ଇଣ୍ଟରନେଟ୍ ବ୍ୟବହାରରେ ଭାରତରେ ଆସିବ ବଡ ବିପ୍ଳବ । ୨୦୨୧ରେ ଜିଓ ଆଣିବ ୫-ଜି ନେଟୱାର୍କ, ସୂଚନା ଦେଲେ ରିଲାଏନ୍ସ ମୁଖ୍ୟ ମୁକେଶ ଅମ୍ବାନି ।

443

କନକ ବ୍ୟୁରୋ : ଦେଶରେ ଇଣ୍ଟରନେଟ୍ ସେବାରେ ନୂଆ ବିପ୍ଳବ ଆଣିବ ରିଲାଏନ୍ସ ଜିଓ । ଆସନ୍ତାବର୍ଷ ରିଲାଏନ୍ସ ଜିଓ ୫ଜି ନେଟୱାର୍କ ସେବା ଆଣିବ ରିଲାଏନ୍ସ । ଏନେଇ ବଡ଼ ଘୋଷଣା କରିଛନ୍ତି ମୁକେଶ ଅମ୍ବାନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଇଣ୍ଡିଆନ ନ୍ୟାସନାଲ କଂଗ୍ରେସ ୨୦୨୦ର ଉଦଘାଟନ କରିଛନ୍ତି । ଏହାର ପ୍ରଥମ ଦିନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ ରିଲାଏନ୍ସ ଜିଓ ଭାରତରେ ୨୦୨୧ରେ ୫ଜି ଇଣ୍ଟରନେଟ୍ ସେବା ଲଂଚ କରିବା ନେଇ ଘୋଷଣା କରିଛନ୍ତି ।

ଇଣ୍ଟରନେଟ୍ ବ୍ୟବହାରରେ ଆସିବ ନୂଆ ବିପ୍ଲବ । ରିଲାଏନ୍ସ ଜିଓ ଆଣିବ ୫ଜି ସେବା । ୨୦୨୧ର ଦ୍ୱିତୀୟାର୍ଦ୍ଧରେ ରିଲାଏନ୍ସ ଜିଓ ଆଣିବାକୁ ଯାଉଛି ୫ଜି ନେଟୱାର୍କ । ଏନେଇ ସୂଚନା ଦେଇଛନ୍ତି କମ୍ପାନୀ ମାଲିକ ମୁକେଶ ଅମ୍ବାନୀ । ଇଣ୍ଡିଆନ ମୋବାଇଲ କଂଗ୍ରେସର ଉଦଘାଟନୀ ଅଧିବେଶନରେ ସମ୍ବୋଧିତ କରି ସେ ଏହା କହିଛନ୍ତି । ଅମ୍ବାନୀ କହିଛନ୍ତି ୫ଜି ସେବା ୨ଜି ଗ୍ରାହକଙ୍କୁ ଡ଼ିଜିଟାଲ ପରିବର୍ତନରେ ଲାଭ ଉଠାଇବାରେ ସକ୍ଷମ କରିବ ।

ଆଜିର ଡ଼ିଜିଟାଲ ଯୁଗରେ ୩୦ କୋଟି ଭାରତୀୟ ୨ଜି ଇଂଟରନେଟରେ ଫସିଛନ୍ତି । ଏମାନେ କିଭଳି ଭାରତର ଡ଼ିଜିଟାଲ ଅର୍ଥ ବ୍ୟବସ୍ଥା ସହିତ ଯୋଡି ହୋଇ ତାହାର ଫାଇଦା ପାଇବେ ସେନେଇ ପଦକ୍ଷେପ ନେବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ମୁକେଶ ଅମ୍ବାନୀ । ଦେଶରେ ୫ଜି ନେଟୱାର୍କକୁ ଫାଷ୍ଟ-ଟ୍ରାକ୍ କରିବାର ଆବଶ୍ୟକତା ରହିଛି ଏବଂ ରିଲାଏନ୍ସ ଜିଓ ଦେଶରେ ୫ଜି ବିପ୍ଳବର ନେତୃତ୍ୱ ନେବ ବୋଲି କହିଛନ୍ତି ମୁକେଶ ।

ଦକ୍ଷିଣ କୋରିଆ, ଚୀନ ଏବଂ ଆମେରିକାରେ ୫ଜି ଇଂଟରନେଟ୍ ସେବା ଆରମ୍ଭ ହୋଇଗଲାଣି । ଚୀନ ୬-ଜି ଉପରେ କାମ ଆରମ୍ଭ କଲାଣି । କିନ୍ତୁ ଭାରତରେ ଏବେ ବି ୪-ଜି ଇଂଟରନେଟ ସେବା ଜାରି ରହିଛି । ୫ଜି ଲଂଚ କରାଯିବା ନେଇ ବହୁ ଆଗରୁ ଘୋଷଣା ହୋଇଥିଲେ ମଧ୍ୟ ଭିତିଭୂମି ଅଭାବରୁ ତାହା ଏଯାଏଁ ହୋଇପାରିନାହିଁ ।

୨୦୨୧ ଜୁନ୍ ମାସ ସୁଦ୍ଧା ଏହାର ଶୁଭାରମ୍ଭ ପାଇଁ ସମ୍ପୁର୍ଣ୍ଣ ପ୍ରସ୍ତୁତି ହୋଇଥିବା କହିଛନ୍ତି ମୁକେଶ ଅମ୍ବାନୀ । ଶସ୍ତା ମୁଲ୍ୟରେ ଏହି ସେବା ଗ୍ରାହକଙ୍କୁ ଯୋଗାଇ ଦିଆଯିବ ଏବଂ ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହେବ ୫ଜି ସେବା ବୋଲି ସେ ସୂଚନା ଦେଇଛନ୍ତି । ଏହି ବିପ୍ଲବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭର ଭାରତ ଅଭିଯାନର ଏକ ସାକ୍ଷୀ ହେବ ବୋଲି କହିଛନ୍ତି ରିଲାଏନ୍ସ ଜିଓର ମାଲିକ ।