ବଡି ପାମ୍ପଡ ବି ଦେଇପାରେ ରୋଜଗାର । ଝାରସୁଗୁଡା ଲହଣ୍ଡାବୁଡ ଏସଏଚଜି ମହିଳା ହେଉଛନ୍ତି ଲାଭବାନ । ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ଉଦାହରଣ ।

224

କନକ ବ୍ୟୁରୋ : ବଡି ପାମ୍ପଡର ଚାହିଦା ଓଡିଶାରେ ସବୁଠି ରହିଛି । ଭଳିକି ଭଳି ବଡି ସହିତ ପାମ୍ପଡ ଖାଇବାକୁ ଲୋକେ ବେଶ ପସନ୍ଦ କରନ୍ତି ।ତେବେ ଝାରସୁଗୁଡା ଜିଲ୍ଲା ଲହଣ୍ଡାବୁଡ ର ଏକ ମହିଳା ସ୍ୱୟଂ ସାହାୟିକ ଗୋଷ୍ଠି ର ମହିଳା ମାନେ ବଡି ପାମ୍ପଡ ବିକ୍ରି କରି ବେଶ ଲାଭବାନ ହେଉଛନ୍ତି ।ନିଜେ ମହିଳା ମାନେ ଲାଭବାନ ହେବା ସହ ଅନ୍ୟ ମାନଙ୍କ ପାଇଁ ପଲଟିଛନ୍ତି ଉଦାହରଣ ।

ଓଡିଶାରେ ବଡି ଗୋଟିଏ ଏମିତି ଜିନିଷ ଯାହା ଯେଉଁ ତରକାରୀ ରେ ପଡୁ ନା କାହିଁକି ତାର ସ୍ୱାଦ କାହିଁ କେତେ ଗୁଣା ବଢେଇ ଦେଇଥାଏ । ଖାଇବା ସହିତ ଯଦି ପାମ୍ପଡ ଟିଏ ଥାଏ ତେବେ ଖାଇବାର ମଜା କିଛି ଅଲଗା ପ୍ରକାର ହୋଇଥାଏ । ତେବେ ଝାରସୁଗୁଡା ସଦର ବ୍ଲକ ଅନ୍ତର୍ଗତ ଲହଣ୍ଡାବୁଡ ଅଚଂଳର ମହିଳାମାନେ ବଡି ପାମ୍ପଡ ବିକ୍ରି କରି ଲାଭବାନ ହେଉଛନ୍ତି ।

ସରକାରୀ ଯୋଜନାର ସମସ୍ତ ପ୍ରକାରର ସୁଫଳ ବିନିଯୋଗ କରି ବର୍ଷକୁ ଲକ୍ଷାଧିକ ଟଙ୍କାର ବଡି ପାମ୍ପଡ ବ୍ୟବସାୟ କରୁଛନ୍ତି ମହିଳାମାନେ । ୨୦୧୩ ମସିହାରେ ଗ୍ରାମର କିଛି ମହିଳା ମାନେ ମିଶି ଏକ ସ୍ୱୟଂ ସାହାୟିକ ଗୋଷ୍ଠି ଗଠନ କରିଥିଲେ । ପରେ ବ୍ୟାଙ୍କ ସହିତ ମହିଳାମାନେ ଯୋଗାଯୋଗ କରି କିଛି ଋଣ ଆଣି ବ୍ୟବସାୟ ଆରମ୍ଭ କରିଥିଲେ । କଖାରୁ ବଡି ,ଖଇ ବଡି ,ରାଶି ବଡି ଭଳି ଭିନ୍ନ ଭିନ୍ନ ପ୍ରକାରର ବଡି ତିଆରି କରିବା ସହିତ ଶାଗୁ ପାମ୍ପଡ,ଚାଡଳ ପାମ୍ପଡ ଭଳି ପାମ୍ପଡ ସବୁ ତିଆରି କରୁଛନ୍ତି ମହିଳାମାନେ । ୃଯାହା ଝାରସୁଗୁଡା ତଥା ଆଖପାଖ ଅଂଚଳରେ ବେଶ ଚାହିଦା ସୃଷ୍ଟି କରିଛି ।

ବଡି ପାମ୍ପଡ ବ୍ୟବସାୟ କରି ବେଶ ଖୁସିରେ ଅଛନ୍ତି ମହିଳାମାନେ । ମହିଳାମାନେ ସ୍ୱାବଲମ୍ବି ହେବା ପାଇଁ ଘରେ ଘରେ ଚାଲିଛି ବଡି ଓ ପାମ୍ପଡ ତିଆରି । ଆଉ ଖୁବ କମ ଟଙ୍କାରେ ମହିଳାମାନେ ବେଶ୍ ଦୁଇ ପଇସା ରୋଜଗାର କରିପାରୁଛନ୍ତି । ଝାରସୁଗୁଡା ଓ ଆଖପାଖ ଅଂଚଳରେ ମହିଳା ମାନେ ବଜାର ବଜାର ଯାଇ ବିକ୍ରି କରିବା ସହିତ ଝାରସୁଗୁଡାର ବିଭିନ୍ନ ମଲ ଆଦିରେ ମଧ୍ୟ ବଡି ପାମ୍ପଡ ବିକ୍ରି କରୁଛନ୍ତି ମହିଳାମାନେ ।

ଏହାସହିତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଲାଗୁଥିବା ପଲ୍ଲ୍ୀଶ୍ରୀ ମେଳା ଆଦିରେ ବଡି ପାମ୍ପଡ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ମହିଳା ମାନେ । ମହିଳା ମାନେ ସ୍ୱାବଲମ୍ବି ହୋଇ ପରିବାରକୁ ଆର୍ଥିକ ସହାୟତା କରି ପାରିଲେ ସୁସ୍ଥ ପରିବାର ହେବା ସହିତ ସୁସ୍ଥ ସମାଜ ଗଠନ କରାଯାଇପାରିବ ।