କନକ ବ୍ୟୁରୋ: ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଜାରିରହିଛି ମତଦାନ । ଭୋଟିଂ ସୁରୁଖୁୁରୁରେ ଚାଲିଥିବା ବେଳେ କିଛି ସ୍ଥାନରେ ଉତ୍ତେଜନା ଦେଖାଦେଇଛି । ଝାରସୁଗୁଡା ଏକାତାଲିରେ ଥିବା ୪୯ ଓ ୫୦ ନମ୍ବର ବୁଥରେ ଉତ୍ତେଜନା ଦେଖାଦେଇଛି । ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିବା ସୂଚନା ମିଳିଛି ।

Advertisment

ସେପଟେ ପ୍ରଚଣ୍ଡ ଖରାକୁ ଖାତିର ନକରି ମତଦାନ କେନ୍ଦ୍ରକୁ ଆସି ଭୋଟ୍ ଦେଉଛନ୍ତି ଜନତା । ୪୦ ଡିଗ୍ରୀ ତାପମାତ୍ରାରେ ଦୂରଦୂରାନ୍ତରୁ ଆସି ଭୋଟ୍ ଦେଇଛନ୍ତି । ତେବେ ମତଦାନ କେନ୍ଦ୍ରକୁ ଆସୁଥିବା ଭୋଟରଙ୍କ ପାଇଁ ଖରାଦାଉରୁ ରକ୍ଷା ପାଇବା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଭୋଟ୍ ଦେବା ପାଇଁ ଆସୁଥିବା ମତଦାତାଙ୍କ ପାଇଁ ଟେଂଟ ଓ ପାଣି ଛିଂଚନର ବ୍ୟବସ୍ଥା କରାଯାଇଥିବା ବେଳେ ଖରାରେ ଆସୁଥିବା ଭୋଟରଙ୍କୁ ସରବତ ମଧ୍ୟ ଦିଆଯାଇଛି । ଏହାସହ ସାନଠାରୁ ବୟସ୍କ ଯାଏଁ, ସମସ୍ତେ ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ମତଦାନ କେନ୍ଦ୍ରକୁ ଆସୁଥିବା ବୟସ୍କ ଭୋଟରଙ୍କୁ ଫୁଲଦେଇ ସ୍ୱାଗତ କରାଯାଉଛି । ଯେଉଁଥିରେ ବୟସ୍କ ଭୋଟରମାନେ ମଧ୍ୟ ଖୁସି ପ୍ରକାଶ କରିଛନ୍ତି । ଭୋଟ୍ ଦେବାରୁ ବାଦ୍ ପଡ଼ିନାହାନ୍ତି ରାଜନେତା ।

ବ୍ରଜରାଜନଗର ବିଧାୟକ ଅଳକା ମହାନ୍ତି ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ସାଧାରଣ ଲୋକଙ୍କ ସହ ଲମ୍ବା ଲାଇନର ଛିଡା ହୋଇ ଭୋଟ ଦେଇ ନିଜ ମତଦାନ କରିଛନ୍ତି । ୬୧ ନମ୍ବର ବୁଥରେ ବିଧାୟିକା ଅଳକା ମହାନ୍ତି ନିଜ ମତ ସାବ୍ୟସ୍ତ କରିଛନ୍ତି । ସେପଟେ ମତଦାନ ବେଳେ ବିଭ୍ରାଟ ଦେଖିବାକୁ ମିଳିଥିଲା । ମନମୋହନ ବିଦ୍ୟାଳୟ ୫୯ ନମ୍ବର ବୁଥରେ ଭୁଲ ଏଜେଂଟକୁ ନେଇ ଉତେଜନା ଦେଖିବାକୁ ମିଳିଥିଲା । କିଛି ସମୟ ପାଇଁ ମତଦାନ ବାଧାପ୍ରାପ୍ତ ହୋଇଥିଲା । ହେଲେ ପରବର୍ତୀ ସମୟରେ ବୁଥରେ ସ୍ୱାଭାବିକ ହୋଇଥିଲା ମତଦାନ । ସେପଟେ ୱାର୍ଡ ନମ୍ବର ୧୭ରେ ୫୦ରୁ ଉର୍ଦ୍ଧ ଭୋଟରଙ୍କ ନାଁ ଭୋଟର ଲିଷ୍ଟରେ ନଥିବାରୁ ଭୋଟ୍ ଦେଇପାରିନଥିବା ଅଭିଯୋଗ ହୋଇଛି ।