କନକ ବ୍ୟୁରୋ : ଗତକାଲି ହରିଆଣା ବିଧାନସଭା ନିର୍ବାଚନ ନେଇ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ କମିଶନ । ହେଲେ ତାରିଖ ଘୋଷଣା ପରେ ଏବେ ଜେଜେପିରୁ ଜଣଙ୍କ ପରେ ଜଣେ ବିଧାୟକ ଇସ୍ତଫା ଦେବାରେ ଲାଗିଛନ୍ତି । ଲଗାତର ଭାବେ ଜେଜେପିରୁ ୪ ଜଣ ବିଧାୟକ ଇସ୍ତଫା ଦେଇଛନ୍ତି । ଜନନାୟକ ଜନତା ପାର୍ଟିର ଗୁହଲା ବିଧାୟକ ଇଶ୍ୱର ସିଂ ଓ ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ବବଲୀ ଆଜି ପାର୍ଟିରୁ ଇସ୍ତଫା ଦେଇଛନ୍ତି ।
ଏହା ପୂର୍ବରୁ ମଧ୍ୟ ୩ ଜଣ ବିଧାୟକ ପାର୍ଟି ଛାଡିଛନ୍ତି । ଆଜି ଇଶ୍ୱର ସିଂ ମଧ୍ୟ ତାଙ୍କ ଇସ୍ତଫା ପତ୍ର ପାର୍ଟି ମୁଖ୍ୟଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏହାସହ ପୂର୍ବ ପଞ୍ଚାୟତ ମନ୍ତ୍ରୀ ତଥା ଟେହାନା ବିଧାୟକ ଦେବେନ୍ଦର ବବଲି ମଧ୍ୟ ତାଙ୍କ ଇସ୍ତଫା ପତ୍ର ପଠାଇଛନ୍ତି । ଦଳ ପାଇଁ ଏହା ଚତୁର୍ଥ ଝଟକା ।
ଜନ ନାୟକ ଜନତା ପାର୍ଟିର ମହାସଚିବ ଦିଗବିଜୟ ସିଂ ଚୌତାଲା ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି କି, ବିଧାନସଭା ନିର୍ବାଚନ ପାଇଁ ପାର୍ଟିର ପ୍ରସ୍ତୁତି ଶେଷ ହୋଇଛି । ଦଳ ପୂର୍ଣ୍ଣ ବହୁମତ ସହ ହରିଆଣାରେ ସରକାର ଗଠନ କରିବ । ଆମେ ବିଜେପି ସହ ରାଜ୍ୟରେ ମେଣ୍ଟ ସରକାର କରି ଭଲ କାମ କରିଥିଲୁ । ହେଲେ ବିଜେପି ଆମକୁ ଧୋକ୍କା ଦେଇଛି । ଏହାସହ ବିଧାୟକଙ୍କ ଇସ୍ତଫା ନେଇ ସେ କହିଛନ୍ତି କି, କିଏ ଯିବ କିଏ ଆସିବ ତାହା ପାର୍ଟି ଉପରେ କୌଣସି ଫରକ ପକାଇବ ନାହିଁ ।