କନକ ବ୍ୟୁରୋ: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ପୂର୍ବରୁ ଆସିଛି ବଡ ଅପଡେଟ୍ । ଶେଷ ଦୁଇଟି ଟି-୨୦ ମ୍ୟାଚ୍ ପାଇଁ ଟିମ୍ ଇଣ୍ଡିଆରେ ହୋଇଛି ପରିବର୍ତ୍ତନ । ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ଜିତେଶ ଶର୍ମାଙ୍କୁ ଦଳରେ ସାମିଲ କରାଯାଇଥିବାବେଳେ, ଟିମ୍ ଇଣ୍ଡିଆରୁ ବାଦ୍ ପଡିଛନ୍ତି ସଞ୍ଜୁ ସାମସନ୍ ।

Advertisment

ମୁମ୍ବାଇରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ସଞ୍ଜୁ ସାମସନ୍ ଆହତ ହୋଇଥିଲେ । ଏକ କ୍ୟାଚ୍ ଧରିବାକୁ ଯିବା ବେଳେ, ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା । ଯେଉଁ କାରଣରୁ ସେ ପୁଣେ ଟ୍ରାଭେଲ୍ କରିନପାରିବା ସହିତ, ଶେଷ ଦୁଇଟି ଟି-୨୦ ମ୍ୟାଚରୁ ବାଦ୍ ପଡିଛନ୍ତି । ତେବେ ଆଜି ଭାରତ ଓ ଶ୍ରୀଲଙ୍କା ଭିତରେ ଦ୍ୱିତୀୟ ଟି-୨୦ ମ୍ୟାଚ୍ ଖେଳାଯିବ ।

ସଞ୍ଜୁ ସାମସନଙ୍କ ଜାଗାରେ ଟିମ୍ ଇଣ୍ଡିଆରେ ସାମିଲ ହୋଇଛନ୍ତି ୨୯ ବର୍ଷୀୟ କ୍ରିକେଟର ଜିତେଶ ଶର୍ମା । ମହାରାଷ୍ଟ୍ରରୁ ଆସୁଥିବା ଏହି ଖେଳାଳି ଜଣକ ବିଦର୍ଭ ତରଫରୁ ରଣଜୀ ମ୍ୟାଚ୍ ଖେଳନ୍ତି । ଇଣ୍ଡିଆନ୍ ପ୍ରିମିୟର ଲିଗରେ ମଧ୍ୟ ସେ ପଞ୍ଜାବ କିଙ୍ଗସ ତରଫରୁ ମ୍ୟାଚ୍ ଖେଳିବା ସହିତ ୱିକେଟ୍ କିପିଂ ମଧ୍ୟ କରିଥାନ୍ତି । ଗତ କିଛି ସମୟ ଧରି ଜିତେଶ ନିଜକୁ ଜଣେ ଫିନିସର ଭାବେ ପ୍ରସ୍ତୁତ କରିଛନ୍ତି । ତେଣୁ ଯଦି ସେ ଚୂଡାନ୍ତ ଏକାଦଶରେ ସାମିଲ ହୁଅନ୍ତି,ତେବେ ତାଙ୍କୁ ଶେଷ ଆଡକୁ ବ୍ୟାଟିଂ ସହ ଫିନିସ୍ କରିବାକୁ ସୁଯୋଗ ମିଳିପାରେ ।

ଟି-୨୦ ସିରିଜ୍ ପାଇଁ ଭାରତୀୟ ଟିମ୍: ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଇଶାନ କିଷାନ, ଋତୁରାଜ ଗାଏକ୍ୱାଡ, ଶୁଭମନ୍ ଗିଲ, ସୂର୍ଯ୍ୟକୁମାର ଯାଦବ, ଦୀପକ ହୁଡ୍ଡା,ରାହୁଲ ତ୍ରିପାଠୀ, ଜିତେଶ ଶର୍ମା, ୱାଶିଂଟନ୍ ସୁନ୍ଦର, ୟୁଜବେନ୍ଦ୍ର ଚହଲ, ଅକ୍ଷର ପଟେଲ, ଅର୍ଶଦୀପ ସିଂହ, ହର୍ଷଲ ପଟେଲ, ଉମରାନ୍ ମଲ୍ଲିକ, ଶିଭମ ମାବି, ମୁକେଶ କୁମାର ।