ଜାମ୍ମୁ-କାଶ୍ମୀର ନେଇ ପ୍ରଧାନମନ୍ତ୍ରୀଙ୍କ ବଡ ବୈଠକ : ନିର୍ବାଚନ ନେଇ ସଙ୍କେତ ଦେଲେ ମୋଦି, ଟ୍ୱିଟ କରି କହିଲେ; ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ କରାଯିବ ମଜଭୁତ

106

କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ଖୁବଶୀଘ୍ର ନିର୍ବାଚନ କରିବାକୁ ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାମ୍ମୁ-କାଶ୍ମୀରର ବିଭିନ୍ନ ଦଳର ନେତାଙ୍କ ସହ ଆଲୋଚନା ପରେ ଟ୍ୱିଟ କରି ଏଭଳି ସଙ୍କେତ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ କରି ସେ କହିଛନ୍ତି, ତୃଣମୂଳ ସ୍ତରରୁ ଗଣତନ୍ତ୍ରକୁ କରାଯିବ ମଜଭୁତ, ଖୁବଶୀଘ୍ର ଆରମ୍ଭ ହେବ ସୀମା-ପୁନଃନିର୍ଦ୍ଧାରଣ ।  ଦିଲ୍ଲୀରେ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକ ପ୍ରାୟ ସାଢେ ୩ ଘଂଟା ଧରି ଚାଲିଥିଲା । ବୈଠକ ପରେ ବରିଷ୍ଠ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଆଗରେ ୫ ବଡ ଦାବି ରଖାଯାଇଛି ।

ଜାମ୍ମୁ-କାଶ୍ମୀରକୁ ରାଜ୍ୟର ମାନ୍ୟତା ଦେବାକୁ ଦାବି କରାଯିବା ସହ ତୁରନ୍ତ ନିର୍ବାଚନ କରିବାକୁ ଦାବି କରାଯାଇଛି । ବର୍ତମାନର ସମୟ ଜାମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ମାନ୍ୟତା ଦେବାର ପ୍ରକୃଷ୍ଟ ସମୟ ବୋଲି ଗୁଲାମ ନବୀ ଆଜାଦ କହିଛନ୍ତି । ବୈଠକରେ ସବୁ ଦଳ ତୁରନ୍ତ ନିର୍ବାଚନ କରିବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ କହିଥିଲେ ,ଜାମ୍ମୁ-କାଶ୍ମୀରରେ ଗଣତାନ୍ତ୍ରିକ ପ୍ରକ୍ରିୟା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୃତିବଦ୍ଧ ଅଛନ୍ତି । ଜାମ୍ମୁ-କାଶ୍ମୀର ୮ଟି ରାଜନୈତିକ ଦଳର ୧୪ ଜଣ ତୁଙ୍ଗ ନେତା ଏହି ବୈଠକରେ ଭାଗ ନେଇଥିଲେ । ୨୦୧୮ରେ ମେହବୁବା ମୁଫତି ଓ ବିଜେପି ସରକାର ଭାଙ୍ଗିବା ପରେ ସେବେଠାରୁ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ଏହା ପରେ ୨୦୧୯ ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଧାରା ୩୭୦ ଅନ୍ତର୍ଗତ ସ୍ୱତନ୍ତ୍ର ପାହ୍ୟା ହଟାଇ ଦୁଇଟି କେନ୍ଦ୍ରଶାସିତ ଅଂଚଳରେ ବିଭକ୍ତ କରିଥିଲେ ।

ପ୍ରତିବାଦକୁ ପ୍ରଶମିତ କରିବା ପାଇଁ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହବୁବା ମୁଫତିଙ୍କ ଭଳି ଅନେକ ତୁଙ୍ଗ ନେତାଙ୍କୁ ଗୃହବନ୍ଦୀ କରାଯାଇଥିଲା । ତେଣୁ ରାଜନୈତିକ ପ୍ରକ୍ରିୟା ଏକପ୍ରକାର ବନ୍ଦ ହୋଇଯାଇଥିଲା । ବୈଠକରେ ୪ ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା, ଗୁଲାମ ନବୀ ଆଜାଦ ଓ ମେହବୁବା ମୁଫତିଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ଜାମ୍ମୁ-କାଶ୍ମୀର ଉପରାଜ୍ୟପାଳ ସାମିଲ ହୋଇଥିଲେ ।