ଟିମ୍ ଜିତିଲା, ସମସ୍ତେ ଖୁସିରେ ନାଚିଲେ । କିନ୍ତୁ ମ୍ୟାଚର ହିରୋ ସେମିତି ଚୁପ୍ ବସିଥିଲେ, ହେଲେ କାହିଁକି?

326

କନକ ବ୍ୟୁରୋ : ମ୍ୟାଚ୍ ଜିତିଲେ, ସମସ୍ତେ ଖୁସି ମନାଇଲେ । କିନ୍ତୁ ବିଜୟ ପଛର ହିରୋ ସେମିତି ଚୁପ୍ ବସିଥିଲେ । କିଛି ଏମିତି ଚିତ୍ର ଦେଖିବାକୁ ମିଳିଥିଲା ସେମିଫାଇନାଲରେ ନ୍ୟୁଜିଲାଣ୍ଡର ବିଜୟ ପରେ । ଟି-୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଂଲଣ୍ଡକୁ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ । ଅବିଶ୍ୱସନୀୟ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ ସ୍ଥାନ ପକ୍କା କରିଛି କିୱି ଦଳ । ଶେଷ କେତୋଟି ଓଭରରେ ହିଁ ମ୍ୟାଚର ଫଳାଫଳ ସମ୍ପୂର୍ଣ୍ଣ ବଦଳି ଯାଇଥିଲା । ଗୋଟିଏ ସମୟରେ ଲାଗୁଥିଲା ଯେ, ଇଂଲଣ୍ଡ ଏହି ମ୍ୟାଚରେ ବିଜୟୀ ହେବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି । କିନ୍ତୁ ୧୭ତମ ଓଭରରେ ମ୍ୟାଚର ଫଳାଫଳକୁ ଓଲଟାଇ ଦେଇଥିଲେ ନ୍ୟୁଜିଲାଣ୍ଡର ଷ୍ଟାର ଅଲରାଉଣ୍ଡର ଜେମି ନିସାମ । ୧୭ତମ ଓଭରରେ ୨୩ ରନ୍ ହାସଲ କରି ଦଳର ବିଜୟର ବଡ ସୂତ୍ରଧର ସାଜିଥିଲେ ନିସାମ ।

ଗୋଟିଏ ଓଭର ପୂର୍ବରୁ ହିଁ ନ୍ୟୁଜିଲାଣ୍ଡ ସେମିଫାଇନାଲରେ ବିଜୟୀ ହୋଇଥିଲା । ଆଉ ଏହି ବିଜୟ ସହ ୨୦୧୯ ବିଶ୍ୱକପ ପରାଜୟର ମଧୁର ପ୍ରତିଶୋଧ ନେଇଥିଲା ନ୍ୟୁଜିଲାଣ୍ଡ । ସମସ୍ତେ ନାଚୁଥିଲେ, କିନ୍ତୁ ଚୁପଚାପ ବସିଥିଲେ ମ୍ୟାଚର ନିସାମ । ଆଉ ଏହି ଫଟୋକୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ ଏନେଇ ଯେତେବେଳେ ନିସାମଙ୍କୁ ପ୍ରଶ୍ନ କରାଗଲା ସେତେବେଳେ ନିସାମ ଯାହା କହିଛନ୍ତି ତାହା ଅନେକଙ୍କୁ ବେଶ ପସନ୍ଦ ଆସିଛି । ନିସାମ କହିଛନ୍ତି, କାମ କଣ ପୂରା ହୋଇଛି । ମୋତେ ତ କାଇଁ ସେମିତି ଲାଗୁନି । ଆଉ ନିସାମଙ୍କ ଏହି ଟ୍ୱିଟ୍ ହିଁ ଦର୍ଶାଉଥିଲା ଯେ, ବିଶ୍ୱକପ ନ ହାତେଇବା ଯାଏଁ ଏହି ବିଜୟର ମୂଲ୍ୟ ନିସାମଙ୍କ ପାଇଁ କିଛି ନୁହେଁ । ୨୦୧୯ରେ ଅଳ୍ପକେ ବିଶ୍ୱକପ ବିଜୟରୁ ବଞ୍ଚିତ ହୋଇଥିଲା ନ୍ୟୁଜିଲାଣ୍ଡ । କିନ୍ତୁ ଚଳିତ ଟି-୨୦ ବିଶ୍ୱକପରେ ଚାମ୍ପିୟନ ହେବାକୁ ଲକ୍ଷ୍ୟ ରଖିଛି ଦଳ । ଏସବୁ ଭିତରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରୁ ଯେଉଁ ଟିମ୍ ବିଜୟୀ ହେବ ସେହି ଦଳ ଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିବ ।