କନକ ବ୍ୟୁରୋ: ଝାରସୁଗୁଡା ପ୍ରଚାର ଲଢ଼େଇର ଅନ୍ତିମ ପର୍ଯ୍ୟାୟରେ ରାଜ୍ୟ ରାଜନୀତିର ଦୁଇ ବଡ଼ ଚେହେରା ପ୍ରଚାର ମୈଦାନକୁ ଓହ୍ଲାଇବେ । ଆସନ୍ତା ୭ ତାରିଖରେ ଝାରସୁସୁଡ଼ା ଉପ-ନିର୍ବାଚନ ପାଇଁ ପ୍ରଚାରର ମଙ୍ଗ ଧରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୂଚନା ଅନୁସାରେ ଝାରସୁଗୁଡ଼ା ବ୍ଲକରେ ପ୍ରଚାର କରିବେ ବିଜେଡି ସୁପ୍ରିମୋ । ଦଳୀୟ ପ୍ରାର୍ଥୀ ଦୀପାଳି ଦାସଙ୍କ ପାଇଁ ସମାବେଶ ଜରିଆରେ ଭୋଟ ମାଗିବେ ନବୀନ । ସେଇ ଗୋଟିଏ ଦିନରେ, ସମାନ ଢଙ୍ଗରେ ଝାରସୁଗୁଡାରେ ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ପାଇଁ ପ୍ରଚାର କରିବେ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ନିର୍ବାଚନୀ ସଭା ଏବଂ ରୋଡ ଶୋ’କରିବେ ଧର୍ମେନ୍ଦ୍ର ।

Advertisment

ପ୍ରଚାର ରାଜନୀତି ସରଗରମ ହୋଇଥିବା ବେଳେ ଉପନିର୍ବାଚନ ହିଂସାକୁ ନେଇ ମୁହଁମୁହିଁ ହୋଇଛନ୍ତି ବିଜେପି ଓ ବିଜେଡି । ବିଜେପି, ଗୁଣ୍ଡାଗର୍ଦ୍ଦି କରୁଥିବା ଅଭିଯୋଗ ଆଣି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବିଜେଡି । ଦଳ କହିଛି, ଲାଇକେରା ଅଞ୍ଚଳରେ ବିଜେଡି କର୍ମୀମାନେ ପ୍ରଚାର କରୁଥିବା ବେଳେ ବିଜେପି ବିଧାୟକ କୁସୁମ ଟେଟେ ଓ ଟଙ୍କଧର ତ୍ରିପାଠୀ, ବିଜେଡି କର୍ମୀଙ୍କୁ ଗାଳିଗୁଲଜ କରିଥିଲେ । ପରେ ବିଜେପି କର୍ମୀମାନେ ଜାତିଆଣ ଆକ୍ଷେପ କରିବା ସହ ବିଜେଡି କର୍ମୀଙ୍କୁ ଠେଙ୍ଗାରେ ଆକ୍ରମଣ କରିଥିଲେ ବୋଲି ବିଜେଡି ଅଭିଯୋଗ କରିଛି । ସେପଟେ ବିଜେଡିକୁ ଘେରିଛି ବିଜେପି । ହିଂସା କିଏ କରେ ତାହା ସ୍ପଷ୍ଟ ଭାବେ ସମସ୍ତେ ଜାଣନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିଛି । ଥାନାରେ ଏଫଆଇଆର ହେଲେ ଯେମିତି କାଉଣ୍ଟର ଏଫଆଇଆର ଦିଆଯାଏ । ଯେମିତି ବିଜେଡି ସିଇଓଙ୍କ ନିକଟରେ ଫେରାଦ ହୋଇଛି ବୋଲି ବିଜେପି କହିଛି ।

ରାଜନୀତିର ଏହି ବୟାନବାଜି ଭିତରେ ଆସନ୍ତା ୧୦ ତାରିଖରେ ଭୋଟ୍ ଦେବ ଝାରସୁଗୁଡ଼ା । ଆଉ ୧୩ ତାରିଖ ସ୍ପଷ୍ଟ ହୋଇଯିବ, ଉପ-ନିର୍ବାଚନରେ ବାଜି ମାରୁଛି କିଏ?