କରୋନା ଚେନ୍ ଭାଙ୍ଗିବାକୁ ଆଗକୁ ଆସିଲା ଝାରସୁଗୁଡା ବଣିକ ସଂଘ । କାଲିଠୁ ୭ ଦିନ ପାଇଁ ବନ୍ଦ ରହିବ ସହରର ଦୋକାନ ବଜାର, ନୟାଗଡରେ ବି ଆସନ୍ତା ସୋମ-ମଙ୍ଗଳ ବନ୍ଦ ରହିବ ସହର ।

467

କନକ ବ୍ୟୁରୋ: ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାବେଳେ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି । ଲକଡ଼ାଉନ୍ ସଟଡ଼ାଉନ ଭଳି କଟକଣା ଲାଗୁ ହୋଇଥିଲେ ମଧ୍ୟ ସଂକ୍ରମଣ ଉପରେ ରୋକ୍ ଲାଗିପାରୁ ନାହିଁ । ତେଣୁ ନିଜ ଅଂଚଳରୁ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ଆଗେଇ ଆସିଛି ଝାରସୁଗୁଡ଼ା ବଣିକ ସଂଘ । ଝାରସୁଗୁଡ଼ା ଜିଲ୍ଲାରେ ସାତ ଦିନପାଇଁ ଦୋକାନ ବଜାର ବନ୍ଦ ରହିବ । ଏନେଇ ଝାରସୁଗୁଡ଼ା ବଣିକ ସଂଘ ପକ୍ଷରୁ ନିସ୍ପତି ନିଆଯାଇଛି ।

ତେବେ ବନ୍ଦ ସମୟରେ ସକାଳ ୬ଟାରୁ ମଧ୍ୟାନ୍ନ ୧୨ଟା ଯାଏଁ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିପାରିବେ ଲୋକେ । ସେପଟେ ଆଜି ଝାରସୁଗୁଡ଼ାରେ ୧୮୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଝାରସୁଗୁଡ଼ା ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ହଜାର ୭ଶହ ୬୫ରେ ପହଂଚିଛି । ୧୪ଶହ ୪୮ଜଣ ସକ୍ରିୟ ଥିବା ବେଳେ ୩ହଜାର ୩ଶହ ୧୦ ଜଣ ସୁସ୍ଥ ହେଲେଣି । ସେହିପରି ଜିଲ୍ଲାରେ କରୋନା ସଂକ୍ରମଣ ଯୋଗୁଁ ଏପର୍ଯ୍ୟନ୍ତ ୭ଜଣଙ୍କର ପ୍ରାଣହାନୀ ହୋଇଛି ।

ସେହିପରି ନୟାଗଡ଼ ଟାଉନରେ ମଧ୍ୟ ସୋମବାର ଓ ମଙ୍ଗଳବାର ଦୋକାନ ବଜାର ବନ୍ଦ ରଖିବାକୁ ନିସ୍ପତି ନେଇଛି ବଣିକ ସଂଘ । ଜିଲ୍ଲା ପ୍ରସାଶନର ନିସ୍ପତି କ୍ରମେ ଏଭଳି ନିସ୍ପତି ନିଆଯାଇଛି । ସେପଟେ ଆଜି ନୟାଗଡ଼ରେ ୫୨ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ୪ହଜାର ୪ଶ ୯୪ ଜଣ ସଂକ୍ରମିତ ହେଲେଣି । ୫୯୫ଜଣ ସକ୍ରିୟ ଆକ୍ରାନ୍ତ ଥିବା ବେଳେ ୩ହଜାର ୮ଶହ ୭୭ଜଣ ସୁସ୍ଥ ହେଲେଣି । ସେହିପରି କରୋନା ଯୋଗୁଁ ଜିଲ୍ଲାରେ ଏପର୍ଯ୍ୟନ୍ତ ୨୦ଜଣଙ୍କର ମୃତ୍ୟୁ ହେଲାଣି