ଜଙ୍ଗଲ ଭିତରେ ୫୦ ବର୍ଷର ଜୀବନ । ଆଦିମାନବଙ୍କ ଭଳି ବଞ୍ଚୁଛନ୍ତି ଝାରସୁଗୁଡାର ଗୋପାଳ ନାୟକ । ଉଲଗ୍ନ ହୋଇ ରହୁଛନ୍ତି, ଜଙ୍ଗଲଜାତ ଖାଦ୍ୟ ଖାଇ ଜୀବନ ଜିଉଁଛନ୍ତି

1,495

କନକ ବ୍ୟୁରୋ: ଝାରସୁଗୁଡା ଜିଲ୍ଲାରେ ବଣ ମଣିଷ । ତାହା ପୁଣି ଆଧୁନିକ ଯୁଗରେ । ପ୍ରାଚୀନ କାଳରେ ଆଦୀମ ମାନବ ଜଙ୍ଗଲରେ ରହୁଥିଲା । ଜଙ୍ଗଲରେ ପଶୁପକ୍ଷୀଙ୍କ ସହ ଜୀବନ ଯାପନ କରୁଥିଲା, ସମ୍ପୁର୍ଣ୍ଣ ଉଲଗ୍ନ ହୋଇ କଂଚାମାଂସ ଓ ଫଳମୂଳ ଖାଇ ରହୁଥିଲା । ଆଦିମ ମଣିଷଙ୍କ ଜୀବନଚର୍ଯ୍ୟାକୁ ନେଇ ଅନେକ ଫିଲ୍ମ ହୋଇଛି । ଟାର୍ଜନ, ଆଦିମ ମାନବ ଭଳି ଫିଲ୍ମ ଜରିଆରେ ଜଙ୍ଗଲି ମଣିଷଙ୍କ କାହାଣୀ ଆମେ ଦେଖିଛେ । ହେଲେ ଝାରସୁଗୁଡାର ଏକ ଜଙ୍ଗଲରେ ଜଣେ ବ୍ୟକ୍ତି ବଣ ମଣିଷ ଭଳି ଜୀବନ ଯାପନ କରୁଛନ୍ତି । ଜଙ୍ଗଲ ଭିତରେ ସମ୍ପୁର୍ଣ୍ଣ ଉଲଗ୍ନ ହୋଇ ଘୁରି ବୁଲୁଥିବା ସେହି ମଣିଷର ଜୀବନଚର୍ଯ୍ୟା ସଭ୍ୟସମାଜଠାରୁ ସମ୍ପୁର୍ଣ୍ଣ ଅଲଗା ।

ଦିନେ କି ଦୁଇ ଦିନ ନୁହେଁ ପ୍ରାୟ ୫୦ ବର୍ଷ ହେବ ଜଙ୍ଗଲରେ ରହୁଛନ୍ତି ଝାରସୁଗୁଡା ଲଇକେରା ବ୍ଲକ ସୁଡୁଙ୍ଗ ଗାଁର ଗୋପାଳ ନାୟକ । ପୁରା ଆଦିମ ମାନବଙ୍କ ଭଳି ତାଙ୍କ ଜୀବନଚଜ୍ୟା । ସାରା ଜୀବନ ସେ ଜଙ୍ଗଲ ଭିତରେ ରହୁଥିବା ବେଳେ ପୁରା ଉଲଗ୍ନ ହୋଇ ବୁଲନ୍ତି । ଗୋପାଳ ଜଙ୍ଗଲରୁ ଫଳମୂଳ ଖାଇ ବଂଚନ୍ତି ଆଉ ଜଙ୍ଗଲ ଭିତରେ କୁଡିଆ କରି ରୁହନ୍ତି । ଘଂଚ ଜଙ୍ଗଲ ଭିତରେ ବୁଲୁଥିବା ବେଳେ ଜଙ୍ଗଲି ଜନ୍ତୁ ତାଙ୍କର କୌଣସି କ୍ଷତି କରନ୍ତି ନାହିଁ କି ସେ କୌଣସି ଜୀବଜନ୍ତୁଙ୍କୁ କ୍ଷତି ପହଂଚାଇ ନଥାନ୍ତି । ମଝିରେ ମଝିରେ ସେମିତି ଉଲଗ୍ନ ହୋଇ ଘରକୁ ମାଆଙ୍କୁ ଦେଖା କରିବା ପାଇଁ ଆସନ୍ତି ଗୋପଳ ।

ଗୋପାଳଙ୍କୁ ଦେଖିଲେ ଯେ କେହି ବି ଭାବିବେ ଯେ ସେ ମାନସିକ ବିକାର ଗ୍ରସ୍ତ । କିନ୍ତୁ ନାଁ, ସେ ମାନସିକ ସ୍ତରରେ ସଂପୂର୍ଣ୍ଣ ସୁସ୍ଥ । କିନ୍ତୁ ପିଲାବେଳୁ ତାଙ୍କ ଚିନ୍ତାଧାରା ସଂପୂର୍ଣ୍ଣ ଭିନ୍ନ । ପିଲାଟି ଦିନରୁ ତାଙ୍କୁ ଡ୍ରେସ ପିନ୍ଧାଇଲେ ସେ ଚିରି ଫିଙ୍ଗି ଦେଉଥିଲେ ବୋଲି ଗୋପାଳଙ୍କ ମାଆ କହିଛନ୍ତି । ସେ ସାରା ଜୀବନ ଜଙ୍ଗଲ ଭିତରେ ରହୁଥିବା ବେଳେ ଜଙ୍ଗଲରେ ଚାଷ କରନ୍ତି, ଜଙ୍ଗଲରେ ବହି ଯାଉଥିବା ନାଳ ପାଣିକୁ ଅଟକାଇ ମାଛ ଚାଷ କରୁଛନ୍ତି । ଯାହା ତାଙ୍କ ସୁସ୍ଥ ମାନସିକତାର ପରିଚୟ ଦେଉଛି । ତେବେ ଗୋପାଳ ସବୁବେଳେ ଜଙ୍ଗଲରେ ରହୁଥିବା ଆଜି ଯାଏଁ ତାଙ୍କ ଭୋଟର କାର୍ଡ କି ଆଧାର କାର୍ଡ ହୋଇ ପାରିନାହିଁ ।