ମମତା ମାରିଲେ ସୋଲେ ଡାଏଲଗ : କହିଲେ, ଯୋ ଡର ତା ହୈ, ୱ ମରତା ହୈ; କେନ୍ଦ୍ର ବିରୋଧରେ ଏକାଠି ହେବାକୁ ମୁଖ୍ୟମନ୍ତ୍ରୀମାନଙ୍କୁ ଆହ୍ୱାନ 

423

କନକ ବ୍ୟୁରୋ : ଜୋ ଡର ଗୟା, ୱ ମର ଗୟା । ୭୦ ଦଶକରେ ବ୍ଲକବଷ୍ଟର ମୁଭି ‘ସୋଲେ’ର ଏହି ଡାଏଲଗ ଖୁବ ଚର୍ଚ୍ଚିତ । ହେଲେ ରାଜନୈତିକ ଟିକା ଟିପ୍ପଣୀରେ ‘ସୋଲେ’ ଫିଲ୍ମ ଡାଏଲଗର ପ୍ରୟୋଗ ନିଶ୍ଚୟ ନୂଆ । ମୋଦୀଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଥିବା ମମତା ବାନାର୍ଜୀଙ୍କ ମୁହଁରୁ ଶୁଣିବାକୁ ମିଳିଛି ଏହି ପପୁଲାର ଡାଏଲଗ ।

ମମତା କହିଛନ୍ତି- ଜୋ ଡରତା ହେ, ୱ ମରତା ହେ । ଜୋ ଲଢତା ହେ ୱ ଜିତତା ହେ । ତେଣୁ ସେ ଲଢେଇ କରିବେ । ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷତିର ସମୀକ୍ଷା କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ଯାଇଥିଲେ । ମୋଦିଙ୍କ ବୈଠକକୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ ବିଳମ୍ବରେ ଆସିଲେ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବ । ତେଣୁ ଦିଲ୍ଲୀ ଫେରିଯିବା ପରେ ମୁଖ୍ୟ ଶାସନ ସଚିବ ଆଲାପନ ବନ୍ଦୋପାଧ୍ୟାୟଙ୍କୁ ଦିଲ୍ଲୀ ବଦଳି ପାଇଁ ନିର୍ଦ୍ଦେଶନାମା ଜାରି ହେଲା । କିନ୍ତୁ ଦିଲ୍ଲୀର ନିର୍ଦ୍ଦେଶକୁ ଗ୍ରହଣ କରିନାହାନ୍ତି ପଶ୍ଚିମବଙ୍ଗ ମୁଖ୍ୟ ସଚିବ । ରାଜ୍ୟ ସରକାର ମଧ୍ୟ କେନ୍ଦ୍ରର ନିର୍ଦ୍ଦେଶକୁ ମାନିନାହାନ୍ତି ।

ଗତକାଲି ମୁଖ୍ୟ ଶାସନ ସଚିବ ଭାବେ ଆଲାପନ ବନ୍ଦୋପାଧ୍ୟାୟ ଅବସର ନେଇଥିବାବେଳେ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ଆଗାମୀ ୩ ବର୍ଷ ପାଇଁ ପୁଣି ନିଯୁକ୍ତି ଦେଇଛନ୍ତି ମମତା ବାନାର୍ଜୀ । ଏଥିସହ ତାଙ୍କ ବଦଳି ନିର୍ଦ୍ଦେଶକୁ ରାଜନୈତିକ ଆକ୍ରୋଶମୂଳକ ବୋଲି ଅଭିଯୋଗ କରିଛନ୍ତି ଦିଦି । ନିଷ୍ପତି ଏକପାଖିଆ ଏବଂ ଦେଶର ସଂଘୀୟ ବ୍ୟବସ୍ଥା ପ୍ରତି ବିପଦ ବୋଲି କହି କେନ୍ଦ୍ର ବିରୋଧରେ ଏକାଠି ହେବାକୁ ସେ ସମସ୍ତ ରାଜ୍ୟ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବମାନଙ୍କୁ ଆହ୍ୱାନ ଦେଇଛନ୍ତି ।