ବିଜେଡି ଛାଡିଲେ ଜୀବନ ପ୍ରଦୀପ ଦାଶ । ଗତକାଲି ଦଳରୁ ହୋଇଥିଲେ ନିଲମ୍ବିତ । ଦଳ ଅଣଦେଖା କରୁଥିବା କଲେ ଅଭିଯୋଗ

476

କନକ ବ୍ୟୁରୋ : ବିଜେଡି ଛାଡିଲେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଜୀବନ । ଗତକାଲି ଦଳରୁ ନିଲମ୍ବିତ ହୋଇଥିଲେ ଜୀବନ । ଦଳ ତାଙ୍କୁ ଅଣଦେଖା କରୁଥିବା ସେ ଅଭିଯୋଗ କରିଛନ୍ତି ।

ବାଲେଶ୍ୱର ସଦର ନିର୍ବାଚନର ଠିକ ଗୋଟିଏ ଦିନ ପରେ ବିଜେଡ଼ିରୁ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କ ନିଲମ୍ବନ କରିଥିଲା । ବାଲେଶ୍ୱର ପୂର୍ବତନ ବିଧାୟକ ଥିଲେ ଜୀବନ ପ୍ରଦୀପ । ଦଳ ବିରୋଧୀ କାର୍ୟ୍ୟ ପାଇଁ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ନିଲମ୍ବନ ପରେ ଜୀବନ ପ୍ରଦାପ ଦାଶ ପ୍ରତିକ୍ରିୟା ରଖିଥିଲେ । ଜୀବନ ପ୍ରଦୀପ ଦାଶ କହିଥିଲେ, ସେ କୌଣସି ଶୃଙ୍ଖଳା ଭଙ୍ଗ କରିନାହାନ୍ତି କି ଦଳ ବିରୋଧୀ କାର୍ୟ୍ୟ କରିନାହାଁନ୍ତି ।

ସୂଚନାନୁସାରେ, ଜୀବନପ୍ରଦୀପ ଦାଶ ଉପନିର୍ବାଚନ ସମୟରେ ଦଳ ବିରୋଧୀ କାର୍ୟ୍ୟ କରିଥିବା ଅଭିଯୋଗ ହୋଇଥିଲା । ବିଜେଡ଼ି ସୁପ୍ରିମୋଙ୍କ ନିର୍ଦ୍ଦେଶ କ୍ରମେ ଦଳରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା । ଜୀବନ ପ୍ରଦୀପ ଦାଶ ୨୦୦୯ ଓ ୨୦୧୪ରେ ବାଲେଶ୍ୱର ସଦରର ବିଧାୟକ ଥିଲେ । କିନ୍ତୁ ୨୦୧୯ ନିର୍ବାଚନରେ ବିଜେପିର ମଦନ ମୋହନ ଦତ୍ତଙ୍କ ଠାରୁ ହାରିଯାଇଥିଲେ ।