କାହାର ହେବ ଝାରସୁଗୁଡ଼ା ? ନବ-କିଶୋରଙ୍କୁ ନେଇ ବିଜେଡିର ଅଙ୍କକଷା, ବିଜେପିକୁ ଘାଟା ଅଧିକ ଆଶାୟୀ, ଗଡ଼ ବଞ୍ଚାଇବାକୁ କଂଗ୍ରେସର କସରତ ।

ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗ ଦେବାପରେ ଏବେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।

233

କନକ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେପାଖେଇ ଆସୁଛି ସେତେ ପରିମାଣରେ ବଦଳୁଛି ରାଜନୈତିକ ପାଣିପାଗ । ତେବେ କଂଗ୍ରେସ ଗଡ଼ ଉପରେ ଏହାର ବେଶ୍ ପ୍ରଭାବ ପଡ଼ିଛି ବୋଲି ଦେଖିବାକୁ ମିଳିଛି । କାରଣ ପ୍ରଦେଶ କଂଗ୍ରେସର ଗଡ଼ କୁହାଯାଉଥିବା ଝାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ଏଥର ‘ହାତ’ ଦୁର୍ବଳ ହୋଇଯାଇଥିବା ଶୁଣିବାକୁ ମିଳୁଛି । ଏହା ପଛର କାରଣ ହେଉଛନ୍ତି ପୂର୍ବତନ କଂଗ୍ରେସ ନେତା ନବ ଦାସ । ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗ ଦେବାପରେ ଏବେ ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଚିତ୍ର ସମ୍ପୂର୍ଣ୍ଣ ବଦଳି ଯାଇଛି ।

୧୯୫୭ ରୁ ୨୦୧୪ ମଧ୍ୟରେ ଅନୁଷ୍ଠିତ ୧୪ଟି ନିର୍ବାଚନରେ ଏଠାରୁ ୧୦ ଥର କଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ମାତ୍ର ୪ ଥର ଅଣକଂଗ୍ରେସ ପ୍ରାର୍ଥୀ ଏଠାରୁ ନିର୍ବାଚିତ ହୋଇ ପାରିଛନ୍ତି । ୨୦୦୯ ଓ ୨୦୧୪ ମସିହାରେ ସାରା ରାଜ୍ୟରେ ବିଜେଡି ହାୱା ବହୁଥିବାବେଳେ ଏହାକୁ ଝାରସୁଗୁଡ଼ାରେ ରୋକିବାକୁ ସକ୍ଷମ ହୋଇଥିଲା କଂଗ୍ରେସ । ଯାହାଦ୍ୱାରା ଏଠାରୁ ଲଗାତର ଦୁଇଥର କଂଗ୍ରେସ ପ୍ରାର୍ଥୀ ନବ ଦାସ ବିଜେଡ଼ି ପ୍ରାର୍ଥୀ କିଶୋର ମହାନ୍ତିଙ୍କୁ ପରାସ୍ତ କରି ବିଜୟୀ ତିଳକ ପିନ୍ଧିଥିଲେ । କେବଳ ଏତିକି ନୁହେଁ ଗତ ପଞ୍ଚାୟତ ନିର୍ବାଚନରେ ମଧ୍ୟ କଂଗ୍ରେସ ବିଜୟ ଅଭିଯାନକୁ ଗଡ଼ାଇ ୯ଟି ଜିଲ୍ଲାପରିଷଦ ଆସନରୁ ୮ଟି ଜିଲ୍ଲାପରିଷଦ ଆସନ ଅକ୍ତିଆର କରିଥିଲା କଂଗ୍ରେସ । ତେବେ ନିର୍ବାଚନ ପୂର୍ବରୁ ନବ ଦାସ କଂଗ୍ରେସ ହାତ ଛାଡ଼ି ବିଜେଡ଼ିରେ ଯୋଗ ଦେବାପରେ ଏବେ ଝାରସୁଗୁଡ଼ାରେ ରାଜନୀତି ସରଗରମ ହୋଇଛି ।

