ଝାରସୁଗୁଡ଼ା ବିମାନବନ୍ଦର ନେଇ କେନ୍ଦ୍ର ସରକାରଙ୍କୁ ୧ ମାସର ଡେଡଲାଇନ୍ । ଦାବି ପୂରଣ ନହେଲେ ଆନ୍ଦୋଳନକୁ ଓହ୍ଲାଇବ ପଶ୍ଚିମ ଓଡ଼ିଶାର ବିଭିନ୍ନ ଦଳ ।

38

କନକ ବ୍ୟୁରୋ: ଝାରସୁଗୁଡ଼ା ବିମାନବନ୍ଦର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କଂଗ୍ରେସ ବିଧାୟକ ନବ ଦାସ । ନବୀନଙ୍କୁ ଭେଟିବା ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ । ୨୫ ଦିନ ହେଲେ ଝାରସୁଗୁଡ଼ା ବିମାନବନ୍ଦରରେ ବିମାନ ଚଳାଚଳ ବନ୍ଦ ରହିଥିବା ସେ କହିଛନ୍ତି । ଉଦଘାଟନୀ ବେଳେ ପ୍ରଧାନମନ୍ତ୍ରୀ ମୋଦି ବିମାନବନ୍ଦରର ନାଁ ବୀର ସୁରେନ୍ଦ୍ର ସାଏଙ୍କ ନାଁ ଅନୁସାରେ ଦେବା ପାଇଁ କହିଥିଲେ କିନ୍ତୁ ବର୍ତମାନ ପର୍ଯ୍ୟନ୍ତ ତାହା ହୋଇନଥିବା ନବ ଦାସ କହିଛନ୍ତି ।

ଏହାସହ କମରସିଆଲ୍ ବିମାନ ଉଡ଼ାଣ ସେବା ଆରମ୍ଭ କରିବା ନେଇ ମଧ୍ୟ ଦାବିର କୌଣସି ପଦକ୍ଷେପ ନିଆଯାଇ ନାହିଁ । ତେଣୁ ଏନେଇ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ୨ଗୋଟି ଦାବି କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ଦାବିପୂରଣ ନେଇ ପ୍ରତିଶ୍ରୁତି ଦେଇଛନ୍ତି । ଦୁଇଟି ବିଷୟରେ ପ୍ରଧାନମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୋଲି ସେ କହିଛନ୍ତି ।

ଅନ୍ୟପଟେ କେନ୍ଦ୍ର ସରକାରଙ୍କୁ ଦାବି ପୂରଣ ନେଇ ଏକ ମାସ ମସୟ ଦିଆଗଲା । ଯଦି ଏନେଇ କୌଣସି ପଦକ୍ଷେପ କେନ୍ଦ୍ର ସରକାର ନ ନିଅନ୍ତି ତେବେ ଠିକ୍ ମାସକ ପରେ ଦଳମତ ନିର୍ବିଶେଷରେ ପ୍ରତିବାଦ କରାଯିବ । ପଶ୍ଚିମ ଓଡ଼ିଶାର ସମସ୍ତ ଦଳ ଏହି ଆନ୍ଦୋଳନରେ ସାମିଲ ହୋଇ ବିମାନ ବନ୍ଦର ଘେରାଉ କରିବେ ବୋଲି କଂଗ୍ରେସ ବିଧାୟକ ନବ ଦାସ କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ବିଜେପିର ବ୍ଲକ ଘେରାଉକୁ ନେଇ ମଧ୍ୟ ନବ ଦାସ ସମାଲୋଚନା କରିଛନ୍ତି । ସେ କହିଛନ୍ତି , ଯେଉଁ ସରକାରଙ୍କ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ଗୋଟେ ଘୋଷଣା କରିଗଲେ କିନ୍ତୁ ତାହା ପୂରଣ ହୋଇପାରୁନି ସେମାନଙ୍କର ଓଡ଼ିଶା ପ୍ରତି କେତେ ଦରଦ ଅଛି ତାହା ସ୍ପଷ୍ଟ ଜଣାପଡୁଛି ।