କନକ ବ୍ୟୁରୋ: ଝାରସୁଗୁଡ଼ା ଉପ-ନିର୍ବାଚନ ଏବେ ରୋଚକ ମୋଡରେ ପହଁଚିଛି । ନେତା, କର୍ମୀଙ୍କ ଗହଣରେ ଆସି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ତଥା ନବ ଦାସଙ୍କ ଝିଅ ଦୀପାଳି ଦାସ । ଏଥିପାଇଁ ଝାରୁସୁଗୁଡାରେ ବିରାଟ ପଟୁଆର କରି ଶକ୍ତିପ୍ରଦର୍ଶନ କରିଛି ବିଜେଡି । ଝାରସୁଗୁଡା ମନମୋହନ ସ୍କୁଲରୁ ରାଜ୍ୟସ୍ତରୀୟ ନେତା ଓ କର୍ମୀଙ୍କ ସହ ବିରାଟ ଶୋଭାଯାତ୍ରାରେ ବାହାରିଥିଲେ ଦୀପାଳି । ଶୋଭାଯାତ୍ରା ବିଭିନ୍ନ ଛକ ଦେଇ ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚିଥିଲା । ଆଖପାପାଖ ନିର୍ବାଚନମଣ୍ଡଳୀରୁ ବହୁ ସଂଖ୍ୟାରେ ଦଳୀୟ କର୍ମୀ ଓ ନେତା ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ମନମମୋହନ ସ୍କୁଲରୁ ଉପଜିଲ୍ଲାପାଳଙ୍କ ଅଫିସ ବିଜେଡିମୟ ହୋଇଯାଇଥିଲା । ନାମାଙ୍କନ ଭରି ଦୀପାଳି କହିଛନ୍ତି, ବାପା ବଞ୍ଚିଥିଲେ ଦେଖି ଖୁସି ହୋଇଥାନ୍ତେ । ଉପରେ ଥାଇ ସେ ଆଶୀର୍ବାଦ ଦେଉଛନ୍ତି । ଝାରୁସୁଗୁଡାରେ ବିକାଶ ମୁଖ୍ୟ ପ୍ରସଙ୍ଗ ହେବ । ବାପାଙ୍କ ଆଶା ପୂରଣ ହେବ ।

Advertisment

ନାମାଙ୍କନ ଦାଖଲ ପୂର୍ବରୁ ଝାରସୁଗୁଡାରେ ମା ପାଟଣେଶ୍ୱରୀ, ଶ୍ରୀ ଗଣେଶ ଓ ମହାଦେବ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଥିଲେ ଦୀପାଳି ଦାସ । କହିଥିଲେ, ମୁଖ୍ୟମନ୍ତ୍ରୀ ଓ ତାଙ୍କ ବାପାଙ୍କ ଆଶୀର୍ବାଦ ତାଙ୍କ ସହିତ ଅଛି । ଝାରୁସୁଗୁଡାଙ୍କ ପାଇଁ କିଛି କରିବାର ଅଛି । ମନ୍ତ୍ରୀ ନବଦାସଙ୍କ ହତ୍ୟା ପରେ ଝାରୁସୁଗୁଡାରେ ଉପନିର୍ବାଚନ ହେଉଛି । ଆଉ ତାଙ୍କ ଝିଅ ଦୀପାଳିଙ୍କୁ ଟିକେଟ ଦେଇ ଅନୁକମ୍ପାଭୋଟ ପାଇବ ବୋଲି ଆଶା ରଖିଛି । ଉପନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଦୀପାଳି ଏଠାରେ ପ୍ରଚାର ଅଭିଯାନକୁ ଜୋରଦାର କରିଥିଲେ । ଆଉ ଏବେ ପ୍ରଚାରକୁ ଆଗକୁ ନେବା ପାଇଁ ରାଜ୍ୟସ୍ତରର ନେତା ବି ଝାରସୁଗୁଡାରେ ଡେରା ପକାଇଛନ୍ତି ।

ଗତକାଲି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଥିବାବେଳେ ପୂର୍ବରୁ କଂଗ୍ରେସର ତରୁଣ ପାଣ୍ଡେ ନାମାଙ୍କନ ଭରିସାରିଛନ୍ତି । ତିନିଦଳର ପ୍ରାର୍ଥୀଙ୍କ ନାମାଙ୍କନ ପରେ ଏବେ ପ୍ରଚାର ଉପରେ ସବୁଦଳ ଫୋକସ କରିବେ । ଭୋଟ ମେ ୧୦ ତାରିଖରେ ପଡିବ ଓ ରେଜଲ୍ଟ ୧୩ ତାରିଖରେ ଆସିବ । ଏବେ ସମସ୍ତଙ୍କ ନଜର ରହିଛି, ବିଜୟୀ କିଏ ହେବ ଓ ବିଜୟ ବ୍ୟବଧାନ କେତେ ରହିବ ।