କନକ ବ୍ୟୁରୋ : ଭୁଶୁଡିଲା ଶହେ ବର୍ଷର ପୋଲ । କୁଚିଣ୍ଡା ସହରକୁ ସଂଯୋଗ କରୁଥିବା ଜାତୀୟ ରାଜପଥ ୪୯ ଖର୍ଲା ନଦୀ ଉପରେ ବ୍ରିଟିଶ ଅମଳର ଶହେ ବର୍ଷର ଝୁଲେନ ପୋଲ ଗତ ରାତିରେ ଭାଙ୍ଗି ଯାଇଛି । ଫଳରେ ପୋଲ ଉପରୁ ଏକ ଗାଡି ପାଣି ଭିତରେ ପଡିଯାଇଥିବାବେଳେ ହେଲପରକୁ ଉଦ୍ଧାର କରାଯାଇଛି । ଡ୍ରାଇଭର ଏବେ ବି ଚାପି ହୋଇଥିବାବେଳେ ଉଦ୍ଧାର କାମ ଜାରି ରହିଛି । ପୋଲ ଭାଙ୍ଗିବା ଫଳରେ କୁଚିଣ୍ଡା ସହରକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଘଟଣାସ୍ଥଳରେ ଦମକଳବାହିନୀ ଓ ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି ।

Advertisment

ସୂଚନାନୁସାରେ, ଦେବଗଡ଼ ପଟୁ ଦ୍ରୁତ ଗତିରେ କୁଚିଣ୍ଡା ପଟକୁ ଆସୁଥିବା ୧୬ ଟନ ଲୁହାପଥର ବୋଝେଇ ହୋଇଥିବା ଟ୍ରକ୍ (ଟି ଏନଏଚ ୪୯)କୁଚିଣ୍ଡା ସହର ନିକଟସ୍ଥ ଖର୍ଲା ନଦୀ ଉପରେ ୧୯୦୫ ମସିହାରେ ନିର୍ମାଣ ହୋଇଥିବା ସଂକୀର୍ଣ୍ଣ ପୋଲରେ ବାଡେଇ ହୋଇଥିଲା । ଏହାଫଳରେ ବ୍ରିଜ ଗୋଟିଏ ସ୍ପାମରୁ ଲୁହା ଖସି ଯାଇ ବ୍ରିଜ ସହିତ ଟ୍ରକ ନଦୀ ଭିତରେ ପଡ଼ିଯାଇଥିଲା । ଟ୍ରକ ହେଲପରକୁ ଦମକଳ ବାହିନୀ ସଙ୍ଗେ ସଙ୍ଗେ ଉଦ୍ଧାର କରି ବୁର୍ଲା ସ୍ଥାନାନ୍ତରିତ କରିଥିବା ସମୟରେ ଗାଡି ଷ୍ଟିୟରିଂରେ ଚାପିହୋଇଥିବା ଡ୍ରାଇଭର ସନ୍ତୋଷ ଲାକ୍ରାଙ୍କୁ ଅନ୍ଧାର ରାତ୍ରୀରେ ଉଦ୍ଧାର କରାଯାଇ ଆଜି ସକାଳ  କୁଚିଣ୍ଡା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।

ଝୂଲେନ ପୋଲ ଏକ ଦୁର୍ବଳ ଲୁହା ପୋଲ ହୋଇଥିବା ସମୟରେ ଏହାର ମରାମତି କରାନଯାଇ ବହୁ ଓଜନିଆ ଗାଡ଼ି ବ୍ରିଜ ଉପରେ ଚଳାଚଳ କରାଯାଉଛି । ଏନଏଚଆଇ ବ୍ରିଜ ଭାଙ୍ଗିଯିବ ବୋଲି ପୂର୍ବରୁ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ ଏନଏଚଆଇ ଘଟଣାକୁ ଗୁରୁତ୍ବ ଦେଇ ନ ଥିଲେ । ଏହାଫଳରେ ବ୍ରିଜ ଭାଙ୍ଗି ଇତିହାସ ପାଲଟିଗଲା । ବ୍ରିଜ ଭାଙ୍ଗିବା ପରେ କୁଚିଣ୍ଡା ସହରାଞ୍ଚଳ ବ୍ୟବହାର କରୁଥିବା ରାସ୍ତାବନ୍ଦ ହୋଇଛି । ଏହାକୁ ତୁରନ୍ତ ନିର୍ମାଣ କରି ଏକ ବିକଳ୍ପ ରାସ୍ତା କରାନଗଲେ ଆଗାମୀ ଦିନରେ ଏହାକୁ ନେଇ  ଆନ୍ଦୋଳନ ହେବ ବୋଲି ସୂଚନା ମିଳିଛି । କୁଚିଣ୍ଡା ଉପଜିଲ୍ଲାପାଳ, ସ୍ଥାନୀୟ ଜନସାଧାରଣ, ଏନଏସି କର୍ମଚାରୀ, ଅଗ୍ନିଶମ, ପୂର୍ତ୍ତ ବିଭାଗ, ଏନଏଚଆଇ ପକ୍ଷରୁ ଅସମ୍ପୂର୍ଣ୍ଣ ନୂତନ ବ୍ରିଜକୁ ମରାମତି କରାଯାଇଥିଲା । ଆଜି ସକାଳ ୬ଟାରୁ ଜାତୀୟ ରାଜପଥ ୪୯ରେ ଯାତାୟାତ ସ୍ବାଭାବିକ କରାଯାଇଛି ।