କେବିସି ଲଟେରି ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଥିବା ଠକ ନେପାଳ ସୀମାରୁ ଗିରଫ : ଅଭିଯୁକ୍ତ ନିରଜ କୁମାରର ଘର ବିହାରରେ ହୋଇଥିବା ସୂଚନା

କେବିିସି ସଦସ୍ୟ କହି, ଝାରସୁଗୁଡାର ଜଣେ ଯୁବତୀଙ୍କ ଠାରୁ ୧ଲକ୍ଷ ୬୯ ହଜାର ଟଙ୍କା ନେଇ ଯାଇଥିଲା ଏହି ଫ୍ରଡ ମାଷ୍ଟର

207

କନକ ବ୍ୟୁରୋ : ସାଇବର ଠକେଇ କରି ବିଦେଶ ଖସି ଯିବା ଆଗରୁ ଧରା ପଡିଲା ଅଭିଯୁକ୍ତ । ନେପାଳ ସୀମାରୁ ସାଇବର ଠକକୁ ଗିରଫ କରି ଟ୍ରାନଜିଟ ରିମାଣ୍ଡରେ ଆଣିଛି ଝାରସୁଗୁଡା ପୁଲିସ । ଗିରଫ ଅଭିଯୁକ୍ତ ହେଉଛି ବିହାରର ନିରଜ କୁମାର । କୌନବନେଗା କରୋଡପତି ଲଟେରି ନାଁରେ ବେଲପାହାଡ ଗାନ୍ଧିନଗରର ଜଣେ ଯୁବତୀଙ୍କ ଠାରୁ ୧ଲକ୍ଷ ୬୯ ହଜାର ଟଙ୍କା ଠକେଇ କରିଥିଲା ଏହି ଅଭିଯୁକ୍ତ ।

ଏସ୍‌ପିଙ୍କ ସୂଚନା ଅନୁଯାୟୀ ‘କୌନ୍‌ ବନେଗା କରୋଡ୍‌ ପତି’ରୁ ଫୋନ୍‌ କରୁଥିବା କହି ଠକମାନେ ଯୁବତୀଙ୍କୁ ୩୫ ଲକ୍ଷ ଟଙ୍କାର ଲଟେରି ପାଇଥିବାର ଲୋଭ ଦେଖାଇଥିଲେ । ଏଥିପାଇଁ ତାଙ୍କୁ ଟ୍ୟାକ୍‌ସ ଆକାରରେ କିଛି ଅର୍ଥ ଜମା କରିବାକୁ କୁହାଯାଇଥିଲା। ଟଙ୍କା ଲୋଭରେ ପ୍ରଥମେ ୧୮, ୨୦୦ ଟଙ୍କା, ପରେ ୩୫, ୦୦୦, ୩୬, ୦୦୦ ଟଙ୍କା ବିକାଶ ରାମ ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ (୩୯୯୯୫୬୬୬୨୩୧) ରାକ୍‌ସୁଆଲ୍‌ ବ୍ରାଞ୍ଚ୍‌ରେ ଡିପୋଜିଟ୍‌ କରିଥିଲେ । ପୁଣି ଥରେ ଯୁବତୀ ଜଣଙ୍କ ୪୦ ହଜାର ଲେଖାଏଁ ଦୁଇ ଥରରେ ୮୦ ହଜାର ଟଙ୍କା ଡିପୋଜିଟ୍‌ କରିଥିଲେ । କିନ୍ତୁ ତାଙ୍କୁ କୌଣସି ଲଟେରି ଟଙ୍କା ମିଳି ନଥିଲା। ପରେ ତାଙ୍କୁ ଆଉ ୬୫ ହଜାର ଟଙ୍କା ଡିପୋଜିଟ୍‌ କରିବାକୁ ଠକ ଜଣକ କହିଥିଲା । ଏହା ପରେ ସେ ଠକେଇର ଶିକାର ହୋଇଥିବା ଜାଣିପାରି ଗତ ୨ ତାରିଖରେ ବେଲପାହାଡ଼ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା।

