କନକ ବ୍ୟୁରୋ: ଦିଲ୍ଲୀ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଂଚ । ସେପଟେ ଦିଲ୍ଲୀ ପୋଲିସ ଏହି ଘଟଣାର ଦାଏର କରିଛି ଏତଲା । ଘଟଣାର ତଦନ୍ତ ଆରମ୍ଭ କରି ଦିଲ୍ଲୀ ପୋଲିସ ଛାତ୍ରଛାତ୍ରୀଙ୍କୁ ମାଡ ମାରିଥିବା କିଛି ମୁଖାଧାରୀଙ୍କୁ ଚିହ୍ନଟ କରିଥିବା କୁହାଯାଉଛି । ଜେଏନୟୁ ବାହାରେ ୧୪୪ ଧାରା ଜାରି ହୋଇଛି । ପୁରା ଅଂଚଳ ଉପରେ ନଜର ରଖିଛି ଦିଲ୍ଲୀ ପୋଲିସ । ସେପଟେ କ୍ୟାମ୍ପସ ଛାଡୁଛନ୍ତି ଛାତ୍ରଛାତ୍ରୀ । ଏସବୁ ଭିତରେ ପ୍ରଶ୍ନ ଉଠୁଛି ଦିଲ୍ଲୀ ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ସଂଘବଦ୍ଧ ଆକ୍ରମଣ କରିଥିବା ଏହି ମୁଖା ପିନ୍ଧା ଦୁର୍ବୃତ୍ତମାନେ କିଏ । କ୍ୟାମ୍ପସରେ ପଶି ଛାତ୍ରଛାତ୍ରୀଙ୍କୁ ନିସ୍ତୁକ ମାଡ ପଛରେ ରହିଛି କାହାର ହାତ । ତଦନ୍ତ ପରେ ଏହା ସ୍ପଷ୍ଟ ହୋଇଯିବ ।

Advertisment

ଏହି ସଂଘବଦ୍ଧ ଆକ୍ରମଣରେ ୨୫ରୁ ଅଧିକ ଛାତ୍ରଛାତ୍ରୀ ଓ ଅଧ୍ୟାପକଙ୍କୁ ଆହତ ହୋଇ ଏମ୍ସରେ ଭର୍ତି ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ଅଛନ୍ତି ଛାତ୍ର ସଂସଦ ସଭାପତି ଐଶୀ ଘୋଷ । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଆକ୍ରମଣ ପାଇଁ ଛାତ୍ର ସଂସଦ ଏବିଭିପିକୁ ଦାୟୀ କରିଛି । ଅନ୍ୟପକ୍ଷରେ ବାମପନ୍ଥୀ ଛାତ୍ରଙ୍କୁ ଦାୟୀ କରିଛି ଏବିଭିପି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁସାରେ ପଶ୍ଚିମ ଗେଟ ଦେଇ ୫୦ରୁ ଅଧିକ ମୁଖାପିନ୍ଧା ଦୁବୃର୍ତ କ୍ୟାମ୍ପସ ମଧ୍ୟକୁ ପଶି ଏହି ଆକ୍ରମଣ କରିଥିଲେ । ସଂଯୁକ୍ତ ସିପି ର୍ୟାଙ୍କର ଅଧିକାରୀ ଶାଲିନି ସିଂହ ଏହି ଘଟଣାର ଯାଂଚ କରିବେ । ଦିଲ୍ଲୀ ପୋଲିସ କମିଶନରଙ୍କ ସହ ହିଂସା ପରିସ୍ଥିତି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ଆଲୋଚନା କରିଛନ୍ତି । ଗୃହ ମନ୍ତ୍ରଣାଳୟ ତରଫରୁ ଏହି ଘଟଣାର ରିପୋର୍ଟ ତଲବ କରାଯାଇଛି ।

ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ଆକ୍ରମଣକୁ ନେଇ ତେଜିଲାଣି ରାଜନୀତି । ଘଟଣାକୁ ତୀବ୍ର ନିନ୍ଦାକରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ । ସେ ପ୍ରଶ୍ନ କହିଛନ୍ତି-ଯଦି ଛାତ୍ରଛାତ୍ରୀ ୟୁନିଭର୍ସିଟି ଭିତରେ ସୁରକ୍ଷିତ ରହିବେ ନାହିଁ ତେବେ ଦେଶ କେମିତି ଉନ୍ନତି କରିବ । ତୁରନ୍ତ ଶାନ୍ତି ଫେରାଇ ଆଣିବାକୁ ସେ ଉପ-ରାଜ୍ୟପାଳଙ୍କୁ ଜଣାଇଛନ୍ତି । ଏପଟେ ରାହୁଲ ଗାନ୍ଧୀ ସିଧାସଳଖ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ଫାଶୀବାଦୀଙ୍କ ନିୟନ୍ତ୍ରଣକୁ ଦେଶ ଚାଲି ଯାଇଛି ଏବଂ ସାହାସୀ ଛାତ୍ରଛାତ୍ରୀମାନେ ଏହି ଫାଶୀବାଦୀଙ୍କୁ ସାହାସିକତାର ସହ ମୁକାବିଲା କରିଛନ୍ତି ବୋଲି ଟ୍ୱିଟରରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏମ୍ସ ପହଂଚି ଆହତ ଛାତ୍ରଛାତ୍ରୀଙ୍କୁ ଭେଟିଛନ୍ତି ପ୍ରିୟଙ୍କା ଗାନ୍ଧୀ । ଆଉ ଏହାରି ଭିତରେ ବିଜେପି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଘଟଣାକୁ ନିନ୍ଦା କରିଛି ।

ଦିଲ୍ଲୀର ଜେଏନୟୁ ହଷ୍ଟେଲ ଭିତରେ ପଶି ଛାତ୍ରଛାତ୍ରୀଙ୍କୁ ଆକ୍ରମଣ ଘଟଣା ସାମ୍ନାକୁ ଆସିବା ପରେ ତେଜିଲାଣି ବିରୋଧ । ଦେଶର ବିଭିନ୍ନ ସ୍ଥାନରୁ ସାମ୍ନାକୁ ଆସିଛି ଛାତ୍ରଛାତ୍ରୀଙ୍କ ବିରୋଧର ଚିତ୍ର । ମୁମ୍ୱାଇରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ଗେଟ୍ ୱେ ଅଫ୍ ଇଣ୍ଡିଆ ନିକଟରେ ଏକାଠି ହୋଇ ଏପରି ଆକ୍ରମଣକୁ ପ୍ରତିବାଦ କରିଛନ୍ତି । ସେହିପରି ତାଜହୋଟେଲ ଆଗରେ ମଧ୍ୟ ଛାତ୍ରଛାତ୍ରୀ କରିଛନ୍ତି ପ୍ରତିବାଦ । ସମାନ ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଛି ପୁନେରେ । ହାଇଦ୍ରାବାଦରେ କଲେଜ ଛାତ୍ରଛାତ୍ରୀ ହାତରେ କ୍ୟାଣ୍ଡେଲ ଧରି ପ୍ରତିବାଦ ରାଲି କରିଛନ୍ତି । ଦିଲ୍ଲୀ ଜେଏନୟୁରେ ଛାତ୍ରଛାତ୍ରୀଙ୍କ ଉପରେ ମୁଖାପିନ୍ଧା ଦୁର୍ବୃତଙ୍କ ଆକ୍ରମଣକୁ ବିରୋଧ କରି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ସମାନ ବିରୋଧ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଭୟରେ ଛାତ୍ରଛାତ୍ରୀ ଜେଏନୟୁ କ୍ୟାମ୍ପସ ଛାଡୁଥିବା ଖବର ଆସିଛି ।