କନକ ବ୍ୟୁରୋ : ଝାରସୁଗୁଡ଼ା ସଦର ବ୍ଲକ ଅନ୍ତର୍ଗତ ଦଲକି ପଂଚାୟତର ମା’ ଦୂର୍ଗା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଜିଆ ଖତ ବ୍ୟବସାୟ କରି ଭଲ ରୋଜଗାର କରୁଛନ୍ତି । ୨୦୨୦ରୁ ମହିଳା ମାନେ ଏହି ବ୍ୟବସାୟ ଆରମ୍ଭ କରିଛନ୍ତି । କୃଷି ମିତ୍ରଙ୍କ ସହାୟତାରେ ଜିଆ ଖତ ପ୍ରସ୍ତୁତି ପାଇଁ ତାଲିମ ନେଇ ତିନୋଟି ସିମେଂଟ ଟାଙ୍କି ତିଆରି କରିଛନ୍ତି । ସେଥିରେ ନଡ଼ା ଦେଇ ପାଣି ସିଂଚନ କରି ଖତ ପ୍ରସ୍ତୁତ କରୁଛନ୍ତି । ଖତ ଗୁଡ଼ିକ ଭଲଭାବେ ସଢିବା ପରେ ପାଣି ସିଂଚନ କରାଯାଏ । ଏହା ପରେ ତାକୁ ଚାଲୁଣିରେ ଛାଣି ପ୍ୟାକେଟିଂ କରି ବିକ୍ରି କରୁଛନ୍ତି ।

Advertisment

୨୦୦୫ରେ ୧୦ଜଣ ମହିଳା ମିଶି ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରିଥିଲେ । ପ୍ରଥମେ ପନିପରିବା ଚାଷ କରୁଥିଲେ ଏହି ଗ୍ରୁପର ସଦସ୍ୟା। ହେଲେ ପନିପରିବା ଚାଷରୁ ସେତେଟା ଲାଭ ହେଉନଥିଲା । ତେଣୁ ନୂଆ କିଛି କରିବାକୁ ଚିନ୍ତା କରି ଏଭଳି କିଛି କାମ ହାତକୁ ନେଇଛନ୍ତି । ଓରମାସ ସହାୟତାରେ ୨ଲକ୍ଷ ଟଙ୍କା ରୁଣ ନେଇ ଜିଆ ଖତ ପ୍ରସ୍ତୁତି କରୁଛନ୍ତି । ପ୍ରତିଦିନ ୪ରୁ ୫ ଘଂଟା ପରିଶ୍ରମ କରୁଛନ୍ତି ମହିଳା । ଦୁଇ ତିନି ମାସ ଭିତରେ ଏହି ଖତ ପ୍ରସ୍ତୁତ ହୋଇପାରୁଛି । ଏହାକୁ ପଲ୍ଲିଶ୍ରୀ ମେଳା, ବିଭିନ୍ନ ମେଳା ମହୋତ୍ସବରେ ବିକ୍ରି କରି ସେମାନେ ରୋଜଗାରକ୍ଷମ ହୋଇପାରିଛନ୍ତି ।

ଜିଆ ଖତ ବ୍ୟବସାୟ କରି ମହିଳା ମାନେ ପରିବାରକୁ ଆର୍ଥିକ ସହାୟତା କରିବା ସହ ନିଜେ ଆତ୍ମନିର୍ଭର ହୋଇପାରୁଛନ୍ତି । ଯାହା ଅନ୍ୟ ମହିଳାଙ୍କ ପାଇଁ ପ୍ରେରଣା ପାଲଟିଛି ।