ତଦନ୍ତ ସମୟରେ ପୁଲିସ ଜାଣିବାକୁ ପାଇଥିଲା ଯେ ବିକାଶ ରାମ ନାମରେ ଥିବା ଉକ୍ତ ଆକାଉଣ୍ଟ୍‌ ନୂଆ କରି ଖୋଲା ଯାଇଥିଲା। ଏହି ଆକାଉଣ୍ଟ୍‌ରୁ ଅନ୍ୟ ୩ଟି ଘରୋଇ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟଙ୍କା ଦେଣନେଣ ହୋଇଥିଲା । ଏହି ୩ ଆକାଉଣ୍ଟ୍‌ ନିରଜ କୁମାର (ଆଇସିଆଇସିଆଇ), ମହେଶ କୁମାର (ଆଇସିଆଇସିଆଇ) ଓ ରମେଶ କୁମାର (ଆଇସିଆଇସିଆଇ)ଙ୍କ ନାଁରେ ରହିଛି। ଗତ ୨ ମାସ ମଧ୍ୟରେ ଏହି ଆକାଉଣ୍ଟ୍‌ରୁ ପ୍ରାୟ ୩ କୋଟି ୩୩ ଲକ୍ଷ ଟଙ୍କାର କାରବାର ହୋଇଥିବା ପୁଲିସ ଜାଣିବାକୁ ପାଇଥିଲା ।

ସେହିପରି ରମେଶ କୁମାର ନାମକ ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌କୁ ଗତ ୭ ଦିନ ମଧ୍ୟରେ ୩୨ ଲକ୍ଷ ଟଙ୍କା ଓ ମହେଶ କୁମାରଙ୍କ ଆକାଉଣ୍ଟ୍‌କୁ ୨୬ ଲକ୍ଷ ଟଙ୍କା ପଠାଯାଇଛି । ଏତେ କମ୍‌ ଦିନ ମଧ୍ୟରେ ଏତେ ଟଙ୍କାର କାରବାର ହୋଇଥିବା ଜାଣିବା ପରେ ପୁଲିସର ସନ୍ଦେହ ଦୃଢ଼ ହୋଇଥିଲା । ଏସ୍‌ପି ଶ୍ରୀ ଦାସ ଏବଂ ଏସ୍‌ଡିପିଓ ଶ୍ରୀ ଦାସଙ୍କ ନେତୃତ୍ବରେ ଗଠିତ ଟିମ୍‌  ବିହାର ପୁଲିସ ସହଯୋଗରେ ଚଢ଼ଉ କରିଥିଲା । ପୁଲିସ ଚଢ଼ଉ ଜାଣିପାରି ଅନ୍ୟମାନେ ନେପାଳ ଖସି ପଳାଇଥିଲେ ।

ତେବେ ପୁଲିସ ନିରଜ କୁମାରକୁ ଠାବ କରି ଗିରଫ କରିବାରେ ସଫଳ ହୋଇଥିଲା । ପ୍ରାୟ ୩୦ରୁ ଅଧିକ ଆକାଉଣ୍ଟ୍‌ରେ ଏପରି ବେଆଇନ୍‌ କାରବାର ହୋଇଥିବା ପୁଲିସ ତଦନ୍ତରେ ଜାଣିବା ପରେ ଠକେଇ ଟଙ୍କା ଥିବା ଆକାଉଣ୍ଟ୍‌କୁ ସିଜ୍‌ କରିବାକୁ ବ୍ୟାଙ୍କ କର୍ତୃପକ୍ଷଙ୍କୁ ଲିଖିତ ଭାବେ ଜଣାଇଥିଲା । ସିଜ୍‌ ଆକାଉଣ୍ଟ୍‌ରେ ପ୍ରାୟ ୪୪ ଲକ୍ଷ ଟଙ୍କା ଥିବା ଏସ୍‌ଡିପିଓ ଶ୍ରୀ ଦାସ କହିଛନ୍ତି ।