କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ, ଖାଲି ପଡିଥିବା ଝାରସୁଗୁଡା ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ଘୋଷଣା ଅନୁସାରେ, ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପଡ଼ିବ ଭୋଟ୍ । ମେ ୧୩ ତାରିଖରେ ଭୋଟ୍ ଗଣତି ହେବ । ଏଥିପାଇଁ ଏପ୍ରିଲ ୧୩ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏପ୍ରିଲ ୨୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରିପାରିବେ ଆଶାୟୀ ପ୍ରାର୍ଥୀ । ଏପ୍ରିଲ ୨୧ରେ ପ୍ରାର୍ଥୀପତ୍ର ଯାଞ୍ଚ ଓ ୨୪ ପର୍ଯ୍ୟନ୍ତ ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ଦେଇଛନ୍ତି ନିର୍ବାଚନ କମିଶନ ।

Advertisment

ତାରିଖ ଘୋଷଣା ପରେ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ନବ ଦାସଙ୍କ ଝିଅ ଦିପାଳୀ ଦାସ । କହିଛନ୍ତି, ତାଙ୍କ ବାପାଙ୍କ ଦେହାନ୍ତ ୨୯ ତାରିଖରେ ହୋଇଥିବା ବେଳେ ୨୯ ତାରିଖରେ ନିର୍ବାଚନ ତାରିଖ ଘୋଷଣା ହୋଇଛି । ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତି ନେବେ ସେ ତାକୁ ସମ୍ମାନ ଜଣାଇବେ । ସେହିପରି ବିଜେପି ନେତା କହିଛନ୍ତି, ଦଳ ନିର୍ବାଚନ ପାଇଁ ପ୍ରସ୍ତୁତ । ପିସିସି ସଭାପତି କହିଛନ୍ତି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ଅଛି କଂଗ୍ରେସ । ତେବେ କାହାକୁ ପ୍ରାର୍ଥୀ କରିବ, ସେଥିପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ନେତୃତ୍ୱରେ ୫ଜଣିଆ କମିଟି ଗଠନ ହୋଇଛି ବୋଲି ସେ ସୂଚନା ଦେଇଛନ୍ତି । ଏବଂ ରିପୋର୍ଟ ଆସିବା ପରେ ପ୍ରାର୍ଥୀ ଘୋଷଣା କରାଯିବ ବୋଲି ଶରତ ପଟ୍ଟନାୟକ କହିଛନ୍ତି ।

ଝାରସୁଗୁଡା ଉପ-ନିର୍ବାଚନ ପାଇଁ ଏବେ ତାରିଖ ଘୋଷଣା ହୋଇଥିଲେ ବି ନବ ଦାସଙ୍କ ମୃତ୍ୟୁ ପରଠାରୁ, ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରି ଦେଇଛି ବିଜେଡି । ନବ ଦାସଙ୍କ ଝିଅ ଦୀପାଳି ଦାସ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ଥାନରେ ସଭା କରୁଛନ୍ତି । ବିଭିନ୍ନ ସମାଜକୁ ଭେଟିବା ଜାରି ରଖିଛନ୍ତି । ବିଜେପି ମଧ୍ୟ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରୁଛି ।