‘ମୋ ବଞ୍ଚିବାର କିଛି କାରଣ ନାହିଁ’… ଜିୟା ଖାନଙ୍କ ଶେଷ ଚିଠି, ୬ ପୃଷ୍ଠାରେ ଲେଖିଥିଲେ ନିଜ ଯନ୍ତ୍ରଣା କାହାଣୀ

397

କନକ ବ୍ୟୁରୋ: ୨୦୧୩ ଜୁନ୍ ୩ ତାରିଖରେ ବଲିଉଡ ଅଭିନେତ୍ରୀ ଜିୟା ଖାନଙ୍କ ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଏହି ଘଟଣାରେ ପୁଲିସକୁ ୬ ପୃଷ୍ଠାର ଏକ ସୁଇସାଇଡ୍ ନୋଟ୍ ମିଳିଥିଲା , ଯାହା ସୂରଜ ପାଞ୍ଚୋଲିଙ୍କୁ ସମ୍ବୋଧନ କରି ଲେଖାଯାଇଥିଲା । ତେଣୁ ଏହି ଘଟଣାରେ ସୂରଜଙ୍କୁ ଗିରଫ କରାଯାଇଥିଲା । ଜିୟାଙ୍କ ମତ୍ୟୁର ୧୦ ବର୍ଷ ପରେ ଆଜି ଏହି ମାମଲାର ଶୁଣାଣି ହେବାକୁ ଯାଉଛି ।

‘ନିଃଶବ୍ଦ’ ଓ ‘ଗଜନି’ ପରି ଫିଲ୍ମରୁ ଲାଇମଲାଇଟକୁ ଆସିଥିବା ଅଭିନେତ୍ରୀ ଜିୟା ଖାନ୍ ଖୁବ୍ କମ ବୟସରେ ନିଜ ଜୀବନ ନିଜ ହାତରେ ନେବା ପରେ ଏହି ଘଟଣାକୁ ବିତିଲାଣି ୧୦ ବର୍ଷ । ତେବେ ତାଙ୍କ ମୃତ୍ୟୁ ଘଟିଥିବା ଘରୁ ପୁଲିସ ହାତରେ ଯେଉଁ ସୁଇସାଇଡ୍ ନୋଟ୍ ମିଳିଥିଲା, ତାହା ୬ ପୃଷ୍ଠାରେ ଲେଖାଥିଲା, ଯେଉଁଥିରେ ଜିୟା ନିଜ ଜୀବନ ଯନ୍ତ୍ରଣାକୁ ବୟାନ କରିବାକୁ ଚେଷ୍ଟା କରିଥିଲେ ।

ଜବତ ହୋଇଥିବା ଚିଠିରେ ଲେଖାଥିଲା ଯେ, ‘ଜଣାନାହିଁ ତୁମକୁ ଏକଥା କିପରି କହିବି । କିନ୍ତୁ ହରାଇବାକୁ ମୋ ପାଖରେ ଆଉ କିଛି ବି ନାହିଁ । ସେମିତିରେ ବହୁତ ଆଗରୁ ମୁଁ ସବୁକିଛି ହରାଇସାରିିଛି । ଯଦି ତୁମେ ଏହି ମୋ ହାତ ଲେଖାକୁ ପଢୁଛ ତାହେଲେ ଏହାର ଅର୍ଥ ମୁଁ ଯାଇସାରିଛି ନଚେତ୍ ଯିବାର ଅପେକ୍ଷାରେ । ମୁଁ ଅନ୍ତର୍ମନରୁ ଭାଙ୍ଗିସାରିଛି । ବୋଧହୁଏ ତୁମକୁ ଏକଥା ଜଣାନଥାଇପାରେ ହେଲେ ମୋ ଉପରେ ତୁମର ଏତେ ପ୍ରଭାବ ପଡିସାରିଥିଲା ଯେ ମୁଁ ତୁମକୁ ନିଜ ସ୍ୱାର୍ଥକୁ ପଛରେ ପକାଇ ଭଲପାଉଥିଲି । ମୁ ତୁମକୁ ନିଜଠାରୁ ବି ଅଧିକ ଭଲପାଉଥିଲି । ହେଲେ ତୁମେ ମୋତେ ସବୁବେଳେ କଷ୍ଟ ଦେଉଥିଲ । ତିଳ ତିଳ କରି ଜାଳୁଥିଲ । ଏବେ ମୋ ଜୀବନରେ ଆଉ କୌଣସି ଆଶାର ଆଲୋକ ଦେଖାଯାଉନି । ଦିନ ଥିଲା ମୁଁ ତୁମ ସହିତ ମୋ ଜୀବନକୁ କଳ୍ପନା କରୁଥିଲି । ସ୍ୱପ୍ନ ଦେଖୁଥିଲି । କିନ୍ତୁ ତୁମେ ମୋର ସ୍ୱପ୍ନକୁ ଭାଙ୍ଗିଦେଲ । ଏବେ ଏମିତି ଲାଗୁଛି ଯେମିତି ମୁଁ ଭିତରୁ ଭାଙ୍ଗିସାରିଛି’ । ଏପରି ନିଜ ମନର ଦୁଃଖକୁ ୬ ପୃଷ୍ଠାରେ ପ୍ରକାଶ କରିଥିଲେ ଜିୟା । ଏହି ଆଧାରରେ ଜିୟାଙ୍କ ମା’ ରୁବିୟା ଖାନ୍ ଆକ୍ଟର ସୂରଜ ପାଞ୍ଚୋଲିଙ୍କୁ ତାଙ୍କ ଝିଅର ମୃତ୍ୟୁର କାରଣ ବୋଲି ଅଭିଯୋଗ କରିଥିଲେ । ଜିୟାଙ୍କୂୁ ଆତ୍ମହତ୍ୟା କରିବାକୁ ଉସକାଇବା ଅଭିଯୋଗରେ ସୂରଜ ଙ୍କୁ ଗିରଫ କରାଯିବା ସହ ଘଟଣାର ତଦନ୍ତ ଜାରି ରହିଥିଲା ।