କନକ ବ୍ୟୁରୋ: ନଗରରେ ଚାଲିଲା ବୁଲଡୋଜର । ବେଆଇନ ଘରକୁ ମାଟିରେ ମିଶାଇଲା ବିଡିଏ । ବାଲିଅନ୍ତା ଥାନା ଅଧିନ ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗର । ବିବାଦୀୟ ସୁର ବାବାଙ୍କ ଆଶ୍ରମକୁ ଲାଗି ରହିଛି ଏହି ଅଞ୍ଚଳ । ଏହାରି ଭିତରେ ସୁର ବାବାଙ୍କ ଦେହାନ୍ତ ହୋଇସାରିଛି, କିନ୍ତୁ ବିବାଦମୁକ୍ତ ହୋଇପାରିନି ତ୍ରାହି ଅଚ୍ୟୁତ ନଗର ।ଏପଟେ ବେଆଇନ ଘର ଉପରେ ବିଏମସିର ବୁଲଡୋଜର ଚାଲୁଛି, ଆଉ ସେପଟେ ଲୋକଙ୍କୁ ଘର ଖାଲି କରିବାକୁ ଡାକବାଜି ଯନ୍ତ୍ରରେ ହେଉଛି ଘନ ଘନ ଘୋଷଣା ହୋଇଛି ।

Advertisment

୨୦୧୧ ମସିହା ଜାନୁଆରୀରେ ବିଡିଏ ଅଧିନକୁ ଆସିଲା ବାଲିଅନ୍ତା ଥାନା

- ବାଲିଅନ୍ତା ଥାନା ଅଧିନରେ ରହିଛି ଝିଂଟି ସ୍ଥିତ ତ୍ରାହି ଅଚ୍ୟୁତ ନଗର

- ବିଡିଏଠାରୁ ପ୍ଲାନ ଆପ୍ରୁଭାଲ ନନେଇ ଏହି ଅଞ୍ଚଳରେ ଘରସବୁ ନିର୍ମାଣ ହୋଇଛି

- ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷଙ୍କ ଓଡିଏ କୋର୍ଟରେ ଏନେଇ ଶୁଣାଣି ହୋଇଥିଲା

- ବେଆଇନ ଭାବେ ନିର୍ମାଣ ହୋଇଥିବା ୨୨ଟି ଘର ଭାଙ୍ଗିବାକୁ ନିର୍ଦ୍ଦେଶ ହୋଇଛି

- ଏହାକୁ କାର୍ଯ୍ୟକାରୀ କରିବା ପାଇଁ ବିଡିଏ ଏବଂ କମିଶନରେଟ ପୋଲିସ ପହଞ୍ଚିଛି

ଏହାରି ଭିତରେ କିନ୍ତୁ କିଛି ଘର ମାଲିକ ଆପିଲେଟ ଅଥରିଟିରେ ଆବେଦନ କରିଛନ୍ତି । ନିୟମ ଅନୁସାରେ ଏଗୁଡିକର ଫୈସଲା ନହେବା ଯାଏଁ ଘର ଭଙ୍ଗା ଯାଇପାରିବ ନାହିଁ । ତେଣୁ ଆବେଦନ କରିଥିବା ୧୨ଟି ଘରକୁ ଛାଡି ବାକି ୧୦ ଘରକୁ ପର୍ଯ୍ୟାୟକ୍ରମେ ଭଙ୍ଗା ଯାଉଛି ।

ତ୍ରାହି ଅଚ୍ୟୁତ ଆଶ୍ରମର ସୁର ବାବା ଏହି ଘରଗୁଡିକୁ ନିର୍ମାଣ କରିଥିଲେ । ଡୁପ୍ଲେକ୍ସ ନିର୍ମାଣ କରି ବିଭିନ୍ନ ଲୋକଙ୍କୁ ବିକ୍ରି କରାଯାଇଥିଲା । ବେଆଇନ ଭାବେ ନିର୍ମାଣ କରାଯାଇଥିବାରୁ ଏଗୁଡିକ ଭାଙ୍ଗିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଥିଲା । ବିଭିନ୍ନ ବିବାଦରେ ଛନ୍ଦି ହୋଇ ସୁର ବାବା ୨୦୧୫ରେ ଗିରଫ ହୋଇଥିଲେ । ଆଶ୍ରମ ନାଁରେ ଜମି ଜବରଦଖଲ ଓ ସମ୍ପତି ହଡପ ଅଭିଯୋଗ ଥିଲା । ସେତେବେଳେ ତ୍ରାହି ଅଚ୍ୟୁତ ଆଶ୍ରମ ଚର୍ଚ୍ଚାରେ ଥିଲା୨୦୨୦ରେ ଶାରୀରିକ ଅସୁସ୍ଥତା ଯୋଗୁଁ ସୁର ବାବାଙ୍କ ଦେହାନ୍ତ ହୋଇଗଲା । ଏବେ ପୁଣି ଚର୍ଚ୍ଚାକୁ ଫେରିଛି ସେହି ତ୍ରାହି ଅଚ୍ୟୁତ ନଗର ।