ବିଜେଡି ଶକ୍ତିଶାଳୀ ହୋଇ ପଡ଼ିଥିବା ବେଳେ କଂଗ୍ରେସ ସ୍ଥିତି ଅପେକ୍ଷାକୃତ ଦୁର୍ବଳ ସ୍ଥିତିକୁ ଚାଲିଗଲାଣି ବୋଲି ସ୍ଥାନୀୟ ମହଲରେ ଶୁଣିବାକୁ ମିଳୁଛି । ତେବେ ବିଜେଡି ଏଥର ନବଙ୍କୁ ପ୍ରାର୍ଥୀ କରିବ ବୋଲି ଚର୍ଚ୍ଚା ହେଉଛି । ହେଲେ କିଶୋର ମହାନ୍ତିଙ୍କୁ କେଉଁ ଆସନ ଦିଆଯିବ ବା କିଭଳି ଥଇଥାନ କରାଯିବ, ତାହା ଜଣାପଡିନାହିଁ । କାରଣ, ଗତ ନିର୍ବାଚନରେ ନବ ବିଧାୟକ ଭାବେ ନିର୍ବାଚିତ ହେବା ପରେ କିଶୋର ମହାନ୍ତିଙ୍କୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଆସନ ପଦରେ ବସାଇଥିଲେ । କିନ୍ତୁ ଏବେ ଦୀର୍ଘ ବର୍ଷ ଧରି ରାଜନୈତିକ ଶତ୍ରୁତା ମଧ୍ୟରେ ଚଳି ଆସିଥିବା ନବ ଓ କିଶୋର ଏବେ ଗୋଟିଏ ମଞ୍ଚରେ ଠିଆହୋଇ ଜିଲ୍ଲାର ବିକାଶ ଓ ବିଜେଡିର ବିଜୟବାନା ଉଡ଼ାଇବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି । କିନ୍ତ ଉଭୟଙ୍କ ମଧ୍ୟରେ ଭିତରେ କିଛି ନିଆଁ କୁହୁଳୁଥିବା ଗନ୍ଧ ଝାରସୁଗୁଡ଼ା ରାଜନୀତିକୁ ଉଷ୍ମ କରିଛି ।

ସେପଟେ ନବ ଦାସଙ୍କ ଦଳ ବଦଳ ପରେ କଂଗ୍ରେସକୁ ଅଧିକ ଟିକେଟ୍ ମିଳିବ ବୋଲି ଦଳୀୟ ନେତାମାନେ ଦାବି କରୁଛନ୍ତି । ତେଣୁ କଂଗ୍ରେସ ଟିକେଟ ପାଇବା ପାଇଁ ଦିନକୁ ଦିନ ଆଶାୟୀଙ୍କ ତାଲିକା ମଧ୍ୟ ଲମ୍ବିବାରେ ଲାଗିଛି। ଏହି ତାଲିକାର ଆଗଧାଡ଼ିରେ ଅଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳ ଓ ପୂର୍ବତନ ପୂର୍ବ ବିଧାୟକ ବୀରେନ୍ଦ୍ର ପାଣ୍ଡେ । କିନ୍ତୁ ବିଜେଡିକୁ ନବ ଦାସ ଗଲାପରେ କଂଗ୍ରେସକୁ ଏଥର ସେଭଳି କିଛି ଖାସ୍ ସମର୍ଥନ ମିଳିବ ନାହିଁ ବୋଲି ରାଜନୀତି ମହଲର ହଟ ଟପିକ୍ ପାଲଟିଛି ।

ଅନ୍ୟପଟେ ବିଜେପିରେ ମଧ୍ୟ ଟିକେଟ ଅଶାୟୀ ପ୍ରାର୍ଥୀଙ୍କ ଲମ୍ବା ଧାଡ଼ି ଲାଗିଛି । ତେବେ ଟିକେଟ୍ ରେସରେ ଅଛନ୍ତି ସୁନ୍ଦରଗଡ଼ର ପୂର୍ବତନ ବିଧାୟିକା ସୁଷମା ପଟେଲ, ସମ୍ବଲପୁର ବିଶ୍ବ ବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡକ୍ଟର ଧୃବରାଜ ନାଏକ, ଆନନ୍ଦ ପ୍ରଧାନ, ନେତାଜୀ ପଟ୍ଟନାୟକ, ଦୀନେଶ ଜୈନ, ଦୀପକ ପଟେଲ, ପ୍ରଦୀପ ପଟେଲ ଓ ନରେଶ ନାଏକ । ଗତ ନିର୍ବାଚନରେ ଜିଲ୍ଲାର ଅନ୍ୟତମ ନିର୍ବାଚନ ମଣ୍ଡଳୀ ବ୍ରଜରାଜନଗରରେ କଂଗ୍ରେସ ବିଧାୟକ ଅନୁପ ସାଏ ବିଜେଡ଼ିରେ ଯୋଗଦେଇ ପରାଜୟ ବରଣ କରିଥିବା ବେଳେ ସେଠାରେ ବିଜେପିର ରାଧାରାଣୀ ପଣ୍ଡା ଏହାର ସୁଯୋଗ ନେଇଥିଲେ ତେବେ ସେପରି କିଛି ସ୍ଥିତି ଝାରସୁଗୁଡ଼ାରେ ପ୍ରତିଫଳିତ ହେବ ବୋଲି ଖୁସିରେ ଉତଫୁଲ୍ଲିତ ହୋଇଛି ଗେରୁଆ କ୍ୟାମ୍ପ । କିନ୍ତୁ ଏବେ ଲାମ୍ବା ଆଶାୟୀଙ୍କ ତାଲିକା ନେଇ ଚିନ୍ତାରେ ବିଜେପି ।