କନକ ବ୍ୟୁରୋ : ଚୀନ୍ ରାଷ୍ଟ୍ରପତି ତଥା ଶାସକ କମ୍ୟୁନିଷ୍ଟ ପାର୍ଟିର ନେତା ଜି ଜିନ୍ପିଙ୍ଗ୍ଙ୍କୁ ପୁଣି ଥରେ ଦଳର ସାଧାରଣ ସଂପାଦକ ପଦରେ ଅବସ୍ଥାପିତ କରିବାକୁ ସମସ୍ତ ପ୍ରକ୍ରିୟା ଶେଷ ହୋଇଛି । ଚୀନ୍ କମ୍ୟୁନିଷ୍ଟ ପାର୍ଟି (ସିପିସି) ୧୯ତମ ମହାଅଧିବେଶନରେ ଏହି ସର୍ବୋଚ୍ଚ ପଦ ପାଇଁ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ଏବଂ ଜିନ୍ପିଙ୍ଗଙ୍କୁ ପୁନଃ ନିର୍ବାଚିତ କରାଇବା କ୍ଷେତ୍ରରେ ଆଉ କୌଣସି ପ୍ରତିବନ୍ଧକ ନାହିଁ । ଚୀନ୍ କମ୍ୟୁନିଷ୍ଟ ପାର୍ଟିର ପୂର୍ବନେତା ମାଓ ସେ ତୁଙ୍ଗ୍ଙ୍କ ପରେ ଦ୍ୱିତୀୟ ସର୍ବାଧିକ କ୍ଷମତାଶାଳୀ ନେତାଭାନେ ଜିନ୍ପିଙ୍ଗ୍ ନିଜକୁ ସାବ୍ୟସ୍ତ କରିଛନ୍ତି। ୬୪ ବର୍ଷୀୟ ଜିନ୍ପିଙ୍ଗ ଏବେ ଦଳ ଭିତରେ ଅସାଧାରଣ କ୍ଷମତାର କେନ୍ଦ୍ର ପାଲଟିଥିବା ବେଳେ ଅନ୍ୟ କୌଣସି ନେତା ତାଙ୍କୁ ଏ ବାବଦରେ ଚ୍ୟାଲେଂଜ ଦେବାକୁ ସକ୍ଷମ ନାହାନ୍ତି ବୋଲି ଜଣାପଡ଼ିଛି।
ଦୁର୍ନୀତି ବିରୋଧରେ କଠୋର ଆଇନ ପ୍ରଣୟନ, ସାମରିକ ଶକ୍ତିକୁ ନୂତନ ପର୍ଯ୍ୟାୟରେ ପହଞ୍ଚାଇବା ପାଇଁ ସଫଳ ରଣନୀତି ଏବଂ ପ୍ରଭାବଶାଳୀ ଅର୍ଥନୀତିର ବିକାଶ ପାଇଁ ଜିନ୍ପିଙ୍ଗଙ୍କ ଭୂମିକାକୁ ଦଳ ଭୂୟସୀ ପ୍ରଶଂସା କରିଛି। ୨୦୧୨ରେ କ୍ଷମତାକୁ ଆସିଥିବା ଜିନଫିଙ୍ଗ ଦଳ ଏବଂ ଚୀନ୍ର ନାଗରିକ ସମାଜରେ ନିଜର ସ୍ଥିତି ସୁଦୃଢ଼ କରିବା ସହ ମାଓଙ୍କ ଭଳି ସମ୍ମାନର ଅଧିକାରୀ ହୋଇଛନ୍ତି । ସିପିସି କଂଗ୍ରେସରେ ସାଢ଼େ ୩ ଘଣ୍ଟାରୁ ଅଧିକ ସମୟ ଉଦ୍ବୋଧନ ଦେଇ ଜିନ୍ପିଙ୍ଗ୍ କହିଛନ୍ତି ଯେ ସାମରିକ ଦୃଷ୍ଟିରୁ ଚୀନ୍ ଏବେ ମହାଶକ୍ତିଶାଳୀ ରାଷ୍ଟ୍ର ଭାବେ ନିଜକୁ ପ୍ରତିପାଦିତ କରିଛି ।
ଚୀନ୍ ନିଜର ରାଷ୍ଟ୍ରୀୟ ସ୍ୱାର୍ଥର ସୁରକ୍ଷା ପାଇଁ କୌଣସି ସାଲିସ କରିବ ନାହିଁ ବୋଲି ଜିନ୍ପିଙ୍ଗ୍ ଅନ୍ୟ ରାଷ୍ଟ୍ରମାନଙ୍କୁ ଚେତାଇ ଦେଇଛନ୍ତି। କୌଣସି ରାଷ୍ଟ୍ରର ଚାପରେ ଚୀନ୍ର ନିଜର ସ୍ୱାର୍ଥକୁ ଗୁରୁତ୍ୱହୀନ କରିବ ନାହିଁ ଏବଂ ଏହା ଯଥୋଚିତ ପଦକ୍ଷେପ ଗ୍ରହଣ କରିବ ବୋଲି ସେ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି ଯେ ଚୀନ୍ର ମୁକ୍ତ ବିଦେଶ ନୀତି ଶାନ୍ତିି ପାଇଁ ଉଦ୍ଦିଷ୍ଟ ଏବଂ ପ୍ରତିରକ୍ଷା କ୍ଷେତ୍ରକୁ ଦୁର୍ବଳ କଲାଭଳି ନିଷ୍ପତ୍ତି ଦେଶ କେବେ ବି ନେବ ନାହିଁ।