କନକ ବ୍ୟୁରୋ : ଚାକିରି କରାଇ ଦେବା ନାଁରେ ରେଳ କର୍ମଚାରୀଙ୍କ ଠକେଇ ଅଭିଯୋଗ । ୪ରୁ ୫ଲକ୍ଷ ଟଙ୍କାରେ ରେଳ ବିଭାଗରେ ଚାକିରି କରାଇ ଦେବାକୁ କହି ଶତାଧିକ ଛାତ୍ରଙ୍କୁ ଠକିଛନ୍ତି ରେଳ ବିଭାଗର କର୍ମଚାରୀ ଓ ତାଙ୍କ ଭାଇ । ବାଲେଶ୍ୱରର ଜଳେଶ୍ୱର ଥାନା ଲାଙ୍ଗୁଡସାହି ଗାଁର ଧ୍ରୁବ ଚରଣ ଜେନା ଦକ୍ଷିଣ ପୂର୍ବ ରେଳ ବିଭାଗରେ ଚାକିରି କରନ୍ତି ।
ଏହାର ଫାଇଦା ନେଇ ନିଜ ସାନଭାଇ ପ୍ରଶାନ୍ତ ଜେନାଙ୍କ ସହଯୋଗରେ ଶିକ୍ଷୀତ ଯୁବକ ଯୁବତୀଙ୍କୁ ଟାର୍ଗେଟ କରି ଚାକିରି କରାଇ ଦେବାର ଲୋଭ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି । ପ୍ରଥମେ ଭାରତୀୟ ରେଳ ମାଲ ଗୋଦାମ ସଂଘର ସଦସ୍ୟ ହେବା ପରେ ହିଁ ନିଯୁକ୍ତି ମିଳିବ ବୋଲି କହି ଶତାଧିକ ଆଶାୟୀଙ୍କୁ ଠକିଛନ୍ତି । ଏପରିକି ଛାତ୍ର ପିଛା ଅଗ୍ରୀମ ୧ରୁ ୨ଲକ୍ଷ ଟଙ୍କା ହାତେଇବା ପରେ ଧରାଛୁଆଁ ଦେଉନାହାନ୍ତି ଧ୍ରୁବଚରଣ ଜେନା ଓ ପ୍ରଶାନ୍ତ ଜେନା ।
ଏପରିକି ବିଶ୍ୱାସ ଜନ୍ମାଇବା ପାଇଁ ରେଳ ମାଲ ଗୋଦାମ ସଂଘର ନକଲି ପରିଚୟ ପତ୍ର ଦେଇ ଆଦାୟ କରିଛନ୍ତି ଲକ୍ଷାଧିକ ଟଙ୍କା । ଚେକ୍ ଓ ଫୋନ୍ ପେ’ ମାଧ୍ୟମରେ ଧ୍ରୁବ ଓ ପ୍ରଶାନ୍ତ ଆଶାୟୀଙ୍କ ଠାକୁ ଟଙ୍କା ନେଇଛନ୍ତି । ବାଲେଶ୍ୱର ବାଳିଆପାଳ, ଜଳେଶ୍ୱର, ବସ୍ତା ଓ ମୟୁରଭଂଜ ଅଂଚଳର ବହୁ ଛାତ୍ର ଠକାମିର ଶିକାର ହୋଇଛନ୍ତି । ଜଳେଶ୍ୱର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି ଛାତ୍ର ଓ ଅଭିଭାବକ । ଅଭିଯୋଗ ପରେ ଠକ ରେଳ କର୍ମଚାରୀ ଧ୍ରୁବ ଓ ପ୍ରଶାନ୍ତଙ୍କୁ ଖୋଜୁଛି ପୋଲିସ ।