପୁଲିସ କି ପ୍ରଶାସନ? ଏହି ସଂସ୍ଥା ପଛରେ କିଛି ବଡ଼ବଡ଼ିଆଙ୍କ ହାତ ଅଛି କି ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe