ଜେଏନୟୁ ହିଂସା ପଛରେ ହିନ୍ଦୁ ରକ୍ଷା ଦଳ । ସ୍ୱୀକାର କଲେ ସଭାପତି ପିଙ୍କି ଚୌଧୁରୀ, କହିଲେ ବିରୋଧୀଙ୍କ ଆଡ୍ଡା ସ୍ଥଳରେ ପରିଣତ ହୋଇଥିଲା ଜେଏନୟୁ

ସେପଟେ ଛାତ୍ର ସଂଘ ସଭାପତି ଆୟଶୀ ଘୋଷଙ୍କ ସହ ୧୯ ଜଣଙ୍କ ନାଁରେ ମାମଲା ରୁଜୁ

301

କନକ ବ୍ୟୁରୋ: ଜେଏନୟୁ ହିଂସାକାଣ୍ଡ ପାଇଁ ନିଜକୁ ଦାୟୀ କଲା ହିନ୍ଦୁ ରକ୍ଷା ଦଳ । ହିନ୍ଦୁ ରକ୍ଷା ଦଳ ସଭାପତି ପିଙ୍କୁ ଚୌଧୁରୀ ଏନେଇ ସ୍ୱୀକାର କରିଛନ୍ତି । କହିଛନ୍ତି, ବିରୋଧୀଙ୍କ ଆଡା ସ୍ଥଳରେ ପରିଣତ ହୋଇଥିଲା ଜେଏନୟୁ । ସେପଟେ ଛାତ୍ର ସଂଘ ସଭାପତି ଆୟଶୀ ଘୋଷଙ୍କ ସହିତ ମୋଟ୍ ୧୯ ଜଣଙ୍କ ନାଁରେ ମାମଲା ରୁଜ୍ଜୁ । ଜେଏନୟୁ ପ୍ରଶାସନର ଅଭିଯୋଗ ପରେ ଆୟଶୀଙ୍କ ନାଁରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଆଇପିସି ଧାରା ୩୨୩, ୩୪୧ ଏବଂ ୫୦୬ ଦଫା ଲାଗିଛି ।

ଆୟଶୀଙ୍କ ନାଁରେ ଆସିଛି ସର୍ବର ରୁମରେ ଭଂଗାରୁଜା ଓ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣର ଅଭିଯୋଗ । ଜାନୁଆରୀ ୪ ତାରିଖରେ ସର୍ବର ରୁମରେ ଭଂଗାରୁଜା ସହିତ ପୋଲିସ କର୍ମୀଙ୍କ ଉପରେ ଆକ୍ରମଣ ହୋଇଥିଲା । ଜେଏନୟୁ ପ୍ରଶାସନ ଜାନୁଆରୀ ୪ ତାରିଖରେ ଏନେଇ ପୋଲିସରେ ଏତଲା କରିଥିଲେ । ଏହାକୁ ଆଧାର କରି ଜାନୁଆରୀ ୫ ତାରିଖରେ ଦାଏର ହୋଇଥିଲା ଏତଲା । ଜାନୁଆରୀ ୪ ତାରିଖରେ ସର୍ବର ରୁମରେ ଜେଏନୟୁ ଛାତ୍ର ସଂଘ ସଭାପତି ଆୟଶୀ ଘୋଷ ଓ ତାଙ୍କ ସାଥୀ ପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ସହ ମୁହାଁମୁହିଁ ହୋଇଥିଲେ । ଏହା ପରେ ଘଟିଥିଲା ଏହି କାଣ୍ଡ ପୋଲିସ ତଦନ୍ତରୁ ସାମ୍ନାକୁ ଆସିଛି ।

ଜେଏନୟୁ ହିଂସାକାଣ୍ଡ ଘଟଣାରେ ସାମ୍ନାକୁ ଆସୁଛି ନୂଆ ତଥ୍ୟ । ହିଂସାକାଣ୍ଡ ଘଟଣାରେ ବ୍ୟବହାର ହୋଇଥିଲା କୋଡ୍ ୱାର୍ଡ । ହିଂସାକାଣ୍ଡ ହେବା ଆଗରୁ ମୁଖାପିନ୍ଧା ଦୁବୃର୍ତମାନେ ପରଷ୍ପର ମଧ୍ୟରେ କୋଡ୍ ୱାର୍ଡରେ କଥାବାର୍ତା କରୁଥିଲେ । ଏବେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସୁଛି । ପୋଲିସ ଗତକାଲିଠାରୁ ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ବର୍ତମାନ ସୁଦ୍ଧା କାହାକୁ ଗିରଫ କରିନାହିଁ । ସେପଟେ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଖାଲି ଭାରତ କାହିଁକି, ଲଣ୍ଡନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ମଧ୍ୟରେ ହିଂସାକାଣ୍ଡ ବିରୋଧରେ ବାହାରିଛି ଶୋଭାଯାତ୍ରା । ଜେଏନୟୁରେ ମଧ୍ୟ ଉତେଜନା ଲାଗି ରହିଛି । ଅପ୍ରିତିକର ପରିସ୍ଥିତିର ମୁକାବିଲା ପାଇଁ ବିଶ୍ୱବିଦ୍ୟାଳୟ ପରିସରରେ ଏବଂ ବାହାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି ।

ହିଂସାକାଣ୍ଡ ପାଇଁ ଜେଏନୟୁ ଛାତ୍ର ସଂଘ ଏବଂ ଏବିଭିପି ପରସ୍ପରକୁ ଦୋଷାରପ କରୁଥିବା ବେଳେ ବର୍ତମାନ ସୁଦ୍ଧା କେହି ଗିରଫ ହୋଇନାହାନ୍ତି । ତେବେ ପୋଲିସର କହିବା ହେଲା, ଆକ୍ରମଣକାରୀକୁ ଚିହ୍ନଟ କରାଯାଇଛି ଏବଂ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । ସେପଟେ ଗତକାଲି ରାତିରେ ଇଣ୍ଡିଆନ ୟୁଥ କଂଗ୍ରେସ ପକ୍ଷରୁ ଟର୍ଚ୍ଚଲାଇଟ ମାର୍ଚ୍ଚ କରାଯାଇଥିଲା । ଯେଉଁଥିରେ ହଜାର ହଜାର ସଂଖ୍ୟାରେ କର୍ମୀ ଭାଗ ନେଇଥିଲେ । ଦିଲ୍ଲୀ କଂଗ୍ରେସ ସଭାପତି ସୁବାସ ଚୋପ୍ରା କହିଛନ୍ତି, ଏହି ଆକ୍ରମଣ ପାଇଁ ଗୃହମନ୍ତ୍ରୀ ଅମିତ ଶାହା ଇସ୍ତଫା ଦେବା ଦରକାର । ହିଂସାକାଣ୍ଡକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛି ବଲିଉଡ । ଅନୁରାଗ କସ୍ୟପ, ଅନୁଭବ ସିହ୍ନା, ତାପସି ପନୁ, ଜୋୟା ଅଖତର, ଦିୟା ମିର୍ଜା, ରାହୁଲ ବୋଷ ପ୍ରମୁଖ କାର୍ଟର ରୋଡରେ ବିରୋଧ ପ୍ରଦର୍ଶନ କରିଥିଲେ । ସେପଟେ ତୃଣମୂଳ କଂଗ୍ରେସର କିଛି ସାଂସଦ ଜେଏନୟୁ ଆସିଥିଲେ ମଧ୍ୟ ସେମାନଙ୍କୁ ଭିତରେ ପ୍ରବେଶ ଅନୁମତି ମିଳିନଥିଲା ।