କନକ ବ୍ୟୁରୋ : ଦୀର୍ଘ ୪ ବର୍ଷର ଅପେକ୍ଷା ପରେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ରସଂଘ ନିର୍ବାଚନ । ଜେଏନୟୁ ଅଧିକାରୀଙ୍କ ତରଫରୁ ଏନେଇ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ବିଭିନ୍ନ ଛାତ୍ର ସଂଗଠନ ନିର୍ବାଚନ କରାଇିବା ନେଇ ବାରମ୍ବାର ବିରୋଧ ପ୍ରଦର୍ଶନ କରିବା ପରେ ପ୍ରଶାସନ ତରଫରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ଶେଷଥର ପାଇଁ ୨୦୧୯ ମସିହାରେ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ ହୋଇଥିଲା ।

Advertisment

ଜେଏନୟୁରେ ଛାତ୍ରସଂଘ ନିର୍ବାଚନ କରିବାକୁ ଛାତ୍ର ସଂଗଠନମାନେ ବାରମ୍ବାର ଦାବି କରିବା ସହ ବିରୋଧ ପ୍ରଦର୍ଶନ କରୁଥିଲେ । ଏହାସହ ଫେବୃଆରୀ ୨ ତାରିଖ ସୁଦ୍ଧା ନିର୍ବାଚନ ନେଇ ନିଷ୍ପତ୍ତି ନିଆ ନ ଗଲେ ଅସହଯୋଗ ଆନ୍ଦୋଳନ କରିବାକୁ ଛାତ୍ରସଂଘ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଥିଲା ।

ଛାତ୍ରମାନଙ୍କର ଚେତାବନୀ ପରେ ପ୍ରଶାସନ ତରଫରୁ ନିର୍ବାଚନ କରିବା ନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଉଲ୍ଲେଖ ରହିଛି କି, ପିଏଚଡି ଛାତ୍ରଙ୍କ ସେଶନ ଆରମ୍ଭ ହେବାର ୬ ରୁ ୮ ସପ୍ତାହ ପରେ ନିର୍ବାଚନ କରାଯିବ । ଏହାସହ ନିର୍ବାଚନ ନେଇ ବିସ୍ତୃତ ଗାଇଡଲାଇନ ଡିନଙ୍କ କାର୍ଯ୍ୟାଳୟ ତରଫରୁ ଜାରି କରାଯିବ ।

ସୂଚନା ଥାଉ କି, ଏହା ପୂର୍ବରୁ ଜେଏନୟୁରେ ଛାତ୍ରସଂଘ ନିର୍ବାଚନ କରାଯିବ ନାହିଁ ବୋଲି କହି ପ୍ରଶାସନ ଦୃଢ ନିଷ୍ପତ୍ତି ନେଇଥିଲା । ଏହି କ୍ରମରେ ଛାତ୍ର ସଂଗଠନ ତରଫରୁ ଏକ ବୟାନ ଜାରି କରି କୁହାଯାଇଥିଲା କି, ଯଦି ଫେବୃଆରୀ ୨ ତାରିଖ ସୁଦ୍ଧା ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରା ନ ଯାଏ ତେବେ ଛାତ୍ର ସଂଗଠନଗୁଡିକ ପକ୍ଷରୁ ବଡ ପ୍ରଦର୍ଶନ କରାଯିବ ।