ବିକ୍ରି ପାଇଁ ଯାଉଥିବା ବେଳେ ଗାଡିରୁ ଖସିପଡିଲା ପିଆଜ ବସ୍ତା । କିଏ ବ୍ୟାଗରେ ବୋହିନେଲେ ତ ଆଉ କିଏ ପକେଟ୍ ଓ ଗାମୁଛାରେ ବାନ୍ଧିନେଇଗଲେ ।

398

କନକ ବ୍ୟୁରୋ : ପିଆଜ ଖାଇବାର ଲାଳସା ସାମ୍ନାରେ ବଳି ପଡ଼ିଲା ମାନବିକତା । ପିଆଜ ନ କିଣି ମାଗଣାରେ ପିଆଜ ବୋହି ନେବାର ମାନସିକତା ନେଇ ଏମିତି ଏକ ଭିଡିଓ ଭାଇରାଲ ହୋଇଛି, ଯାହାକି ଲୋକଙ୍କ ଚିନ୍ତାଧାରା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରିଛି । ଜଣେ ପିଆଜ ବେପାରୀଙ୍କ ଅସୁବିଧାକୁ ସାମାନ୍ୟ ଭୃକ୍ଷେପ ନକରି ତାଙ୍କ ପିଆଜକୁ ଲୋକ ବୋହିନେଇଛନ୍ତି । ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ଅଂଚଳରେ କିଛି ଏଭଳି ଏକ ଘଟଣାର ଭିଡିଓ ସାମ୍ନାକୁ ଆସିଛି ।

ମିଳିଥିବା ସୂଚନା ମୁତାବକ ବେଲପାହାଡ଼ ଫାଟକ ନିକଟରେ ପରିବା ଦୋକାନ କରିଥିବା ବିକ୍ରମ ମେହେର ନିଜ ଦୋକାନକୁ ଗତକାଲି ସନ୍ଧ୍ୟାରେ ସାଇକେଲ ମାଧ୍ୟମରେ ଏକ ବସ୍ତା ପିଆଜ ଆଣୁଥିଲେ । ହଠାତ ଏହି ସମୟରେ ପିଆଜ ବସ୍ତାଟି ଖୋଲିଯିବାରୁ ରାସ୍ତା ଉପରେ ପିଆଜ ଢ଼ାଳି ହୋଇଯାଇଥିଲା । ବିକ୍ରମ ସାଇକେଲ ରଖି ପିଆଜ ଗୋଟାଇବାକୁ ଯାଉଥିବା ବେଳେ କିଛି ଲୋକ ପିଆଜ ନେବାକୁ ଚାଲିଆସିଥିଲେ ।

ବ୍ୟବସାୟୀଙ୍କ ପିଆଜକୁ ନିଜ ବ୍ୟାଗରେ ପୁରାଇ ବୋହି ନେଇଯାଇଥିଲେ । କେବଳ ନିଜେ ନେଇ ନଥିଲେ ବଡ ପାଟିରେ ଚିତ୍କାର କରି ପିଆଜ ନେବାକୁ ଅନ୍ୟ ଲୋକଙ୍କୁ ମଧ୍ୟ ଆମନ୍ତ୍ରଣ କରିଥିଲେ । ପିଆଜ କିଲୋ ପିଛା ୧୨୦ ଟଙ୍କାରୁ ଖସି ୬୦ ଟଙ୍କାରେ ପହଁଚିଥିବା ବେଳେ ପିଆଜ ବିକ୍ରି କରି ନିଜ ପରିବାର ଚଳାଉଥିବା ଜଣେ ବ୍ୟବସାୟୀଙ୍କ ପିଆଜ ନେଇଯିବା ଘଟଣା ଚର୍ଚ୍ଚା ସୃଷ୍ଟି କରିଛି ।