ବିଶ୍ୱପ୍ରସିଦ୍ଧ ଜିମ୍ କର୍ବେଟ ନ୍ୟାସନାଲ ପାର୍କର ବଦଳିପାରେ ନାଁ! ମିଳିଲା ସଂକେତ, ଜାଣନ୍ତୁ କେଉଁ ନାମରେ ହୋଇପାରେ ନାମିତ?

145

କନକ ବ୍ୟୁରୋ : ଭବିଷ୍ୟତରେ ଉତ୍ତରଖଣ୍ଡର ବିଶ୍ୱ ବିଖ୍ୟାତ ବ୍ୟାଘ୍ର ସଂରକ୍ଷଣ ଉଦ୍ୟାନ ‘ଜିମ୍‌ କର୍ବେଟ୍‌ ନ୍ୟାସନାଲ୍‌ ପାର୍କ’ର ନାମ ବଦଳି ‘ରାମଗଙ୍ଗା ଜାତୀୟ ଉଦ୍ୟାନ’ ହୋଇପାରେ। ୫୨୧ କିଲୋମିଟର୍‌ ପରିବ୍ୟାପ୍ତ ଭାରତର ଏହି ପ୍ରଥମ ଜାତୀୟ ଉଦ୍ୟାନର ନାମ ପରିବର୍ତ୍ତନ ସଂକ୍ରାନ୍ତରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ ସୂଚନା ଦେଇଛନ୍ତି। ସେ ନିକଟ ଅତୀତରେ ଏହି ଜାତୀୟ ଉଦ୍ୟାନକୁ ଗସ୍ତ କରିଥିବା ବେଳେ ‘ମ୍ୟୁଜିୟମ୍‌ ଗେଷ୍ଟ୍‍ ବୁକ୍‌’ରେ ଏ କଥା ଉଲ୍ଲେଖ କରିଛନ୍ତି।

ସେ ଲେଖିଛନ୍ତି ଯେ, ‘ଜିମ୍‌ କର୍ବେଟ୍‌ ନ୍ୟାସ୍‌ନାଲ୍‌ ପାର୍କ’କୁ ‘ରାମଗଙ୍ଗା ଜାତୀୟ ଉଦ୍ୟାନ’ କରାଯିବା ଉଚିତ। ‘ଜିମ୍‌ କର୍ବେଟ୍‌ ନ୍ୟାସନାଲ୍‌ ପାର୍କ’ର ନିର୍ଦେଶକ ରାହୁଲ୍‌ ଉପରୋକ୍ତ କଥାକୁ ସୁନିଶ୍ଚିତ କରିଥିବା ବେଳେ ସେ ପ୍ରସଙ୍ଗରେ ଅଧିକ କିଛି କହିବାକୁ ଅଗ୍ରାହ୍ୟ କରି ଦେଇଛନ୍ତି। କିନ୍ତୁ, ଉଦ୍ୟାନର ନାମ ପରିବର୍ତ୍ତନ ପ୍ରସ୍ତାବରେ ବଣ୍ୟପ୍ରାଣୀ ପ୍ରେମୀଗଣ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅନ୍ୟତମ ବଣ୍ୟପ୍ରାଣୀପ୍ରେମୀ ପ୍ରକାଶ କିମୋଥି କହିଛନ୍ତି, ନାଁ ବଦଳାଇବା ଅପେକ୍ଷା ଆମର ଐତିହ୍ୟ ସରଂକ୍ଷଣ ଉପରେ ଅଧିକ ଧ୍ୟାନ ଦେବା ଉଚିତ।

ସୂଚନା ଯୋଗ୍ୟ, ଯଦି ‘ଜିମ୍‌ କର୍ବେଟ୍‌ ନ୍ୟାସ୍‌ନାଲ୍‌ ପାର୍କ’ର ନାମ ପରିବର୍ତ୍ତନ ହୁଏ, ତେବେ ଏହା ପ୍ରଥମ ଥର ପାଇଁ ହେବ ନାହିଁ। ୧୯୩୬ରେ ଏହି ଉଦ୍ୟାନ ହେବା ସମୟରେ ଏହାର ନାମ ଥିଲା ‘ହେଲି ନ୍ୟାସ୍‌ନାଲ୍‌ ପାର୍କ’। ଏହାର କିଛି ଦଶନ୍ଧି ପରେ ଶିକାରୀରୁ ସଂରକ୍ଷକ ପାଲଟିଥିବା ଜିମ୍‌ କର୍ବେଟ୍‌ଙ୍କ ନାମାନୁସାରେ ଏହାକୁ ପୁନଃନାମିତ କରାଯାଇଥିଲା। ଏହି ଉଦ୍ୟାନ ମଧ୍ୟ ଦେଇ ଗଙ୍ଗା ନଦୀର ଶାଖା ରାମଗଙ୍ଗା ପ୍ରବାହିତ ହେଉଥିବାରୁ କିଛି ଦିନ ପାଇଁ ଏହାକୁ ‘ରାମଗଙ୍ଗା ଜାତୀୟ ଉଦ୍ୟାନ’ ମଧ୍ୟ କୁହାଯାଉଥିଲା।