ଓଡିଆ ସଂସ୍କୃତିର ମାଣବସା ଓଷା, ଦେବୀ ଲକ୍ଷ୍ମୀଙ୍କର ଶ୍ରେଷ୍ଠ ପୂଜା…ଦାଣ୍ଡରେ ଝୋଟିଚିତା ପକାଇ ଧନଦାତ୍ରୀଙ୍କୁ କରାଯାଏ ଆବାହନ…ଏହା ହିଁ ମାଣବସା ଚିତାର ବିଶେଷତ୍ୱ

2,999

କନକ ବ୍ୟୁରୋ: ମାର୍ଗଶିର ମାସର ମାଣବସା ଦେବୀ ଲକ୍ଷ୍ମୀଙ୍କର ପୂଜା । ରୂପ ଓ ଲାବଣ୍ୟରେ ଲକ୍ଷ୍ମୀ ଦେବୀମାନଙ୍କ ଭିତରେ ଶ୍ରେଷ୍ଠ । ସେଥିପାଇଁ ସେ ‘ମହାଲକ୍ଷ୍ମୀ’ ଭାବରେ ଅଭିହିତା ହୁଅନ୍ତି । ବଳରାମ ଦାସ ‘ଲକ୍ଷ୍ମୀପୁରାଣ’ରେ ତାଙ୍କୁ ‘ପରମଲକ୍ଷ୍ମୀ’ କହିଛନ୍ତି ।

ଦେବୀଲକ୍ଷ୍ମୀଙ୍କ ଅନେକ ନାମ । ଅମରକୋଷରେ ତାଙ୍କର ବିଭିନ୍ନ ନାମର ଉଲ୍ଲେଖ ରହିଛି । କିନ୍ତୁ ଅବସ୍ଥାନ ଭେଦରେ ତାଙ୍କର ଭିନ୍ନ ଭିନ୍ନ ନାମ ରହିଛି । ସ୍ୱର୍ଗଲୋକରେ ଇନ୍ଦ୍ରଙ୍କର ସଂପତି ରୂପେ ସେ ‘ସ୍ୱର୍ଗଲକ୍ଷ୍ମୀ’ । ସେହିପରି ମର୍ତ୍ତ୍ୟଲୋକ ଓ ପାତାଳଲୋକରେସେ ରାଜାମାନଙ୍କ ନିମନ୍ତେ ‘ରାଜଲକ୍ଷ୍ମୀ’ । କିନ୍ତୁ ଗୃହସ୍ଥମାନଙ୍କ ପାଇଁ ସେ ‘ଗୃହଲକ୍ଷ୍ମୀ’ ରୂପେ ବିବେଚିତ ହୁଅନ୍ତି । ଏଣୁ ଯେଉଁ ସ୍ଥାନରେ ଲକ୍ଷ୍ମୀ ନଥାନ୍ତି , ସେହି ସ୍ଥାନ ଶ୍ରୀ’ହୀନ ବା ଲକ୍ଷ୍ମୀଛଡା ହୋଇଯାଏ ।ଦେବୀ ଲକ୍ଷ୍ମୀ ମଧ୍ୟ ଶସ୍ୟରେ ଅବସ୍ଥାନ କରନ୍ତି । ଏ ଦୃଷ୍ଟିରୁ ସେ ‘ଶସ୍ୟଲକ୍ଷ୍ମୀ’ । ଶୁକ୍ଳଧାନକୁ ତାଙ୍କର ପ୍ରତୀକ ରୂପେ ଗ୍ରହଣ କରାଯାଏ । ଆମର ପାରଂପରିକ ବିଧାନ ଅନୁସାରେ ନୂଆ ମାଣରେ ମାଟି ଲେସି, ସେଥିରେ କଉଡି ଖଂଜି ତାଙ୍କର ଆଖି କରାଯାଏ । ମାଣକୁ ଧଳାଧାନରେ ପୂର୍ଣ୍ଣ କରାଯାଇ ଧଳାଧାନର ମେଂଟା ସେଥିରେ ସ୍ଥାପନା କରାଯାଏ । ତା ଉପରେ ଲାଲ ରଙ୍ଗର ବସ୍ତ୍ରକୁ ଓଢଣା ପରି ଘୋଡାଇ ଦିଆଯାଏ । ଏହା ହିଁ ଆମ ମାଣବସାର ‘ଗୃହଲକ୍ଷ୍ମୀ’ । ସେହିଭଳି ଏହି ମାଣବସାରେ ଚିତା ପକାଇବାର ଏକ ବିଧି ମଧ୍ୟ ରହିଛି । ଅରୁଆ ଚାଉଳ ବାଟି ପ୍ରସ୍ତୁତ ହୋଇଥିବା ପିଠଉରେ ଏହି ଚିତା ଲେଖାଯାଏଁ । ଏଥିରେ ପାଦ ଓ ପଦ୍ମ ମୁଖ୍ୟ ।

ଏହି ଚିତାରେ ଦାଣ୍ଡରୁ ଘର ଆଡକୁ ଯୋଡିପାଦ ଅଙ୍କାଯାଏ ଏବଂ କେତୋଟି ଯୋଡିପାଦ ପରେ ଗୋଟିଏ ଲେଖାଏଁ ପଦ୍ମ ବା ଝୋଟି ରହିଥାଏ । ଏହି ଯୋଡିପାଦ ଦେବୀଲକ୍ଷ୍ମୀଙ୍କର ଆଗମନ ଏବଂ ପଦ୍ମ ବା ଝୋଟି ତାଙ୍କ ଅବସ୍ଥାନର ସଂକେତ ତା ସହିତ ଗୋବରଲିପା ମାଟିକାନ୍ଥରେ, ପତଳା ପିଠଉରେ ଆଙ୍ଗୁଠି ବୁଡାଇ ଛାଟିଛାଟି ଯେଉଁ ଚିତା ପକାଯାଏ, ତାହା କଟାଧାନ ବିଡାର ରୂପ ନିଏ । ଏହା ହଳା ବା କଳେଇକୁ ବୁଝାଏ । ତା ଉପରେ ଆଙ୍ଗୁଠିର ଟିପରେ ଥାକ ଥାକ କରି ଯେଉଁ ଚିହ୍ନ ଅଙ୍କାଯାଏ, ତାହା କଉଡିର ପ୍ରତୀକ ରୂପେ ବିବେଚିତ ହୁଏ । ଏଣୁ ମାଣବସାର ଏହି ଚିତା ପ୍ରକୃତରେ ‘ଶସ୍ୟଲକ୍ଷ୍ମୀ’ ଓ ‘ଧନଲକ୍ଷ୍ମୀ’ ରୂପେ ଆମ ଘରକୁ ମହାଲକ୍ଷ୍ମୀଙ୍କର ଆଗମନ ଓ ଆମ ଗୃହରେ ତାଙ୍କର ଅବସ୍ଥାକୁ ସୂଚାଏ । ଏହା ହିଁ ଆମର ପାରଂପରିକ ମାଣବସା ଚିତାର ବିଶେଷତ୍ୱ ।