ଆଖିବୁଜା ଭୂତଳ ଜଳ ଶୋଷୁଛି ଝାରସୁଗୁଡା ବେଦାନ୍ତ କମ୍ପାନୀ । ଜଳସମ୍ପଦ ବିଭାଗର ବାରମ୍ବାର ତାଗିଦକୁ ବେଖାତିର । ମାଟି ତଳୁ ବେଧଡ଼କ ଚୋରି କରୁଛି ପାଣି

155

କନକ ବ୍ୟୁରୋ: ଝାରସୁଗୁଡାସ୍ଥିତ ବେଦାନ୍ତ ଆଲୁମିନିୟମ କାରଖାନାର ଗୋଟିଏ ପରେ ଗୋଟିଏ କେଳେଙ୍କାରୀ ସାମନାକୁ ଆସିବାରେ ଲାଗିଛି । ପ୍ରଥମେ ବେଦାନ୍ତ ଲେବର ସେସ୍ ବାବଦ ଅର୍ଥ ହଡପ କରିଥିବା ଜଣାପଡିବା ପରେ ଏବେ, ଭୂତଳ ଜଳ ଶୋଷୁଥିଲେ ବି ଏ ବାବଦରେ ଟଙ୍କାଟିଏ ଟିକସ ଦେଉନଥିବା ସାମନାକୁ ଆସିଛି । କମ୍ପାନୀର ଆୟତନ ଏହା ଭିତରେ ୧୦ଗୁଣା ବୃଦ୍ଧି ପାଇଥିବାବେଳେ, କମ୍ପାନୀ ୨୭ ପ୍ରତିଶତ କମ୍ ଭୂତଳ ଜଳ ବ୍ୟବହାର କରୁଥିବା ଦର୍ଶାଇଛି ବେଦାନ୍ତ । ତେବେ କମ୍ପାନୀ ବୃଦ୍ଧି ପାଉଥିବାବେଳେ ବେଦାନ୍ତ କେଉଁଠୁ ପାଣି ଆଣି ବ୍ୟବହାର କରୁଛି, ସେ ନେଇ ପ୍ରଶ୍ନ ଉଠିଛି ।

  • ଭୂତଳ ଜଳ ଶୋଷୁଛି ବେଦାନ୍ତ
  • ଦେଉନି ଟିକସ୍, ହେଉନି ମାମଲା

ଝାରସୁଗୁଡା ବେଦାନ୍ତ ଆଲୁମିନା କମ୍ପାନୀ ଭୂତଳ ଜଳ ଶୋଷି ଚାଲିଛି । ଜଳସମ୍ପଦ ବିଭାଗର ବାରମ୍ବାର ତାଗିଦ ଓ ନୋଟିସ୍ ସତ୍ୱେ, ବେଧଡକ ଭାବେ ମାଟି ତଳୁ ପାଣି ଚୋରି କରି ଚାଲିଛି ବେଦାନ୍ତ । ଏପରିକି ସିଲ୍ ହୋଇଥିବା ବୋରୱେଲଗୁଡିକୁ ଖୋଲି ସେଥିରୁ ପାଣି ବାହାର କରି, ତାପଜ ବିଦ୍ୟୁତ କେନ୍ଦ୍ର ଓ ଆଲୁମିନିୟମ ସ୍ମେଲଟର ପ୍ଲାଂଟରେ ବ୍ୟବହାର କରୁଥିବା ଅଭିଯୋଗ ହୋଇଛି । ମାଟି ତଳୁ ପ୍ରଚୁର ମାତ୍ରାରେ ପାଣି ବାହାରକରି ବେଦାନ୍ତ ଶିଳ୍ପରେ, ବ୍ୟବହାର କରୁଥିବାରୁ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଚିନ୍ତାରେ ପଡିଛନ୍ତି । ଆଗାମୀ ଦିନରେ ଜଳ ସଙ୍କଟ ଦେଖା ଦେବାର ଆଶଙ୍କା କରିଛନ୍ତି ।

୨୦୦୬ ମସିହାରେ ଝାରସୁଗୁଡାରେ ଗଢ଼ି ଉଠିଥିବା ବେଦାନ୍ତ ଆଲୁମିନା ୨୦୧୩ ମସିହା ପର୍ଯ୍ୟନ୍ତ ଭୂତଳ ଜଳ ବ୍ୟବହାର ବାବଦକୁ କୌଣସି ଟିକସ ଦେଇନଥିଲା । ଯାହାକୁ ନେଇ ୨୦୧୩ରେ ଜଳ ସମ୍ପଦ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ୨୩ଟି ବୋରୱେଲକୁ ସିଲ୍ କରାଯାଇଥିଲା । ସାର୍ଟିଫିକେଟ୍ କେସ୍ ମଧ୍ୟ ହୋଇଥିଲା । ଆଉ ବ୍ୟବହାର କରିଥିବା ଭୂତଳ ଜଳ ବାବଦକୁ ୪କୋଟି ୧୬ହଜାର ଟଙ୍କାର ବିଲ ଦେବାକୁ କୁହାଯାଇଥିଲା । ହେଲେ ବେଦାନ୍ତ କୌଣସି ବିଲ୍ ପଇଠ କରିନଥିଲା । ଯାହାକି ବର୍ତମାନ ସୁଧ ସହ ୧୩ କୋଟି ୨ଲକ୍ଷ ଟଙ୍କାରେ ପହଁଚିଛି । ହେଲେ, ବେଦାନ୍ତ ଏପର୍ଯ୍ୟନ୍ତ କୌଣସି ଜଳ ବିଲ୍ ଦେଇନଥିବା ଜଣାପଡିଛି । ତେବେ ବେଦାନ୍ତ ଉପରେ କେତେ ଟଙ୍କା ଜଳ କର ବାକି ଅଛି, ସେ ନେଇ ବିଭାଗୀୟ ଅଧିକାରୀଙ୍କୁ ଚିଠି କରାଯାଇଛି ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ନଜର ପକାନ୍ତୁ, ବେଦାନ୍ତର ଆଉ ଏକ ଷଡଯନ୍ତ୍ର ଉପରେ । ବେଦାନ୍ତ ପକ୍ଷରୁ ସରକାରଙ୍କୁ ଦିଆଯାଇଥିବା ତଥ୍ୟ ଅନୁସାରେ, ଏହା ଭିତରେ ୨୭ ପ୍ରତିଶତ ଜଳ ବ୍ୟବହାର କମିଛି । ଯାହାକି ସନ୍ଦେହକୁ ବଢ଼ାଇ ଦେଇଛି । ଆଉ ସତ ଲୁଚାଇବାକୁ ବେଦାନ୍ତର ଏହା ଆଉ ଏକ ଚାଲ ବୋଲି ଅଭିଯୋଗ ହେଉଛି । ତେବେ ପ୍ରଶ୍ନ ଉଠୁଛି…

  • ୨୦୦୬ ମସିହା ତୁଳନାରେ ବେଦାନ୍ତର ଆୟତନ ୧୦ଗୁଣା ବୃଦ୍ଧି ପାଇଥିବାବେଳେ, କେମିତି କମିଲା ଜଳ ବ୍ୟବହାର?
  • କୋଟି କୋଟି ଟଙ୍କା ଟିକସ ବାକି ଥିଲେ ବି କାହିଁକି ହେଉନି କାର୍ଯ୍ୟାନୁଷ୍ଠାନ?