ମାଆ ବେକରେ ଛୁରୀ ଲଗାଇବା ପରେ ପୁଅ ଜିତେନ୍ଦ୍ରକୁ ନେଇ ଆସିଲା ଚାଞ୍ଚଲ୍ୟକର ତଥ୍ୟ । ଛୁରୀ ଧରିବା ପୂର୍ବରୁ ଜିତେନ୍ଦ୍ରଙ୍କ ମୁଣ୍ଡରେ ଲାଗିଥିଲା ଅପରାଧର କଳଙ୍କ ।

855

କନକ ବ୍ୟୁରୋ: ମାଆ ବେକରେ ଛୁରୀ ଲଗାଇଲା ପୁଅ । ବିଚ ରାସ୍ତାରେ ମାଆକୁ ମାରିଦେବାକୁ ଉଦ୍ୟମ କଲା ପୁଅ । ବିଧାନସଭା ଆଗରେ ବେଶ କିଛି ସମୟ ପାଇଁ ଚାଲିଲା ମାଆପୁଅଙ୍କ ହାଇଡ୍ରାମା । ପୁଅର ଉନ୍ମତକାଣ୍ଡ ଦେଖିବାକୁ ଅଟକି ଗଲା ଗାଡି, ଅଟକିଗଲେ ଲୋକେ । ଘଟଣା କଣ ଜାଣିବାକୁ ପହଞ୍ଚିଗଲେ ଗଣମାଧ୍ୟମ କର୍ମଚାରୀ ଆଉ ପୁଅକୁ କାବୁ କରିବାକୁ ହାଜର ହେଲା ପୋଲିସ । ଭିତରେ ବିଧାନସଭା ଚାଲିିଥିବାରୁ ବାହାରେ ଏ ବଡ ଡ୍ରାମା ସାରା ରାଜ୍ୟରେ ଚର୍ଚ୍ଚାର ପରିସରକୁ ଆସିଗଲା । ମାଆ ବେକରେ ପୁଅ କଣ ପାଇଁ ଛୁରୀ ଲଗାଇଥିଲା ? ବିଧାନସଭା ଆଗରେ ମାଆକୁ କଣ ପାଇଁ ମାରିବାକୁ ଚାହୁଁଥିଲା ? ଏସବୁର କାରଣ ସ୍ପଷ୍ଟ ହୋଇନଥିବା ବେଳେ ଘରେ ଅପରେସନ କଥା କହି ମାଆକୁ ଭୁବନେଶ୍ୱର ଆଣିଥିଲା ପୁଅ ଜିତେନ୍ଦ୍ର ।

ତେବେ ବିଧାନସଭା ଆଗରେ ଉନ୍ମତକାଣ୍ଡ ରଚିଥିବା ଯୁବକ ଜଣଙ୍କ ହେଉଛନ୍ତି ଜିତେନ୍ଦ୍ର ପାଳ । ଘର ନୟାଗଡ ଦଶପଲ୍ଲା ବ୍ଲକ କଉଦା ଗାଁରେ । ଜିତେନ୍ଦ୍ରଙ୍କ ପରିବାର କହିଲେ ବାପା, ମାଆ, ବଡ ଭଉଣୀ, ଜେଜେ ବାପା ଏବଂ ସେ । ତେବେ ସବୁଠାରୁ ବଡକଥା ହେଉଛି ଛୁରୀ ଧରିବା ପୂର୍ବରୁ ବି ଜିତେନ୍ଦ୍ରଙ୍କ ହାତରେ ଲାଗିଥିଲା ରକ୍ତର ଦାଗ । ଏହ ହତ୍ୟା ମାମଲାରେ ଜିତେନ୍ଦ୍ରଙ୍କ ସମ୍ପୃକ୍ତି ଥିଲା ।

୨୦୧୪ ମସିହା ସେପ୍ଟେମ୍ବର ୧୮ ତାରିଖରେ ଜିତେନ୍ଦ୍ରଙ୍କ ଏହି ଘରେ ହିଁ ଘଟିଥିଲା ହତ୍ୟାକାଣ୍ଡ । ୬ ବର୍ଷ ତଳେ ନିଜ ଘରେ ବାପାମାଆଙ୍କ ସହ ବୀଭତ୍ସ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ଜିତେନ୍ଦ୍ର । ତେବେ ୩୮ ବର୍ଷୀୟ ଯୁବକ ଉମାକାନ୍ତ ପ୍ରଧାନ ଜିତେନ୍ଦ୍ରଙ୍କ ମାଆଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିବା ବେଳେ ଠିକ ଏହି ସମୟରେ ନିଦରୁ ଉଠି ପଡିଥିଲେ ପରିବାର ଲୋକେ । ଆଉ ତାଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ତେବେ ଉକ୍ତ ଘଟଣାରେ ଜିତେନ୍ଦ୍ରଙ୍କ ବାପା-ମାଆ ଜେଲ ଯାଇଥିଲେ । ଜେଲରେ ୪ ମାସ ରହିବା ପରେ ଜାମିନରେ ମୁକୁଳିଛନ୍ତିି । ଜିତେନ୍ଦ୍ର ନାଁରେ ମଧ୍ୟ ଅଭିଯୋଗ ହୋଇଥିଲା । ହେଲେ ସେହି ସମୟରେ ସେ ନାବାଳକ ଥିବାରୁ ତାଙ୍କ ନାଁରେ ମାମଲା ହୋଇନଥିଲା । ଯୁକ୍ତ ୩ ପାସ କରିବା ପରେ ଜିତେନ୍ଦ୍ର ଭୁବନେଶ୍ୱରରେ ରହି ପାଠ ପଢୁଥିଲେ । ହେଲେ ବଡ ଭଉଣୀର ବାହାଘର ପରଠାରୁ ତାଙ୍କର ମାନସିକ ସ୍ଥିତି ବିଗିଡି ଯାଇଛି । ସେ ନିଜ ମାଆଙ୍କୁ ଗାଳି ଗୁଲଜ କରିବା ସହ ଘରେ ଗୁମସୁମ୍ ହୋଇ ରହୁଥିଲେ । ୮ ଦିନ ତଳେ ଘରକୁ ଯାଇ ଘରେ ଥିଲେ । ଡାକ୍ତରଖାନାରେ ଛୋଟ ଅପରେସନ କଥା କହି ଗତକାଲି ମାଆଙ୍କୁ ଆଣିଥିଲେ । ଆଉ ଭୁବନେଶ୍ୱର ଆସିବା ପରେ ଏଭଳି କାଣ୍ଡ କରିଛନ୍ତି ଜିତେନ୍ଦ୍ର । ତେବେ କଣ ପାଇଁ ଏମିତି ହରକତ କଲେ ତାହା ସନ୍ଦେହ ଘେରରେ ଥିବା ବେଳେ ମାଆ ବେକରେ ଛୁରୀ ଲଗାଇବା ପୂର୍ବରୁ ଜିତେନ୍ଦ୍ରଙ୍କ ହାତରେ ଲାଗି ସାରିଛି ଅପରାଧର କଳଙ୍କ ।