କନକ ବ୍ୟୁରୋ: ଝାରସୁଗୁଡା ଏମସିଏଲ କୋଇଲାଖଣିର ଦାଦାଗିରି । ଏମସିଏଲ ଖୋଲା ମୁହାଁ କୋଇଲା ଖଣି ଯୋଗୁଁ ବିସ୍ତାପିତ ହେଉଥିବା ଲୋକମାନଙ୍କୁ ନା ମିଳୁଛି ଘର ନା ରୋଜଗାର । ଫଳରେ ସବୁ ଦିନ ବଂଚିବାକୁ ସଂଘର୍ଷ କରୁଛନ୍ତି ବାସହରା । ଏହାସହ ଗାଁ ପାଖରେ ପଥର ବ୍ଲାଷ୍ଟିଂ ଯୋଗୁଁ ଭୟରେ ଜୀବନ କାଟୁଛନ୍ତି ସ୍ଥାନୀୟ ଲୋକେ ।
ଝାରସୁଗୁଡା ଲଖନପୁର ବ୍ଲକ ଅନ୍ତର୍ଗତ ଦର୍ଲିପାଲିଗାଁରେ ଘର ଠାରୁ ମାତ୍ର ୨୦ ମିଟର ଦୁରରେ ଚାଲିଛି ପଥର ବ୍ଲାଷ୍ଟିଂ । ଫଳରେ ଭୟଙ୍କର ବିସ୍ଫୋରଣ ଯୋଗୁଁ ଫାଟି ଆଁ କରୁଛି ଘରର କାନ୍ଥ । ଏମସିଏଲ କମ୍ପାନୀର ମନମୁଖୀ ବ୍ଲାଷ୍ଟିଂ ଓ କୋଇଲା ଖନନ ଯୋଗୁଁ ଭୟରେ ଜୀବନ କାଟୁଛନ୍ତି ଲୋକେ । ଅନେକ ସମୟରେ ଘର ଭାଙ୍ଗି ଯାଉଛି, ହେଲେ ନିୟମ ଅନୁଯାୟୀ ଏମସିଏଲ କ୍ଷତିପୂରଣ ଦେଉନଥିବା ଅଭିଯୋଗ ହେଉଛି । ୧୯୮୨ରୁ କୋଇଲା ଖଣି ପାଇଁ ଜମି ଅଧିଗ୍ରହଣ କରିଛି ମହାନଦୀ କୋଇଲା କମ୍ପାନୀ, ଖଣି ସମ୍ପ୍ରସାରଣ ମଧ୍ୟ ହେଉଛି । ହେଲେ ଏଯାଏଁ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇନାହିଁ ।
ଲୋକଙ୍କ ସମସ୍ତ ଜମିକୁ ଏମସିଏଲ କମ୍ପାନୀ ଅଧିଗ୍ରହଣ କରିଥିବା ବେଳେ କିଛି ଲୋକଙ୍କୁ ଏ ପର୍ଯ୍ୟନ୍ତ ଘର କି ଚାକିରି ଖଣ୍ଡିଏ ମିଳିନାହିଁ । ଏତିକିରେ ଦୁଃଖ ସରିନି, ପଥର ବ୍ଲାଷ୍ଟଂ ଯୋଗୁଁ ପ୍ରଦୁଷଣ ମାତ୍ରା ବଢୁଥିବା ବେଳେ ପିଇବା ପାଇଁ ପାଣି ଟୋପାଏ ପାଉନଥିବା ଅଭିଯୋଗ ହୋଇଛି । ଅନ୍ୟପଟେ ବିସ୍ଥାପିତଙ୍କୁ ନିୟମ ଅନୁଯାୟୀ କ୍ଷତିପୂରଣ ଦେବା ଦିଗରେ ପଦକ୍ଷେପ ନେବାକୁ ଆରପିଡିଏସି ବୈଠକରେ ଏମସିଏଲ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି । ଝାରସୁଗୁଡା ଲଖନପୁର ବ୍ଲକର ଦର୍ଲିପାଲି ସମେତ ଟିଙ୍ଗିସମାଲ, ଖଇରକୁନି, ସାହାଜବାହାଲ ଆଦି ଅଂଚଳରେ ଏମସିଏଲ ପକ୍ଷରୁ କୋଇଲା ଖଣି କରାଯାଇଛି । ସେଠାରେ ମଧ୍ୟ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ଆଜି ଯାଏଁ ହୋଇ ନାହିଁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-13-17h05m19s553.png)