କନକ ବ୍ୟୁରୋ : ଝାରସୁଗୁଡା ଜିଲ୍ଲାକୁ ୩୦ ପୁରି ୩୧ ଚାଲିଲା । ହେଲେ ଜିଲ୍ଲାରେ ପ୍ରତିଷ୍ଠା ହୋଇପାରିଲାନି ସରକାରୀ କଲେଜ । ବହୁବାର ପ୍ରତିବାଦ କରାଯାଇଛି । ହେଲେ ପ୍ରତିଥର ପ୍ରତିଶ୍ରୁତିର ସରିଯାଉଛି କାମ । ୧୯୯୪ ମସିହା ଜାନୁଆରି ପହିଲାରେ ଜିଲ୍ଲା ମାନ୍ୟତା ପାଇଥିଲା ଝାରସୁଗୁଡ଼ା ଜିଳ୍ଲା । ଜିଳ୍ଲାକୁ ୩୦ ବର୍ଷ ପୁରିଛି । ବେଶ ଧୁମଧାମରେ ପ୍ରତିଷ୍ଠା ଦିବସ ପାଳିତ ବି ହୋଇଛି । ହେଲେ ସେତେବେଳର ଜିଲ୍ଲା ଦେଖିଥିବା ସେହି ବିକାଶର ସ୍ୱପ୍ନ କିନ୍ତୁ ଅଧାରେ ରହିଯାଇଛି । ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରୟାସରେ ସମ୍ବଲପୁରରୁ ଅଲଗା ହୋଇ ଝାରସୁଗୁଡ଼ା ନୂତନ ଜିଲ୍ଲାର ମାନ୍ୟତା ପାଇଛି । ହେଲେ ଏବେ ବି ବିଭିନ୍ନ ମୌିଳିକ ସୁବିଧାରୁ ବଂଚିତ ରହିଛି ଝାରସୁଗୁଡା । ଶିଳ୍ପାୟନ ସାଙ୍ଗକୁ ବିମାନ ବନ୍ଦର ହୋଇପାରିଛି । ତାପରେ ବି ଜିଲ୍ଲାରେ ସରକାରୀ କଲେଜଟିଏ ବି ନାହିଁ । ଯାହାଫଳରେ ଛାତ୍ରଛାତ୍ରୀମାନେ ବାହାର ଜିଲ୍ଲା ଉପରେ ନିର୍ଭର କରିବାକୁ ପଡୁଛି ।
ଶିଳ୍ପସମୃଦ୍ଧ ଜିଲ୍ଲା ଝାରସୁଗୁଡ଼ା । ଶହଶହ କଳକାରଖାନା ଓ ଖଣିରୁ ସରକାର ବାର୍ଷିକ ରାଜସ୍ୱ ଆୟ କରୁଛନ୍ତି । ଜିଲ୍ଲା ଗଠନର ୩୦ ବର୍ଷ ବିତିଯାଇଛି ସତ ଝାରସୁଗୁଡ଼ାକୁ ଗୋଟିଏ ହେଲେ ସରକାରୀ କଲେଜ ମିଳିପାରିନି । ସବୁଠୁ ପୁରୁଣା ଏଲ୍ଏନ୍ କଲେଜକୁ ସରକାରୀ ମାନ୍ୟତା ଦାବିନେଇ ଅନେକ ଥର ଆନ୍ଦୋଳନ ହୋଇଛି । ହେଲେ କୌଣସି ସମାଧାନ ହୋଇନି ।
ନିର୍ବାଚନ ସମୟରେ ଝାରସୁଗୁଡା ଜିଲ୍ଲାରେ ସରକାରୀ କଲେଜ ସ୍ଥାପନ କରାଯିବ ବୋଲି ପତିଶ୍ରୁତି ମିଳେ । ଆଉ ନିର୍ବାଚନ ସରିଗଲା ପରେ ପ୍ରତିଶ୍ରୁତି ପାଲଟିଛି ପାଣିର ଗାର ।