ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସୂରଜଙ୍କୁ କ୍ଲିନଚିଟ୍। ଅଭିନେତାଙ୍କୁ ନିର୍ଦ୍ଦୋଷ ଘୋଷଣା କଲେ ସିବିଆଇ କୋର୍ଟ।

143

କନକ ବ୍ୟୁରୋ: ବହୁଚର୍ଚ୍ଚିତ ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ୧୦ ବର୍ଷ ପରେ ଆସିଛି କୋର୍ଟଙ୍କ ଫଇସଲା । ମୁମ୍ବାଇର ସ୍ପେଶାଲ ସିବିଆଇ କୋର୍ଟ ଅଭିନେତା ସୂରଜ ପାଞ୍ଚୋଲିଙ୍କୁ ନିର୍ଦ୍ଦୋଷରେ ଖଲାସ କରଛନ୍ତି । ୨୦୧୩ ଜୁନ ୩ତାରିଖରେ ଆତ୍ମହତ୍ୟା କରିଥିଲେ ଅଭିନେତ୍ରୀ ଜିଆ ଖାନ୍ । ମୁମ୍ବାଇ ଜୁହୁ ସ୍ଥିତ ଆପାର୍ଟମେଣ୍ଟରେ ଜିଆ ଖାନଙ୍କ ମୃତଦେହ ମିଳିଥିଲା । ମାତ୍ର ୨୫ ବର୍ଷ ବୟସରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇଥିଲେ ଜିଆ । ସେହି ସମୟରେ ଜିଆ, ଅଭିନେତା ଆଦିତ୍ୟ ପାଂଚୋଲିଙ୍କ ପୁଅ ସୂରଜ ପାଂଚୋଲିଙ୍କୁ ଡେଟ୍ କରୁଥିଲେ । ତେବେ ମୃତ୍ୟୁ ପୂର୍ବରୁ ଜିଆ ଛାଡିଯାଇଥିବା ନିଜ ସୁଇସାଇଡ୍ ନୋଟରେ ନିଜ ବୟଫ୍ରେଣ୍ଡ ସୂରଜଙ୍କ ନାଁ ନେଇଥିଲେ । ୨୦୧୯ରେ ମାମଲା ସିବିଆଇ କୋର୍ଟରେ ପହଞ୍ଚିଥିଲା । ଶୁକ୍ରବାର ସିବିଆଇ କୋର୍ଟ ମାମଲାର ଶୁଣାଣି କରିଛନ୍ତି । ଆଉ ସୂରଜଙ୍କ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ।

ଜିଆ ଖାନ୍ ଆତ୍ମହତ୍ୟା ମାମଲାରେ ସିବିଆଇ କୋର୍ଟଙ୍କ ଫଇସିଲାକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ତାଙ୍କ ମାଆ ରବିଆ ଅମୀନ୍ । ଜିଆଙ୍କ ମୃତ୍ୟୁ ପାଇଁ ମୂଳରୁ ହିଁ ସୂରଜଙ୍କୁ ଦାୟୀ କରି ଆସୁଛନ୍ତି ରବିଆ । ଆଉ ସିବିଆଇ କୋର୍ଟଙ୍କ ରାୟ ସଠିକ୍ ନୁହେଁ ବୋଲି କହିଛନ୍ତି । ତାଙ୍କ ଝିଅ ଆତ୍ମହତ୍ୟା କରି ନାହାଁନ୍ତି ବରଂ ତାଙ୍କୁ କରିବା ପାଇଁ ସୂରଜ ପ୍ରବର୍ତାଇଥିଲେ ବୋଲି ଦାବି କରି ଆସୁଛନ୍ତି ରବିଆ । ଆଗକୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାଇଛନ୍ତି ।

ଜୁନ୍ ୩, ୨୦୧୩ ଜୁହୁ ସ୍ଥିତ ବାସଭବନରେ ସକାଳ ୧୦.୪୫ରେ ମିଳିଥିଲା ଜିଆ ଖାନ୍ଙ୍କ ମୃତଦେହ । ଘଟଣାଟିକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଗଲା । ହାଇପ୍ରୋଫାଇଲ ଘଟଣାରେ ବଲିଉଡର ଅନେକ ଚର୍ଚ୍ଚିତ ନାଁ ସାମ୍ନାକୁ ଆସିଲା । ସେପଟେ ପୋଲିସ ଜିଆ ଖାନଙ୍କ ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କଲା । ଜିଆଙ୍କ ମାଆ କହିଲେ ଜିଆ, ଡିପ୍ରେସନରେ ଥିଲେ । ଆଉ ଏଥିପାଇଁ ସେ ସୁରଜଙ୍କୁ ଦାୟୀ କରିଥିଲେ । ୭ ଜୁନ୍, ୨୦୧୩ରେ ପୋଲିସକୁ ମିଳିଥିଲା ୬ ପେଜର ଜିଆଙ୍କ ହାତ ଲେଖା ସୁଇସାଇଡ୍ ନୋଟ୍ । ନିଜ ସୁଇସାଇଡ୍ ନୋଟରେ ଅଭିନେତା ସୁରଜ ପାଂଚୋଲିଙ୍କ ସହ ନିଜ ସମ୍ପର୍କକୁ ନେଇ ଅନେକ ଚକିତ କଲା ଭଳି କଥା ଉଲ୍ଲେଖ କରିଥିଲେ ଜିଆ । ଚିଠିରେ ଲେଖିଥିଲେ, ତାଙ୍କ ସମ୍ପର୍କ ଶାରିରୀକ ଓ ମାନସିକ ଅତ୍ୟାଚାର, ଗାଳି, ଦୁର୍ବ୍ୟବହାର ଭଳି ଅନେକ ସମସ୍ୟା ଦେଇ ଗତି କରୁଛି ।

୯ ଡିସେମ୍ବର, ୨୦୧୫ରେ ସୂରଜ ପାଂଚୋଲି ବିରୋଧର ଚାର୍ଜସିଟ୍ ଦାଖଲ କରିଥିଲା ସିବିଆଇ । ତାଙ୍କ ବିରୋଧରେ ଆତ୍ମହତ୍ୟା ପାଇଁ ପ୍ରବର୍ତାଇବାର ଅଭିଯୋଗ ହୋଇଥିଲା । ହେଲେ ଘଟଣାର ୧୦ ବର୍ଷ ପରେ ସିବିଆଇ କୋର୍ଟ ସୂରଜ ପାଂଚୋଲିଙ୍କୁ ନିର୍ଦ୍ଦୋଷ ଭାବେ ଘୋଷଣା କରିଛନ୍ତି ।