କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ଆରମ୍ଭ ହୋଇଯାଇଛି ଅଙ୍କକଷା । କେଉଁ ଦଳରୁ କାହାକୁ ମିଳିବ ଟିକେଟ୍ । ଶାସକ ବିଜେଡି ଦଳ ନବ ଦାସଙ୍କ ଝିଅ ଦିପାଳୀ ଦାସଙ୍କୁ ଟିକେଟ ଦେବ ନା ଆଉ କାହାକୁ? ବିଜେପି କାହାକୁ ପ୍ରାର୍ଥୀ କରିବ? କଂଗ୍ରେସ କାହାକୁ ପ୍ରାର୍ଥୀ କରିବ ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବିଜେଡି ଟିକେଟ ରେସରେ ଦିପାଳୀଙ୍କ ନାଁ ସବୁଠୁ ଆଗରେ ରହିଛି । କିନ୍ତୁ ଏନେଇ ଦଳ ପକ୍ଷରୁ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ । ତେବେ ସଭାପତି ନିଷ୍ପତି ନେବେ ବୋଲି ବିଜେଡି ନେତା କହିଛନ୍ତି । ସେହିପରି ବିଜେପି ଓ କଂଗ୍ରେସ ମଧ୍ୟ ଖୁବଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବେ ବୋଲି କହିଛନ୍ତି ।

Advertisment

ଉପନିର୍ବାଚନ ତାରିଖ ଘୋଷଣା ପରେ, ରାଜନୈତିକ ଦଳମାନେ କେଉଁ କେଉଁ ପ୍ରସଙ୍ଗକୁ ନେଇ ନିର୍ବାଚନ ମଇଦାନକୁ ଓହ୍ଲାଇବେ, କିଏ ଜିତିବ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଆଇନ ଶୃଙ୍ଖଳା ପରିସ୍ଥିତିକୁ ମୁଖ୍ୟ ପ୍ରସଙ୍ଗ କରିବ ଦଳ । ଏଥିସହ ବେକାରୀ ସମସ୍ୟା, ପାନୀୟ ଜଳ ସମସ୍ୟା, ମହିଳା ନିର୍ଯାତନା ଓ ଖଣି ଦୁର୍ନୀତି ଭଳି ପ୍ରସଙ୍ଗକୁ ନେଇ କଂଗ୍ରେସ ଲୋକଙ୍କ ପାଖକୁ ଯିବ । ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି, ଝାରସୁଗୁଡା ଉପନିର୍ବାଚନ ପରିବର୍ତ୍ତନର ସଙ୍କେତ ଦେବ । କିନ୍ତୁ ବିରୋଧୀଙ୍କ ସବୁ ରଣନୀତିିକୁ ଫେଲ କରି ବିଜେଡି ପୁଣି ଥରେ ବାଜିମାତ କରିବ ବୋଲି ଦାବି କରିଛନ୍ତି ବିଜେଡି ନେତା । କହିଛନ୍ତି, ଲୋକେ ବିଜେଡି ଓ ନବୀନ ପଟ୍ଟନାୟକଙ୍କ ବିକାଶର ଆଭିମୁଖ୍ୟକୁ ସମର୍ଥନ କରିଛନ୍ତି ।

ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଝାରସୁଗୁଡା ଉପନିର୍ବାଚନ ଉପରେ ସବୁ ଦଳର ଫୋକସ ରହିଛି । ଯେଉଁ ଦଳ ବିଜୟୀ ହେବ ସେହି ଦଳର ମନୋବଳ ବଢ଼ିବା ସହ ଆଗାମୀ ନିର୍ବାଚନ ପାଇଁ ସହାୟକ ହେବ ।