ବାଟରେ ଜଗିଥିଲା ମୃତ୍ୟୁ । ଝାରସୁଗୁଡା ଲଖନପୁର ନିକଟରେ କୋଇଲା ବୋଝେଇ ଟ୍ରକ ସହ ପିକଅପ ଭ୍ୟାନ ମୁହାଁମୁହିଁ ଧକ୍କା,  ୫ ଜଣଙ୍କ ମୃତ୍ୟୁ, ୮ ଆହତ

668

କନକ ବ୍ୟୁରୋ : ସକାଳୁ ସକାଳୁ କୀର୍ତନ ପାଇଁ ବାହାରିଥିଲେ । ଆଉ ଅଧାବାଟରେ ଘଟିଲା ଅଘଟଣ । ସାମ୍ନାପଟୁ ଆସୁଥିବା କୋଇଲା ବୋଝେଇ ଟ୍ରକ ସହ ହେଲା ମୁହାଁମୁହିଁ ଧକ୍କା । ଆଉ ଦୁର୍ଘଟଣାରେ ଚାଲିଗଲା ୫ ଜୀବନ । ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ଜୁନିଅନ ନିକଟରେ ଘଟିଛି ଏଭଳି ମର୍ମନ୍ତୁଦ ଦୁର୍ଘଟଣା । ମହାସିଂ ପଟୁ ୧୩ ଜଣ ଯାତ୍ରୀଙ୍କୁ ନେଇ ଏକ ଟାଟା ମ୍ୟାଜିକ ବେଲପାହାଡ ପଟକୁ ଆସୁଥିବାବେଳେ ଅନ୍ୟପଟରୁ ଏକ କୋଇଲା ବୋଝେଇ ଭାରୀଯାନ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଡ୍ରାଇଭରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଛି ।

ଝାରସୁଗୁଡାରୁ କନକତୋରା ଯାଏଁ ୪ ଲେନ ରାସ୍ତା ବିଶିଷ୍ଟ ଜାତୀୟ ରାଜପଥ-୪୯ରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଅସନ୍ତୁଷ୍ଟ ଲୋକେ ରାସ୍ତାରୋକ କରି ପ୍ରତିବାଦ କରିଛନ୍ତି    । ଶିଳ୍ପ ଏବଂ ଖଣିକୁ ମାଲ ପରିବହନ କରୁଥିବା ଭାରୀଯାନଗୁଡିକ ବେପରୁଆ ଗାଡ଼ି ଚାଳନା କରୁଥିବାରୁ ଏହିପରି ଦୁର୍ଘଟଣା ଘଟୁଥିବା ଲୋକେ ଅଭିଯୋଗ କରିଛନ୍ତି । ତେବେ ଦୈନନ୍ଦିନ ଦୁର୍ଘଟଣାକୁ ରୋକିବା ଦିଗରେ ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ସହ ଶୀଘ୍ର ୪ ଲେନ ବିଶିଷ୍ଟ ରାସ୍ତା ନିର୍ମାଣ କରାଯାଉ ବୋଲି ଲୋକେ ଦାବି କରିଛନ୍ତି । ଅନ୍ୟପଟେ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତମ ଚିକିତ୍ସା ସହ କ୍ଷତିପୂରଣ ଦାବି କରିଛନ୍ତି ଉତ୍ୟକ୍ତ ଲୋକ ।

ଦୁର୍ଘଟଣାରେ ଗୁରୁତର ୮ ଜଣ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ସେପଟେ ଟ୍ରକ୍ର ଆଉଜଣେ ଡ୍ରାଇଭର ଫେରାର ଥିବା ବେଳେ ତାଙ୍କୁ ଗିରଫ ପାଇଁ ଦାବି ହୋଇଛି ।