କନକ ବ୍ୟୁରୋ : ପାର୍ବଣ ବେଳେ ପତିଆରା ପ୍ରତିଯୋଗିତା । ଛାଇଯାଇଛି ନେତାଙ୍କ ପୋଷ୍ଟର । କେହି କାହାରିକୁ ଆକ୍ଷେପ କରୁନଥିଲେ ବି ନିଜର ଉପସ୍ଥିତି ଜାହିର କରିବାକୁ ଲଗାଯାଇଛି ପୋଷ୍ଟର । ପୂଜା ବେଳେ ଝାରସୁଗୁଡା ଓ ବ୍ରଜରାଜନଗର ନିର୍ବାଚନମଣ୍ଡଳୀର ଦୁଇ ବିଧାୟିକାଙ୍କ ପୋଷ୍ଟର ରାଜନୈତିକ ପାଣିପାଗକୁ ଆହୁରି ସରଗରମ କରିଛି । ଯାହା ଆଗାମୀ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ବଢାଇଛି ।

Advertisment

ଉଭୟ ନିର୍ବାଚନ ମଣ୍ଡଳୀର ଦୁଇ ପୁରୁଖା ନେତା କିଶୋର ମହାନ୍ତି ଏବଂ ନବ ଦାସଙ୍କ ଅବର୍ତମାନ ପରେ ଅଳକା ମହାନ୍ତି ଓ ଦୀପାଳି ଦାସ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ଦୁଇ ଦିବଙ୍ଗତ ବିଧାୟକ ପରସ୍ପରର ପ୍ରତିଦ୍ୱନ୍ଦୀ ଥିଲେ । ଆଉ ଦୂର୍ଗାପୂଜା ବେଳେ ଉଭୟ ନେତା ନିଜ ନିଜ ଅଞ୍ଚଳରେ ଲୋକଙ୍କ ସହ ମିଶି ଦୂର୍ଗାପୂଜା ପାଳନ କରୁଥିଲେ । କିଶୋର ମହାନ୍ତି ମଙ୍ଗଳବଜାର ଠାରେ ଶିବଶକ୍ତି ଦୂର୍ଗାପୂଜା କମିଟିର ନେତୃତ୍ୱ ନେଉଥିବା ବେଳେ ନବ ଦାସ ସରବାହାଲ ସ୍କୁଲ ପଡିଆରେ ଆୟୋଜିତ ଦୂର୍ଗାପୂଜାର ନେତୃତ୍ୱ ନେଉଥିଲେ । ସେହିପରପି ସମାନ ଭାବେ ରାବଣ ପୋଡି ଉଭୟଙ୍କ ପୃଷ୍ଠପୋଷକତାରେ ହେଉଥିଲା ।

କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଗତବର୍ଷ ଆୟୋଜିତ ହୋଇଥିବା ଦୂର୍ଗାପୂଜାରୁ ଦୂରେଇ ରହିଥିଲେ ତାଙ୍କ ପରିବାର । ଚଳିତଥର କିନ୍ତୁ ତାଙ୍କ ବିଧାୟିକା ପତ୍ନୀ ଅଳକା ମହାନ୍ତି ବେଶ ସକ୍ରିୟ ହୋଇଥିବା ଦେଖିବାକୁ ମିଳିଛି । ବଜାର ଘାଟରେ ବିଭିନ୍ନ ପୋଷ୍ଟର ଲାଗିଛି । ଯେଉଁଥିରେ ଦୂର୍ଗାପୂଜାର ଶୁଭେଚ୍ଛା ସହିତ ଦୀପାଳି ଓ ଅଳକାଙ୍କ ଫଟୋ ଲାଗିଛି । ଆଗକୁ ବିଧାନସଭା ଓ ନିର୍ବାଚନ ରହିଛି । ଏପରି ସ୍ଥିତିରେ ଜିଲ୍ଲାର ଦୁଇ ବରିଷ୍ଠ ନେତାଙ୍କ ଅନୁପସ୍ଥିତିରେ ତାଙ୍କ ଉତ୍ତରାଧିକାରୀ ରାଜନୀତିରେ ଏବେ ସକ୍ରିୟ ଅଛନ୍ତି ।