କନକ ବ୍ୟୁରୋ: ଫୁଲବାଣୀ ବସଷ୍ଟାଣ୍ଡରେ ଜଳଖିଆ ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି ଝୁନୁ ସାହୁ । ଫୁଲବାଣୀ ବସଷ୍ଟାଣ୍ଡ ନିକଟ ପେଞ୍ଜିସାହିରେ ଏକ ଛୋଟ ଦୁଇ ବଖରା ଘରେ କଷ୍ଟମଷ୍ଟ ଚଳୁଛନ୍ତି । ୨୫ ବର୍ଷ ତଳେ ପେଞ୍ଜିସାହିର ରାମଚନ୍ଦ୍ର ସାହୁଙ୍କୁ ବିବାହ କରିଥିଲେ । ତାଙ୍କର ଦୁଇଟି ଝିଅ, ବସଷ୍ଟାଣ୍ଡରେ ଜଳଖିଆ ଦୋକାନ କରି ଦୁଇ ଝିଅକୁ ନେଇ ଖୁସି ଚଳୁଥିଲେ । ୨ ବର୍ଷ ତଳେ ସ୍ୱାମୀଙ୍କ ଅକାଳ ବିୟୋଗ ଘଟିଥିଲା । ସ୍ୱାମୀଙ୍କ ଦେହାନ୍ତ ପରେ ପରିବାର କିଭଳି ପ୍ରତିପୋଷଣ କରିବେ ଏବଂ ଝିଅକୁ ପାଠପଢାଇବାକୁ କେଉଁଠୁ ଅର୍ଥ ଯୋଗାଡ କରିବେ, ସେନେଇ ଝୁନୁ ଚିନ୍ତାରେ ପଡିଥିଲେ । ଫୁଲବାଣୀ ବସଷ୍ଟାଣ୍ଡରେ ସ୍ୱାମୀଙ୍କ ପରି ଜଳଖିଆ ଦୋକାନ କରିବା ନିଷ୍ପତି ନେଇଥିଲେ ଝୁନୁ ସାହୁ । ହେଲେ ସ୍ୱାମୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତି ଯାଇଥିଲେ ବି ଏ ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିନାହି ।

Advertisment

ନିଜସ୍ୱ ଉଦ୍ୟମରେ ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲେ ମଧ୍ୟ ତାଙ୍କୁ ଜିଲ୍ଲାପ୍ରଶାସନ ପକ୍ଷରୁ କୌଣସି ସହାୟତ ମିଳିପାରିନାହିଁ । ପୌରପାଳିକା ପକ୍ଷରୁ ସ୍ଥାୟୀ ଦୋକାନ ଘର ଯୋଗାଇ ଦିଆଯାଆନ୍ତା ତେବେ ସେ ଉପକୃତ ହୋଇପାରନ୍ତେ । ସେପଟେ ଅର୍ଥାଭାବରୁ ଅଧାରେ ଅଟକିଛି ଝିଅର ପାଠପଢ଼ା । ଯୁକ୍ତ ଦୁଇ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ ଆଗକୁ ପଢ଼ିବାକୁ ଇଛା ଥିଲେ ବି ଅର୍ଥ ସାଜିଲା ବାଧକ । ଯୁକ୍ତ ତିନ ପାଠପଢିବା ପାଇଁ ସରକାର କିମ୍ବା ଜିଲ୍ଲା ପ୍ରଶାସନ ସୁବିଧା କରିଦିଅନ୍ତେ ତାହେଲେ ଝିଅକୁ ପଢାଇ ମଣିଷ କରିପାରନ୍ତେ ବୋଲି କହିଛନ୍ତି ଝୁନୁ ।