ବିଜୟର ବ୍ୟବଧାନ ମାତ୍ର ୨୨ ଖଣ୍ଡ ଭୋଟ । ଜାଣନ୍ତୁ କିଏ ଏହି ଜିଲ୍ଲା ପରିଷଦ ପ୍ରାର୍ଥୀ ଯିଏ ୨୨ ଖଣ୍ଡ ଭୋଟରେ ମାରିଲେ ବାଜି? ବିଜେଡି କହିଲା ମୃତକଙ୍କ ନାଁରେ ପଡିଛି ଭୋଟ, ଆଉ ଥରେ ହେଉ ଗଣତି ।

2,747

କନକ ବ୍ୟୁରୋ : କୁହାଯାଏ ନିର୍ବାଚନରେ ପ୍ରତିଟି ଭୋଟ ପ୍ରାର୍ଥୀଙ୍କ ପାଇଁ ବେଶ ମୂଲ୍ୟବାନ । ସେଥିପାଇଁ ତ ଖଣ୍ଡିଏ ଭୋଟ ହାତେଇବା ପାଇଁ ଜି ଜାନ୍ ଲଗାଇ ଦେଇଥାନ୍ତି ଉଭୟ ଦଳ ଓ ପ୍ରାର୍ଥୀ । କାରଣ ଖଣ୍ଡିଏ ଖଣ୍ଡିଏ ଭୋଟ ହିଁ ବିଜୟ-ପରାଜୟର ସାପ-ସିଡି ଖେଳରେ ଅଧିକ ରୋମାଞ୍ଚ ଭରିଥାଏ । ଠିକ୍ ଯେମିତି ଚଳିତ ପଞ୍ଚାୟତ ନିର୍ବାଚନରେ ଦେଖିବାକୁ ମିଳିଛି । ପ୍ରଥମ ଦିନର ଗଣତି ଶେଷ ସୁଦ୍ଧା ଜିଲ୍ଲା ପରିଷଦ ଆସନରେ ବିଜେଡି ବୃହତ ବିଜୟ ହାସଲ କରିଛି । ଦ୍ୱିତୀୟ ଦିନରେ ବି ଦଳ ଦମଦାର ପ୍ରଦର୍ଶନ କରିଛି । ଏହାସତ୍ତେ୍ୱ ମଧ୍ୟ କିଛି ଏମିତି ଆସନ ରହିଛି ଯେଉଁଠି ବିଜେଡି ହାତରୁ ଅଳ୍ପକେ ବିଜୟ ହାତଛଡା ହୋଇଛି । ୩ଟି ଆସନ ଏମିତି ରହିଛି ଯେଉଁଠି ବିଜେଡି ୧୦୦ରୁ କମ ଭୋଟରେ ପରାଜିତ ହୋଇଛି । ଆଉ ଏହି ୩ ଆସନରୁ ସବୁଠୁ କମ ୨୨ ଖଣ୍ଡ ଭୋଟରେ ମଧ୍ୟ ବିଜେଡି ପ୍ରାର୍ଥୀ ପରାଜିତ ହୋଇଛନ୍ତି । ଆଉ ବିଜେଡିକୁ ଏହି ଝଟକା ଦେଇଛି ଜେଏମଏମ ।

ମୟୂରଭଞ୍ଜ ଜିଲ୍ଲା ୩୩ ନମ୍ବର ଜୋନ ବିଷୋୟୀ-କରେ ଏଭଳି ଏକ ହାଇଭୋଲଟେଜ ଲଢେଇ ଦେଖିବାକୁ ମିଳିଥିଲା । ଜେଏମଏମ ପକ୍ଷରୁ ମୈଦାନକୁ ଓହ୍ଲାଇଥିଲେ ସୀତଲ କିସକୁ ଓ ବିଜେଡି ପକ୍ଷରୁ ମୈଦାନରେ ଥିଲେ ଶୋଭାରାମ ଶ୍ୟାମ ମୁର୍ମୁ । ଉଭୟଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଥିଲା । ଚଳିତ ନିର୍ବାଚନରେ ମୟୂରଭଞ୍ଜରେ ବିଜେଡି ଭଲ ପ୍ରଦର୍ଶନ କରିଥିଲେ ମଧ୍ୟ ୩୩ ନମ୍ବର ଜୋନରେ ବିରୋଧୀ କଂଗ୍ରେସ କି ବିଜେପି ନୁହେଁ ବରଂ ବିଜେଡି ପ୍ରାର୍ଥୀଙ୍କୁ କଡା ଟକ୍କର ଦେଇଥିଲେ ଜେଏମଏମ ପ୍ରାର୍ଥୀ ସୀତଲ । ଆଉ ଏହା ପଛର ସବୁଠୁ ବଡ କାରଣ ହେଲା ମୟୂରଭଞ୍ଜରେ ଜେଏମଏମର ଥିବା ଭୋଟବ୍ୟାଙ୍କ । ଯେଉଁଠି ବିରୋଧୀ ମୟୂରଭଞ୍ଜରେ ବିଜେଡିକୁ ସାମ୍ନା କରିପାରୁନାହାନ୍ତି ସେଠାରେ ଜେଏମଏମ ବିଜେଡି ହାତରୁ ବିଜୟ ଛଡାଇ ନେଇଛି । ଆଉ ଏହି ବିଜୟର ବ୍ୟବଧାନ ଥିଲା ମାତ୍ର ୨୨ ଖଣ୍ଡ ଭୋଟ ।

ଜେଏମଏମ ପ୍ରାର୍ଥୀ ସୀତଲ କିସକୁ ୫୭୬୮ ଖଣ୍ଡ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଭାବେ ବିଜେଡି ପ୍ରାର୍ଥୀ ଶୋଭାରାମ ଶ୍ୟାମ ମୁର୍ମୁ ୫୭୪୬ ଖଣ୍ଡ ଭୋଟ ପାଇଥିଲେ । ଆଉ ଏହାସହ ବିଜେଡି ପ୍ରାର୍ଥୀ ଓ ବିଜୟ ମଧ୍ୟରେ ୨୨ ଖଣ୍ଡ ଭୋଟର ବ୍ୟବଧାନ ରହିଥିଲା । ଭୋଟ ଗଣତିର ଶେଷ ପର୍ଯ୍ୟନ୍ତ ଏହି ଜୋନ ଉପରେ ଉଭୟ ବିଜେଡି ଓ ଜେଏମଏମର ନଜର ରହିଥିଲା । କିନ୍ତୁ ଶେଷରେ ଜେଏଏମଏମ ପ୍ରାର୍ଥୀ ବାଜି ମାରି ନେଇଥିଲେ । ଅନ୍ୟପଟେ ଏହି ଜୋନରେ ହୋଇଥିବା ଭୋଟଗ୍ରହଣରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ସାଂସଦ ସସ୍ମିତ ପାତ୍ରଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ କମିଶନଙ୍କୁ ଭେଟିଛି ବିଜେଡିର ପ୍ରତିନିଧି ଦଳ । ମୟୂରଭଞ୍ଜର ୩୩ ନମ୍ବର ଜୋନରେ କିଛି ମୃତକଙ୍କ ନାଁରେ ଭୋଟ ପଡିଥିବା କହିଛି ବିଜେଡି । ତେଣୁ ଏହି ଜୋନରେ ପୁର୍ନବାର ରି-କାଉଣ୍ଟିଂ କରିବାକୁ ଦାବି କରିଛି ବିଜେଡି ।