ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିବା ପଡିଲା ମହଙ୍ଗା । ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ନିଲମ୍ବନ କଲେ ସରକାର ।

747

କନକ ବ୍ୟୁରୋ : ମହଙ୍ଗା ପଡ଼ିଲା ଅଦାଲତ ଅବମାନନା । ନିଲମ୍ବନ ହେଲେ ଝାରସୁଗୁଡ଼ା ଜିଲ୍ଲାପାଳ । ଝାରସୁଗୁଡ଼ା ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କୁ ନିଲମ୍ବନ କରିଛନ୍ତି ସରକାର । ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଉଲଂଘନ କରିବା ଜିଲ୍ଲାପାଳଙ୍କୁ ମହଙ୍ଗା ପଡ଼ିଛି । ଅତିରିକ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲାପାଳଙ୍କ ଦାୟିତ୍ୱ ଦିଆଯାଇଛି ।

ମଦଦୋକାନ ପାଇଁ ଲାଇସେନ୍ସ ପାଇଥିବା ଜଣେ ବ୍ୟକ୍ତି ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ମଦଦୋକାନ ଖୋଲି ପାରିନଥିଲେ । ହେଲେ ଅବକାରୀ ବିଭାଗ ଟ୍ୟାକ୍ସ ପାଇଁ ନୋଟିସ ଦେବାରୁ ସେ ଏହା ବିରୋଧରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏହି ମାମଲାରେ ରହିତାଦେଶ ଜାରି କରି ସଂପୃକ୍ତ ମଦଦୋକାନୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବାକୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ ।

ରହିତାଦେଶ ନିର୍ଦ୍ଦେଶ ସତ୍ୱେ ମଦ ଲାଇସେନ୍ସ ବାତିଲ କରିବାରୁ ଜିଲ୍ଲାପାଳଙ୍କ ଉପରେ କ୍ଷୁବ୍ଧ ହୋଇଥିଲେ ହାଇକୋର୍ଟ । ବାରମ୍ବାର ଅଦାଲତ ଅବମାନନା କରିବା ଯୋଗୁଁ ନିଲମ୍ବନ ଆଦେଶ ଦେଇଥିଲେ ହାଇକୋର୍ଟ । ପୂରା ମାମଲାର ତଦନ୍ତ କରିବାକୁ ରାଜସ୍ୱ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଅଗଷ୍ଟ ୨୭ ତାରିଖ ଦିନ ମାମଲାର ପରବର୍ତ୍ତୀ ଶୁଣାଣୀ କରିବେ ହାଇକୋର୍ଟ ।