ପୁଣି ଭାରତ ପାକିସ୍ତାନ ସୀମା ନିକଟରେ ଠାବ ହେଲା ଗୁପ୍ତ ସୁଡଙ୍ଗ : ୧୫୦ମିଟର ଲମ୍ବା ଟନେଲ ଠାବ; ଏଇ ସୁଡଙ୍ଗ ଦେଇ ଆସୁଥିଲେ ଆତଙ୍କବାଦୀ

113

କନକ ବ୍ୟୁରୋ : ଭାରତ ପାକିସ୍ତାନ ସୀମାରେ ପୁଣି ଠାବ ହେଲା ସୁଡଙ୍ଗ । ୧୦ଦିନରୁ ମଧ୍ୟ କମ୍ ବ୍ୟବଧାନରେ ସୁରକ୍ଷାକର୍ମୀଙ୍କୁ ପୁଣି ଏକ ଭୂତଳ ସୁଡଙ୍ଗ ମିଳିଛି । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲା ଅନ୍ତର୍ଗତ ଅର୍ନ୍ତଜାତୀୟ ସୀମା ନିକଟରୁ ୧୫୦ମିଟର ଲମ୍ବା ଏହି ଟନେଲ ଠାବ କରାଯାଇଛି । ବଡ କଥା ହେଉଛି ପାକିସ୍ତାନୀ ସେନା ଏହି ଟନେଲକୁ ନିର୍ମାଣ କରିଥିବା ସୂଚନା ଦେଇଛି ବିଏସଏଫ । ଭାରତକୁ ଆତଙ୍କବାଦୀ ଅନୁପ୍ରବେଶ କରାଇବା ପାଇଁ ଏପରି ଯୋଜନା କରୁଛି ପାକିସ୍ତାନ । ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାର ପାନସର ଠାରେ ଅନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏହି ଟନେଲକୁ ଠାବ କରାଯାଇଛି ।

କେଉଠିଁ ଠାବ ହେଲା ସୁଡଙ୍ଗ ?

  • କଠୁଆ ଜିଲ୍ଲାର ପାନସର ନିକଟରେ ଠାବ ହେଲା ସୁଡଙ୍ଗ
  • ବିଏସଏଫ ପୋଷ୍ଟ ନମ୍ବର ୧୪ ଓ ୧୫ ନିକଟରେ ହୋଇଛି ଠାବ
  • ଠାବ ହୋଇଛି ୩୦ଫୁଟ ଗଭୀର, ୩ଫୁଟ ଓସାର ଓ ୧୫୦ ମିଟର ଲମ୍ବ ଭୂତଳ ସୁଡଙ୍ଗ
  • ଭାରତୀୟ ତାବ ବାଡ ସେପଟେ ପାକିସ୍ତାନର ଶକରଗଡ ଜିଲ୍ଲାର ଅଭିୟଲ ଡୋଗରା ପୋଷ୍ଟ
  • ଠାବ ହୋଇଛି ୬ରୁ ୮ବର୍ଷ ପୁରୁଣା ସୁଡଙ୍ଗ
  • ୨୦୨୦ରେ ଅଂଚଳରେ ପାକିସ୍ତାନୀ ହେକ୍ସାକପ୍ଟରକୁ ଧ୍ୱସଂ କରାଯାଇଥିଲା
  • ୨୦୧୯ରେ ଏହି ଅଂଚଳରେ ଆତଙ୍କବାଦୀ ଅନୁପ୍ରବେଶ କରୁଥିଲେ

ଏହି ସୁଡଙ୍ଗ ଠାବ ହେବା ପରେ ଏବେ ସ୍ଥାନୀୟ ଅଂଚଳକୁ କର୍ଡନ କରାଯାଇଛି । ସୀମାରେ ଲଗାତର ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ସେନାର ଧ୍ୟାନ ଏଡାଇ ଏପରି ସୁଡଙ୍ଗ ଦ୍ୱାରା ଆତଙ୍କବାଦୀ ଅନୁପ୍ରବେଶ କରାଇଥାଏ ପାକିସ୍ତାନ । ଏହା ପାକିସ୍ତାନର ପୁରୁଣା ଷଡଯନ୍ତ୍ର । ଗତ ୧୩ତାରିଖରେ ମଧ୍ୟ ଜମ୍ମୁକଶ୍ମୀରର କଠୁଆ ଜିଲ୍ଲାର ବୋବିଆଁ ଗାଁରେ ଅର୍ନ୍ତରାଷ୍ଟ୍ରୀୟ ସୀମାର ନିକଟରେ ଏକ ଟନେଲକୁ ଠାବ କରାଯାଇଥିଲା । ଜିରୋ ଲାଇନର ୩୦୦ ଫୁଟ ଦୂରରେ ଭାରତୀୟ ତାର ବାଡ ଠାରୁ ୬୫ଫୁଟ ଦୂରରେ ଠାବ ହୋଇଥିଲା ସୁଡଙ୍ଗ । ୨୫ରୁ ୩୦ଫୁଟ ଗଭୀରରେ ୩ଫୁଟ ଓସାର ବିିଶିଷ୍ଟ ଏହି ସୁଡଙ୍ଗ ଦ୍ୱାରା ଅନୁପ୍ରବେଶ ଚାଲିଥିଲା ।

ବିଏସଏଫର ସ୍ୱତନ୍ତ୍ର ଅଭିଯାନରେ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏହି ସୁଡଙ୍ଗା ଠାବ କରିଛି ଭାରତୀୟ ସେନା । ଏପରି ସୁଡଙ୍ଗ ଦ୍ୱାରା ଭାରତ ଭିତରକୁ ଆତଙ୍କବାଦୀଙ୍କ ଅନୁପ୍ରବେଶ କରିଥାନ୍ତି । ଏହା ପୂର୍ବରୁ ଗତ ବର୍ଷ ନଭେମ୍ବର ମାସରେ ଏପରି ଏକ ଗୁପ୍ତ ସୁଡଙ୍ଗକୁ ଖୋଜି ବାହାର କରିଥିଲେ ଭାରତୀୟ ସୁରକ୍ଷା କର୍ମୀ । ଜମ୍ମୁର ସାମ୍ବା ଜିଲ୍ଲାରେ ଏହି ସୁଡଙ୍ଗ ଠାବ କରାଯାଇଥିଲା । ଏହି ସୁଡଙ୍ଗ ଜରିଆରେ ଜୈଶ-ଏ-ମହମ୍ମଦର ଆତଙ୍କବାଦୀମାନେ ଭାରତ ଭିତରକୁ ପ୍ରବେଶ କରିଥିଲେ । ତେବେ ଗତ ୬ମାସରେ ୪ଟି ସୁଡଙ୍ଗ ଠାବ କରାଯାଇଛି ।