କନକ ବ୍ୟୁରୋ: ପଦ୍ମପୁର ପରି ଝାରସୁଗୁଡାରେ ବି ବିରୋଧୀଙ୍କୁ ନିଶାନା କଲେ ନବୀନ । ପ୍ରଚାର ମଞ୍ଚରୁ ବିରୋଧୀଙ୍କୁ ସିଧାସଳଖ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଯେମିତି ପଦ୍ମପୁର ଉପ ନିର୍ବାଚନ ବେଳେ ବିରୋଧୀ ବର୍ଷାଙ୍କୁ ଆକ୍ଷେପ କରିଥିଲେ ଏବଂ ନବୀନ ବିରୋଧୀଙ୍କୁ ସମାଲୋଚନା କରିଥିଲେ । ଠିକ୍ ସେମିତି ବିଜେଡି ପ୍ରାର୍ଥୀ ଦୀପାଳିଙ୍କୁ ବିରୋଧୀଙ୍କ ବ୍ୟକ୍ତିଗତ ଆକ୍ଷେପ ଏବଂ ତାଙ୍କୁ ଗାଳିଦେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନବୀନ ।
ନବୀନ କହିଛନ୍ତି, ନିର୍ବାଚନରେ ହାରଜିତ ରହିଛି । ନିର୍ବାଚନ ପ୍ରଚାର ସମୟରେ ଆମେ ସମସ୍ତେ ଶୃଙ୍ଖଳା ରକ୍ଷା କରିବା ଜରୁରୀ । କାହାକୁ ବିଶେଷ କରି ଆମର ମାଆମାନଙ୍କୁ, ଆମର ପିଲାମାନଙ୍କୁ ଗାଳିଦେବା, ଅସମ୍ମାନ କରିବା ଉଚିତ ନୁହେଁ । ପଦ୍ମପୁର ଉପନିର୍ବାଚନ ବେଳେ ବାପାକୁ ହରାଇଥିବା ଗୋଟେ ଝିଅ ଉପରେ ବିରୋଧୀ କେମିତି ବ୍ୟବହାର କଲେ ତାହା ଆପଣ ଜାଣନ୍ତି । ଦୁଃଖର କଥା ଏଠାରେ ମଧ୍ୟ ସେମାନେ ଦୀପାଳିଙ୍କ ପ୍ରତି ସେହି ଭଳି ବ୍ୟବହାର କରିଛନ୍ତି, ଗାଳି ଦେଇଛନ୍ତି ଏହା ମତେ ବହୁତ ଦୁଃଖ ଦେଇଛି ବୋଲି ଝାରସୁଗୁଡାରେ ବି ବିରୋଧୀଙ୍କୁ ଟାର୍ଗେଟ କରିଛନ୍ତି ନବୀନ ।
ତେବେ ଦୀପାଳିଙ୍କ ପାଇଁ ଝାରସୁଗୁଡାବାସୀଙ୍କୁ ଭୋଟ ମାଗିଛନ୍ତି ନବୀନ । କହିଛନ୍ତି, ସେ ଜଣେ ଶିକ୍ଷିତ ଝିଅ, ସମାଜ ସେବାରେ ତାଙ୍କର ରୁଚି ରହିଛି । ଝାରସୁଗୁଡାବାସୀଙ୍କ ସେବାର ସୁଯୋଗ ମିଳିଲେ ସେ ଦକ୍ଷତାର ସହ ପାଳନ କରିପାରିବେ । ଝାରସୁଗୁଡା ସବୁବେଳେ ବିକାଶର ସାଥେ ରହିିଛି । ଆପଣ ବିକାଶକୁ ବିଶ୍ୱାସ କରନ୍ତି, ତେଣୁ ବିଜେଡି ସହ ଅଛନ୍ତି । ବିଜେଡି ମାଆମାନଙ୍କୁ ସଶକ୍ତ କରେ, ଚାଷୀଙ୍କୁ ସଶକ୍ତ କରିବାରେ ବିଶ୍ୱାସ କରେ ।