କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ କିଏ ହେବ କଂଗ୍ରେସ ପ୍ରାର୍ଥୀ? କାହା ହାତ ଧରି ନିର୍ବାଚନ ବୈତରଣୀ ପାର୍ ହେବ ‘ହାତ’ ଦଳ? ରାଜ୍ୟରେ ଆଉ ଏକ ଉପ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ସହିତ ରାଜନୈତିକ କରିଡରରେ ଏଭଳି କିଛି ଚର୍ଚ୍ଚା ପୁଣିଥରେ ଆରମ୍ଭ ହୋଇଯାଇଛି । ଗୋଟିଏ ପଟେ ଶାସକ ବିଜେଡି ଉପ ନିର୍ବାଚନ ପାଇଁ ଆଗୁଆ ନିଜର ପ୍ରାର୍ଥୀ ଘୋଷଣା କରିଦେଇଥିବାବେଳେ, ଅନ୍ୟପଟେ ଦୁଇ ପ୍ରମୁଖ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଏପର୍ଯ୍ୟନ୍ତ ଝାରସୁଗୁଡା ଉପ ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କରିନାହାଁନ୍ତି । ତେଣୁ ଏହି ଦୁଇ ବିରୋଧୀ ଦଳ କାହାକୁ ଉପ ନିର୍ବାଚନ ପାଇଁ ପ୍ରାର୍ଥୀ କରିବେ ତାକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ଆଲୋଚନା ।

Advertisment

ଝାରସୁଗୁଡା ଉପ ନିର୍ବାଚନରେ ପ୍ରାର୍ଥୀ ଚୟନ ପାଇଁ କଂଗ୍ରେସ ଏକ ୫ ଜଣିଆ କମିଟି ଗଠନ କରିଛି । କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ୱରେ ଗଢା ହେଇଥିବା ଏହି କମିଟି ଝାରସୁଗୁଡା ଯାଇ ସ୍ଥିତି ପରଖିବା ସହିତ ଆଜି ପିସିସିକୁ ନିଜର ରିପୋର୍ଟ ଦେବାକୁ ଯାଉଛି । ତେବେ ସନ୍ତୋଷ ସିଂହ ସାଲୁଜାଙ୍କ କହିବା ମୁତାବକ, ଝାରସୁଗୁଡାରେ ମୋଟ ୬ଜଣ ପ୍ରାର୍ଥୀ କଂଗ୍ରେସ ଟିକେଟ୍ ପାଇବାକୁ ରେସରେ ଅଛନ୍ତି । ତେବେ ବିଜୟ ପ୍ରତିଶତକୁ ଦେଖି ଦଳ ଉତ୍ତମ ପ୍ରାର୍ଥୀକୁ ଟିକେଟ୍ ଦେବ । ଆସନ୍ତା ଦୁଇ ତିନି ଭିତରେ ଝାରସୁଗୁଡା ଉପ ନିର୍ବାଚନ ପାଇଁ କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା ସୂଚନା ଦେଇଛନ୍ତି ।

ଅନ୍ଦର ମହଲରୁ ମିଳିଥିବା ସୂଚନା ମୁତାବକ, ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସ ଟିକେଟ୍ ହାତେଇବାକୁ ମୁଖ୍ୟତଃ ୪ ଜଣ ପ୍ରାର୍ଥୀ ପ୍ରବଳ ଦାବିଦାର ରହିଛନ୍ତି । ଏମାନଙ୍କ ଭିତରେ ପୂର୍ବତନ ବିଧାୟକ ବିରେନ୍ ପାଣ୍ଡେଙ୍କ ପୁଅ ତରୁଣ ପାଣ୍ଡେଙ୍କ ସହିତ ୨୦୧୯ ସାଧାରଣ ନିର୍ବାଚନର ପ୍ରାର୍ଥୀ ମହେନ୍ଦ୍ର ନାୟକ ରହିଛନ୍ତି । ଖାଲି ସେତିକି ନୁହେଁ, ଜିଲ୍ଲା କଂଗ୍ରେସ ସଭାପତି ଅଶୋକ ମିଶ୍ର ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ଝିଅ ଅମିତା ବିଶ୍ୱାଳ ମଧ୍ୟ ଝାରସୁଗୁଡା ଉପ ନିର୍ବାଚନରେ କଂଗ୍ରେସ ଟିକେଟ୍ ହାତେଇବାକୁ ରେସରେ ଲାଗିଥିବା ସୂଚନା ମିଳିଛି । ହେଲେ ଏହି ଆଶାୟୀ ପ୍ରାର୍ଥୀଙ୍କ ଭିତରୁ କାହା ନାଁରେ ମୋହର ବାଜୁଛି ତାହା ନିଶ୍ଚୟ ଆଲୋଚନାର ବିଷୟ ।

କିଛି ଦିନ ତଳେ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ନିଜେ ଝାରସୁଗୁଡା ଗସ୍ତରେ ଯାଇଥିଲେ । ଏହି ଅବସରରେ ସେ ଜିଲ୍ଲା କଂଗ୍ରେସର ଅନେକ କର୍ମକର୍ତ୍ତାଙ୍କ ସହିତ ବସି ରଣନୀତି ପ୍ରସ୍ତୁତ କରିବା ସହିତ କାହାକୁ ପ୍ରାର୍ଥୀ କଲେ ଠିକ୍ ହେବ ସେନେଇ ଆଲୋଚନା ମଧ୍ୟ କରିଥିବା ଶୁଣିବାକୁ ମିଳୁଛି । ତା ସହିତ ଏଥର ଝାରସୁଗୁଡାରେ ଆଇନଶୃଙ୍ଖଳା ପ୍ରସଙ୍ଗକୁ ମୁଦ୍ଦା କରି ଦଳ ନିର୍ବାଚନ ଲଢିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ହେଲେ ଏସବୁ ଭିତରେ ‘ହାତ’ ଦଳ କାହା ହାତକୁ ଦଳୀୟ ଟିକେଟ୍ ଦେଉଛି? କାହା ହାତ ଧରି ନିର୍ବାଚନକୁ ଓହ୍ଲାଉଛି ତାହା ଦେଖିବା ବାକି ରହିଲା ।